ହାଟରେ ପରିସ୍ରା ପାଇଁ ହଟହଟା, ପରିସ୍ରାଗାରକୁ ସଂକ୍ରମଣ

ଭୁ‌ବନେଶ୍ବର: ଲୋକଙ୍କ ବଜାର ଚାହିଦା ମେଣ୍ଟାଇବାକୁ ରାଜଧାନୀରେ ଗଢ଼ି ଉଠିଛି ହାଟ। ରାତି ପାହି‌ଲେ ଲକ୍ଷାଧିକ ଲୋକଙ୍କ ଆବଶ୍ୟକତାକୁ ପୂରଣ କରୁଥିବା ଏହି ହାଟ କିନ୍ତୁ ଏବେ ନିଜେ ଅସହାୟ। ଏଠାକୁ ସଉଦା କରିବାକୁ ଯାଉଥିବା ଲୋକେ ହୁଏତ ମନ ମୁତାବକ ସବୁକିଛି ପାଇପାରୁଛନ୍ତି, କିନ୍ତୁ ପରିସ୍ରା ଲାଗିଲେ ହଟହଟା ହେବାକୁ ପଡ଼ୁଛି। ପରିସ୍ରାଗାର ଯେ ନାହିଁ ସେକଥା ନୁହେଁ, ମାତ୍ର ତା ଭିତରକୁ ପାଦ ବଢ଼ାଇବା ମାତ୍ରେ ମନ ଅଟକିଯାଉଛି। କୋଉଠି ପୋକ ସାଲୁବାଲୁ ହେଉଛନ୍ତି ତ କୋଉଠି ପାଣି ଟ୍ୟାପ୍‌ ପାଇପ୍‌ ଭିତରେ କାଠିରେ ଜାମ୍‌ ଦିଆଯାଇଛି। କୋଉଠି ଗନ୍ଧରେ ନାକ ଫାଟିଯାଉଛି ତ କୋଉଠି ପରିସ୍ରାଗାର ଫାଟକରେ ତାଲା ଝୁଲୁଛି। ସ୍ଥିତି ଏମିତି ଯେ ଏଠାରେ ପରିଶ୍ରା କଲେ ଆପଣଙ୍କୁ ସଂକ୍ରମଣ ହୋଇଯିବ। କାରଣ, ଖୋଦ୍‌ ରାଜଧାନୀର ହାଟମାନଙ୍କରେ ଥିବା ଶୌଚାଳୟକୁ (ଇନ୍‌ଫେକ୍ସନ୍‌) ସଂକ୍ରମଣ ହୋଇଯାଇଛି। ଖାଲି ୧ ନମ୍ବର କି ୨ ନମ୍ବର ମାର୍କେଟ୍‌ ନୁହେଁ ୪ ନମ୍ବର ମାର୍କେଟ୍‌କୁ ବି ସମଦଶା ପଡ଼ିଛି। ପ୍ରଶାସନ ରାଜଧାନୀ ରାସ୍ତାରେ ରଙ୍ଗ ବୋଳି, ଗଛରେ ଚାନ୍ଦୁଆ ବଲ୍‌ବ ଜାଳି ସହରକୁ ସୁନ୍ଦର କରୁଛି। ଏଣେ ଦିନକୁ ଲକ୍ଷଲକ୍ଷ ଲୋକ ନିର୍ଭର କରୁଥିବା ମାର୍କେଟ୍‌ର ପରିସ୍ରାଗାରକୁ ଆଡ଼ ଆଖିରେ ଚାହୁଁନାହିଁ। ତେଣୁ ପରିସ୍ରାଗାର ଥାଇ ବି ଲୋକେ ବାହାରେ କାମ ଚଳାଉଛନ୍ତି।

ପାଦ ତଳେ ‌ପୋକ ସାଲୁବାଲୁ
ରାଜଧାନୀର ସବୁଠୁ ପୁରୁଣା ଓ ବୃହତ୍ତ ମାର୍କେଟ୍‌ରେ ୧୯୮୪ ମସିହାରୁ ଗଢ଼ା ଯାଇଥିବା ଶୌଚାଳୟ ପରିସରରେ ପରିସ୍ରା କରିବା ପାଇଁ ୪ ଥାକିଆ ୟୁରିନାଲ୍‌ ତ ଅଛି। କିନ୍ତୁ ଯେଉଁଠି ଆପଣ ପାଦ ରଖି ଏକ କରିବେ ତା ତଳେ ପୋକ ସାଲୁବାଲୁ ହେଉଛନ୍ତି। ସେଇଥିରେ ବ୍ଲିଚିଂ ପକେଇ ପ୍ରଶାସନ କାମ ସାରି ଦେଇଛି। ମାର୍କେଟ୍‌କୁ ଆସୁଥିବା ହଜାର ହଜାର ଲୋକ ସେଇ ୟୁରିନାଲ୍‌ ପର୍ଯ୍ୟନ୍ତ ଯାଉଛନ୍ତି ସତ, କିନ୍ତୁ ସେଠି ଏକ ନକରି ତା ସାମ୍ନାରେ କାମ ଚଳେଇ ଫେରୁଛନ୍ତି। ଯେମିତି ଏକ ପ୍ରକାର ବାଧ୍ୟ ହେଉଛନ୍ତି। ୧ ନମ୍ବର ହାଟ ମଧ୍ୟରେ କେବଳ ୧୪୪୦ ଦୋକାନ ଥିବା ବେଳେ ବାହାରେ ୧୫ଶହରୁ ଅଧିକ ବ୍ୟବସାୟୀ ପସରା ଖୋଲୁଛନ୍ତି। ଏହାକୁ ନଜରରେ ରଖି ହାଟ ପରିସରରେ ବିଭିନ୍ନ ସ୍ଥାନରେ ପରିସ୍ରାଗାର ଖୋଲାଯାଇଛି। କିନ୍ତୁ ସେଗୁଡ଼ିକ ଆଉ ବ୍ୟବହାର ହେବା ଅବସ୍ଥାରେ ନାହିଁ।

୫ମାସ ହେଲା ପାଣି ଆସୁନି
କୌଣସି ଉଦ୍‌ଘାଟନ ପର୍ବ ଆୟୋଜନ ହେଲେ ଆମ ନେତାମାନେ ଫଳକରେ ନିଜ ନା ଛାପିବାକୁ ‌ଭୁଲନ୍ତି ନାହିଁ। ମାତ୍ର ଥରେ ଉଦ୍‌ଘାଟନ ହୋଇଗଲା ପରେ ତା’ର ସ୍ଥିତି କେମିତି ଅଛି, ତାହା କେବେ ପରଖନ୍ତି ନାହିଁ। ତା’ର ଜ୍ବଳନ୍ତ ଉଦାହରଣ ହେଉଛି ୪ ନମ୍ବର ମାର୍କେଟ୍‌ ମଧ୍ୟରେ ଥିବା ପରିସ୍ରାଗାର। ଏହି ମାର୍କେଟ୍‌ ମଧ୍ୟରେ ୭୬୦ ଜଣ ସ୍ଥାୟୀ ଏବଂ ଅନ୍ୟ ବ୍ୟବସାୟୀଙ୍କୁ ମିଶାଇଲେ ମୋଟ୍‌ ୧୫୦୦ ବ୍ୟବସାୟୀ ଅଛନ୍ତି। ୧ ନମ୍ବର ଭଳି ୪ ନମ୍ବର ମାର୍କେଟ୍‌ ବି ସବୁବେଳେ ଚଳଚଞ୍ଚଳ ରୁହେ। ଏହାକୁ ଦୃଷ୍ଟିରେ ରଖି ମହାନଗର ନିଗମ ହାଟ ପରିସରରେ ୩ଟି ପରିସ୍ରାଗାର ସ୍ଥାପନ କରିଛି। ହେଲେ ମାଛ ହାଟ ନିକଟ ପରିସ୍ରାଗାରକୁ ଛାଡ଼ି ଦେଲେ ଅନ୍ୟ ଦୁଇଟିରେ ପାଣି ଆସୁନାହିଁ। ଆରମ୍ଭରୁ ଥିବା ପରିସ୍ରାଗାରଟିରେ ପାଣି ଟାଙ୍କି ରହିଛି। ହେଲେ ସେଥିରେ ପାଣି ନାହିଁ। ଟାଙ୍କିକୁ ପାଣି ପାଇପ୍‌ଲାଇନ୍‌ ସହ ସଂଯୋଗ କରାଯାଇଥିଲେ ହେଁ ତାହା ପାଣି ଉଠାଉନାହିଁ। ତେଣୁ ଲୋକେ ପରିସ୍ରାଗାର ପର୍ଯ୍ୟନ୍ତ ଆସୁଥିଲେ ‌ବି ଶୌଚାଳୟ କାନ୍ଥରେ ପରିସ୍ରା କରି ଯାଉଛନ୍ତି ବୋଲି ବ୍ୟବସାୟୀ ସୁଦର୍ଶନ ବାରିକ କହିଛନ୍ତି।

ମହିଳା ପରିସ୍ରାଗାରରେ ତାଲା
ୟୁନିଟ୍‌ ୧ ହାଟର ମୋଟର ସାଇକେଲ୍‌ ଷ୍ଟାଣ୍ଡ୍‌ ଭିତରେ ମଧ୍ୟ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଭିନ୍ନ ଭିନ୍ନ ୟୁରିନାଲ୍‌ ଅଛି। କିନ୍ତୁ ମହିଳା ପରିସ୍ରାଗାରରେ ତାଲା ଝୁଲୁଛି। ପରୁଷଙ୍କ ପାଇଁ ଯେଉଁଟା ଉଦ୍ଦିଷ୍ଟ ଅଛି, ତା ଭିତରକୁ ଯିବା କ୍ଷଣି ଆପଣଙ୍କ ମନ ପାଦକୁ ପଛକୁ ଟାଣି ଆଣିବ। ସେଠାରେ ମୋଟର ସାଇକେଲ୍‌ ପାର୍କିଂ ଫି ଆଦାୟ କରୁଥିବା ବିଏମ୍‌ସି କର୍ମଚାରୀଙ୍କ ନଜରରେ ଏହା ପଡ଼ୁଥିଲେ ହେଁ ଅବସ୍ଥା ସୁଧୁରିପାରୁନି। ଏହି ପରିସରରେ ୫ଲକ୍ଷ ୫୭ ହଜାର ୯୬୫ ଟଙ୍କାରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ପରିସ୍ରାଗାର ସିନା ପ୍ରସ୍ତୁତ ହୋଇଛି, କିନ୍ତୁ ସେଥିରେ ମହିଳାଙ୍କ ପରିସ୍ରାଗାରରେ ତାଲା ଝୁଲେଇ ଦେଇ ବସି ଯାଇଛି ପ୍ରଶାସନ। ଏମିତି କି ଦୀର୍ଘଦିନ ହେଲା ତାକୁ ସଜାଡ଼ିବାକୁ ବି ଚେଷ୍ଟା କରିନାହିଁ। ୧ ନମ୍ବର ହାଟ ପେଟ୍ରୋଲ୍‌ ଟାଙ୍କି ପାର୍ଶ୍ବବର୍ତୀ ଅଞ୍ଚଳରେ ଥିବା ପରିସ୍ରାଗାରରେ ବି ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଅଛି। କିନ୍ତୁ ତାହା ଦୀର୍ଘଦିନ ଧରି ସଫା କରାଯାଇନାହିଁ।

ସମ୍ବନ୍ଧିତ ଖବର