ଭୁବନେଶ୍ବର: ଗତ ତିନିଚାରି ଦିନ ହେଲା ନୟାଗଡ଼ ଉପକଣ୍ଠ, ବାଙ୍କୀ, ଆଠଗଡ଼, ଢେଙ୍କାନାଳ ଓ ଯାଜପୁରର ବିଭିନ୍ନ ଅଞ୍ଚଳରେ ଶକ୍ତିଶାଳୀ କାଳବୈଶାଖୀ ତାଣ୍ଡବ ରଚିଛି। ହେଲେ ଏହି ଶକ୍ତିଶାଳୀ କାଳବୈଶାଖୀ କଟକ- ଭୁବନେଶ୍ବର ସହର ନିକଟତର ହେବା ବେଳକୁ ସତେ ଯେମିତି ଶକ୍ତିହୀନ ହୋଇପଡ଼ୁଛି। ଏହାର ପ୍ରଭାବରେ ଗତ କିଛି ଦିନ ହେବ ଏହି ଦୁଇ ସହରବାସୀ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛନ୍ତି। ଗତ ୧୧ ତାରିଖରୁ ସହରର ତାପମାତ୍ରା କେତେବେଳେ ୪୦ ଡିଗ୍ରି ସେଲ୍ସିୟସ୍ ଅତିକ୍ରମ କରୁଛି ତ କେତେବେଳେ ୪୦ ଡିଗ୍ରି ସେଲ୍ସିୟସ୍ଠାରୁ ଟିକେ କମ୍ ରହୁଛି। ତାପମାତ୍ରାରୁ ବଳି ଯାଉଛି ସହରର ଆର୍ଦ୍ରତା। ଫଳରେ ଅସହ୍ୟ ଗୁଳୁଗୁଳିରେ ଲୋକେ ସନ୍ତୁଳି ହେଉଛନ୍ତି।
ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁସାରେ, କେବଳ କଟକ-ଭୁବନେଶ୍ୱର ନୁହେଁ, ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ଗତ ୧୧ ଏପ୍ରିଲରେ ସମାନ ଅବସ୍ଥା ଦେଖିବାକୁ ମିଳିଛି। ପୂର୍ବରୁ କୋଲକାତା ଓ ହାଇଦ୍ରାବାଦ ପରି ସହରଗୁଡ଼ିକ ମଧ୍ୟ ଏମିତି ସ୍ଥିତି ଦେଇ ଗତିକରିଛନ୍ତି। ସେହିପରି ଆଜି ଏକ ୮୬୮ କିମିର କାଳବୈଶାଖୀ ପଶ୍ଚିମବଙ୍ଗକୁ ପ୍ରଭାବିତ କରିଥିବା ବେଳେ କୋଲକାତା ପହଞ୍ଚିବା ବେଳକୁ ସହରୀକରଣଜନିତ ଉଷ୍ମତାା ପ୍ରଭାବରେ ଏହା ଦୁର୍ବଳ ହୋଇଥିଲା। ସହର ଅତିକ୍ରମ ପରେ ଏହା ପୁଣି ଶକ୍ତିଶାଳି ଉଠିଥିଲା। ସହରଗୁଡ଼ିକ ନିଜର ଆଖପାଖ ଅଞ୍ଚଳ ଅପେକ୍ଷା ଅଧିକ ଗରମ ଓ ଶୁଷ୍କ। ଏହି ଶୁଷ୍କ ସ୍ଥିର ବାୟୁ ବଳୟରେ ଧୂଳିକଣା ସହ ଅନ୍ୟାନ୍ୟ ଛୋଟଛୋଟ କଣିକା ପର୍ଯ୍ୟାପ୍ତ ମାତ୍ରାରେ ଏକତ୍ରିତ ହୁଅନ୍ତି। ଯାହା ବର୍ଷା ସୃଷ୍ଟି କରିବାରେ ସହାୟକ ହୁଏ। କାଳବୈଶାଖୀ କିମ୍ବା ବଜ୍ରପାତର ଏହି ବଳୟ ନିକଟତର ହେଲେ ଏହାର ସ୍ଥିରତା କାଳବୈଶାଖୀ ସହ ଜଡ଼ିତ ବାୟୁର ଉପରମୁହାଁ ପ୍ରବାହ ଓ ଆର୍ଦ୍ରତା ଯୋଗାଣରେ ବାଧା ସୃଷ୍ଟି କରେ। ଅତ୍ୟଧିକ ଧୂଳିକଣା ସହ ଶୁଷ୍କ ବାୟୁ ଯୋଗୁ ବଜ୍ରପାତ ପ୍ରାୟତଃ ସହରାଞ୍ଚଳ ପାଖକୁ ଆସିବା ସମୟରେ ଦୁର୍ବଳ ହୋଇଯାଏ। ସହରାଞ୍ଚଳରେ ଧୂଳିକଣା ମେଘ ସୃଷ୍ଟିକାରୀ କଣିକା ଭାବରେ କାର୍ଯ୍ୟ କରି ବୃଷ୍ଟିପାତକୁ ପ୍ରଭାବିତ କରିଥାଏ। ଯାହା ବୃଷ୍ଟିପାତ କରାଇବାରେ ବାଧା ଦେଇଥାଏ। ଫଳରେ ବଜ୍ରପାତ ଦୁର୍ବଳ ହେବା ସହ ସହରମୁହାଁ ହେବା ବେଳେ କାଳବୈଶାଖୀକୁ ନିଷ୍କ୍ରିୟ କରାଏ।
ସହରଗୁଡ଼ିକର କଂକ୍ରିଟରେ ପରିଣତ ହେବା, ଆର୍ଦ୍ରଭୂମି ନଷ୍ଟହେବା ଫଳରେ ଏହା ଏକ ସ୍ଥାନୀୟ ଉଷ୍ମ ଅଞ୍ଚଳ ଭାବେ ପରିଗଣିତ ହେଉଛି। ବାୟୁମଣ୍ଡଳୀୟ ପରିସ୍ଥିତିକୁ ବ୍ୟାହତ କରି ଓ ଝଡ଼ର ଆଚରଣକୁ ପ୍ରଭାବିତ କରୁଛି। ଫଳରେ ସହର ପାଖକୁ ଆସିବା କିମ୍ବା ଅତିକ୍ରମ କରିବା ବେଳେ କାଳବୈଶାଖୀ ସମୟରେ ଝଡ଼ ବିଭାଜିତ, ଦୁର୍ବଳ କିମ୍ବା ଦିଗ ପରିବର୍ତ୍ତନ କରୁଛି। ଦିନକୁ ଦିନ ରାଜଧାନୀ ଭୁବନେଶ୍ୱର ସହ କଟକରେ ସହରୀକରଣରେ ବ୍ୟାପକତା ସହ ଆର୍ଦ୍ରଭୂମି ନଷ୍ଟ, ଜଙ୍ଗଲ ନଷ୍ଟ ବଢ଼ୁ ଥିବାରୁ ଖରା ଦିନରେ ଏହା ଏକ ଚିନ୍ତାର କାରଣ ପାଲଟିବାର ସମ୍ଭାବନା ରହିଥିବା ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି।