ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଭରତପୁର ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର(ଏମ୍ସିସି) ପରିଦର୍ଶନ କରିଛନ୍ତି। ସ୍ଥିତି ଅନୁଧ୍ୟାନ କରିବା ସହ ଅତ୍ୟାଧୁନିକ ବ୍ଲାକ୍ ସୋଲଜର ଫ୍ଲାଏ(ଆବର୍ଜନାକୁ ଖତରେ ପରିଣତ କରୁଥିବା ଏକ ପ୍ରଜାତିର ପୋକ) ଦ୍ବାରା ପ୍ରସ୍ତୁତ ଜୈବିକ ଖତର ପ୍ରକ୍ରିୟାକରଣ ଦେଖିଛନ୍ତି। ଏହି ଅବସରରେ ମନ୍ତ୍ରୀ ଡ. ମହାପାତ୍ର ବିଏସ୍ଏଫ୍ ଲାର୍ଭା ବ୍ୟବହାର କରି ଜୈବ ଅଳିଆକୁ ଉଚ୍ଚମାନର ଖତରେ ରୂପାନ୍ତରିତ କରିବାର ଅଭିନବ ପ୍ରକ୍ରିୟାଗୁଡ଼ିକର ସମୀକ୍ଷା କରିଥିଲେ। ସେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ ନିର୍ଗତ ଆବର୍ଜନାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ପ୍ରକ୍ରିୟାକରଣ, ପ୍ରକ୍ରିୟାକରଣ ବର୍ଜ୍ୟରେ ଲ୍ୟାଣ୍ଡ୍ଫିଲ୍(ଖାଲୁଆ ଜମିକୁ ପୋତିବା) ବୋଝ ହ୍ରାସ କରିବା, ପ୍ରୋଟିନ୍ଯୁକ୍ତ ଖାଦ୍ୟ ଓ ଜୈବ ମାଟି ବୃଦ୍ଧିକାରୀ ଭଳି ସ୍ଥାୟୀ ଉପଉତ୍ପାଦ ସୃଷ୍ଟି କରିବା ପାଇଁ ପ୍ରଯୁକ୍ତିର ସମ୍ଭାବନାକୁ ପ୍ରଶଂସା କରିଥିଲେ।
ଡ. ମହାପାତ୍ର ସହରାଞ୍ଚଳ ଭୁବନେଶ୍ୱର ମହାନଗର ନିଗମ ଓ ଇନ୍ସେକ୍ଟିକା ବାୟୋଟେକ୍ ମଧ୍ୟରେ ସହଭାଗିତାରେ ବର୍ଜ୍ୟରୁ ଏହି ଅର୍ଥ ଉପାର୍ଜନକାରୀ ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ। ପ୍ରଯୁକ୍ତି ବିଦ୍ୟାଚାଳିତ ବୈଜ୍ଞାନିକ ଜ୍ଞାନକୌଶଳ ଜରିଆରେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ, ପରିବେଶଗତ ପରିଚାଳନା ଓ ସବୁଜ ଜୀବିକା ସୃଷ୍ଟି ପ୍ରତି ରାଜ୍ୟର ପ୍ରତିଶ୍ରୁତିବଦ୍ଧତା ସହିତ ସମନ୍ୱିତ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବିଏମ୍ସି ଡେପୁଟି କମିସନର୍ ଏନ୍. ଗଣେଶ ବାବୁ, ଇନ୍ସେକ୍ଟିକା ବାୟୋଟେକ୍ ପ୍ରତିଷ୍ଠାତା ତଥା ସିଇଓ ଅରୁଣ କୁମାର ଦାସ, ଅନୁଷ୍ଠାନର ଡ. ଚିନ୍ମୟୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/23/adgdaggdzcvvc-2025-11-23-02-39-40.jpg)