ଭୁବେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଶିଶୁମୃତ୍ୟୁକୁ କେନ୍ଦ୍ର କରି ଶୁକ୍ରବାର ବିଳମ୍ବିତ ରାତିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଡାକ୍ତରଙ୍କ ଅବହେଳା ଯୋଗୁଁ ଶିଶୁଟିର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଶିଶୁର ପରିବାର ଓ ସଂପର୍କୀୟ ହସ୍ପିଟାଲ ସମ୍ମୁଖରେ ଧାରଣା ଦେଇଥିଲେ। ତେବେ ଉତ୍ତେଜନା ବଢ଼ିବାରୁ କ୍ୟାପିଟାଲ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ପରେ ସ୍ଥିତି ଶାନ୍ତ ପଡ଼ିଥିଲା।
ଅପରପକ୍ଷେ ଶିଶୁର ପିତା ବାଲିପାଟଣା ମାର୍ଥାପୁର ଗାଁର ରାକେଶ ପାତ୍ର କ୍ୟାପିଟାଲ ଥାନାରେ ଏକ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଦୁଇଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କ ପତ୍ନୀ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ପତ୍ନୀ ଓ ପୁଅ ଚିକିତ୍ସାଧୀନ ଥିବା ବେଳେ ଆଜି ଅପରାହ୍ଣ ୪ଟାରେ ଶିଶୁଟିର ମୃତ୍ୟୁ ହୋଇଛି ବୋଲି ଡାକ୍ତର କହିଥିଲେ। ଦିନ ୨ଟା ସୁଦ୍ଧା ଠିକ୍ଠାକ୍ ଥିବା ଶିଶୁର ଅବସ୍ଥା ଏମିତି କ’ଣ ହେଲା ଯେ ତା’ର ମୃତ୍ୟୁ ଘଟିଲା, ସେ ସଂପର୍କରେ ମଧ୍ୟ ଡାକ୍ତର ମୁହଁ ଖୋଲୁ ନାହାନ୍ତି। ଏ ବାବଦରେ କୌଣସି ଉପରିସ୍ଥ ଅଧିକାରୀ ମଧ୍ୟ ଆଲୋଚନା କରିନାହାନ୍ତି।