ଭୁବନେଶ୍ବର: ବିଭିନ୍ନ ସମସ୍ୟା ନେଇ ଆଜି ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ଆସୁଥିବା ଛାତ୍ର ଓ ଅଭିଭାବକମାନେ ଫାଟକ ବନ୍ଦ କରି ଆନ୍ଦୋଳନ କରିଛନ୍ତି। ପୂର୍ବାହ୍ନ ୧୦ଟା ୩୦ରୁ ପ୍ରାୟ ଦୁଇ ଘଣ୍ଟା ଧରି ଫାଟକ ବନ୍ଦ ରହିବା ପରେ କର୍ତ୍ତୃପକ୍ଷ ଓ ଖାରବେଳ ନଗର ଥାନା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ର ଓ ଅଭିଭାବକମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ଗେଟ୍ ଖୋଲିଥିଲେ। ଛାତ୍ରଙ୍କ ଅଭିଯୋଗ ଅନୁସାରେ ସେମାନେ ଟଙ୍କା ଦେଇ ରାଜ୍ୟ ଗ୍ରନ୍ଥାଗାରକୁ ପାଠ ପଢ଼ିବାକୁ ଆସୁଛନ୍ତି। କିନ୍ତୁ ଟଙ୍କା ନେଉଥିଲେ ମଧ୍ୟ ରାଜ୍ୟର ବଡ଼ ଲାଇବ୍ରେରିରେ ଆବଶ୍ୟକ ସୁବିଧା ଯୋଗାଇ ଦିଆଯାଉନାହିଁ। ଆଜି ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଥିଲା।
ହେଲେ ଡିଜି ଥାଇ ସୁଦ୍ଧା ଏହାକୁ ଲଗାଯାଇନଥିଲା। ଏଠାରେ ମଧ୍ୟ ପାନୀୟ ଜଳର ଘୋର ଅସୁବିଧା ରହିଛି। ମାସକୁ ୧୨ ଦିନ ବିଭିନ୍ନ ଆଳ ଦେଖାଇ ଲାଇବ୍ରେରି ବନ୍ଦ କରାଯାଉଛି। ବସିବା ପାଇଁ ମଧ୍ୟ ସମସ୍ୟା ରହିଛି ବୋଲି ଛାତ୍ରମାନେ କହିଥିଲେ। ପୂର୍ବରୁ ଦାବିଗୁଡ଼ିକ ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ହେଁ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। କର୍ମଚାରୀ ଅଭାବ ସହ ଅନ୍ୟାନ୍ୟ ଅସୁବିଧା ଆଳ ଦେଖାଇ ଏଡ଼ାଇ ଯାଉଛନ୍ତି। ଆଜି ଅବ୍ୟବସ୍ଥା ସୀମା ଅତିକ୍ରମ କଲା ପରେ ଛାତ୍ରମାନେ ଧାରଣାକୁ ଓହ୍ଲାଇଥିବା ସେମାନେ ଅଭିଯୋଗ କରିଛନ୍ତି।