ଉର୍ଦ୍ଦୁ ସାହିତ୍ୟକୁ ଓଡ଼ିଆରେ ଅନୁବାଦ କରାଯିବ: ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର: ଉର୍ଦ୍ଦୁ ସାହିତ୍ୟ ସହ ଓଡ଼ିଆ ସାହିତ୍ୟର ସମନ୍ବୟ ରହିଲେ, ଦୁଇ ଭାଷାର ସାହିତ୍ୟ ବିକଶିତ ଓ ସମୃଦ୍ଧ ହେବ। ତେଣୁ ଉର୍ଦ୍ଦୁ ଭାଷାରେ ଲିଖିତ ପ୍ରସିଦ୍ଧ କବିତା, ସାୟରିକୁ ଓଡ଼ିଆ ଭାଷାରେ ଅନୁବାଦ କରାଯିବ। ଆଜି ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ୩୫ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମୁଖ୍ୟଅତିଥି ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହା କହିଛନ୍ତି। ଭୁବନେଶ୍ବରସ୍ଥିତ ରାଜ୍ୟ ମ୍ୟୁଜିୟମ ପରିସରରେ ଥିବା ସଂସ୍କୃତି ଭବନ ସଭା ଗୃହରେ ଅନୁଷ୍ଠିତ ଏହି ଉତ୍ସବ‌ରେ ରାଜ୍ୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଯୁବ ସାହିତ୍ୟିକମାନେ ଉର୍ଦ୍ଦୁ ଭାଷାକୁ ଓଡ଼ିଆ ସାହିତ୍ୟ ସହ ସମନ୍ୱୟ କରାଇବାକୁ ସେ କହିଥିଲେ।

ଉର୍ଦ୍ଦୁରୁ ଓଡ଼ିଆ ଓ ଓଡ଼ିଆରୁ ଉର୍ଦ୍ଦୁ ଭାଷା ସାହିତ୍ୟକୁ ଅନୁବାଦ କରିବା ଲାଗି ଆଗେଇ ଆସିବାକୁ ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ ଏକାଡେମୀ ଦ୍ୱାରା ପ୍ରକାଶିତ ଡ. ମହମ୍ମଦ ଆୟୁବଙ୍କ ରଚିତ ‘ଓଡ଼ିଶା ଉର୍ଦ୍ଦୁ ସାହିତ୍ୟର ଇତିହାସ’ ପୁସ୍ତକ ଉନ୍ମୋଚିତ କରାଯାଇଥିଲା। କବି ମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ରାଜ୍ୟସ୍ତରୀୟ ତ୍ରିଭାଷୀ ଉର୍ଦ୍ଦୁ, ହିନ୍ଦୀ ଓ ଓଡ଼ିଆ କବି ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି କବି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୮ ଜଣ କବି କବିତା ପାଠ କରିଥିଲେ। ସାରା ରାଜ୍ୟରୁ ଏମ୍‌ଆଇଏଲ୍‌ ଭାବେ ଉର୍ଦ୍ଦୁ ଭାଷା ରଖି ପଢୁଥିବା ୪୫ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର