ଖଣ୍ଡଗିରି: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ୪ ଦିନିଆ ଅନ୍ତର୍ଜାତୀୟ କନ୍କ୍ଲେଭ୍ ‘ଉର୍ତାନ୍' ଆଜି ଉଦ୍ଘାଟିତ ହୋଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ବିଶିଷ୍ଟ ଭାସ୍କର୍ଯ୍ୟ ଗୁରୁ ସୁଦର୍ଶନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଜାତିର ଐତିହ୍ୟ, ପରମ୍ପରା, କଳା ଓ ସଂସ୍କୃତିକୁ ନେଇ ଛାତ୍ରଛାତ୍ରୀମାନେ ନିଜ ପ୍ରତିଭାକୁ ବିକଶିତ କରିବା ସହ ଜାତିର ଗୌରବ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା କଥାକାର ଗୌରହରି ଦାସ ଭାରତୀୟ ଦର୍ଶନରେ କଳାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ମନ୍ଦିର ଓ ସାହିତ୍ୟରେ ଓଡ଼ିଶାର ଯେଉଁ ପରିଚୟ ରହିଛି, ସେଥିରେ ଉଦ୍ବୁଦ୍ଧ ହୋଇ ଛାତ୍ରଛାତ୍ରୀମାନେ ସାଂସ୍କୃତିକ ରାଷ୍ଟ୍ରଦୂତ ଭାବେ ପ୍ରତିଷ୍ଠିତ ହେବାକୁ ସେ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସିଙ୍ଗାପୁରରୁ ପ୍ରଫେସର କୁଇଙ୍ଗ୍ କାଇ ଯୋଗଦେଇଥିଲେ।
ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲୀପ କୁମାର ରାଉତରାୟ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରଥମ ପର୍ଯ୍ୟାୟ ଆଲୋଚନାଚକ୍ରରେ ଚଳଚ୍ଚିତ୍ର ନିର୍ମାତା ହିମାଂଶୁ ଶେଖର ଖଟୁଆ, ପ୍ରଫେସର ଗୋଲ୍କୋ ସିମିଳୁ (ଜାପାନ), ସ୍ମିତା କାରିଆସ୍କା ବକ୍ତବ୍ୟ ରଖିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁରୁ କୃଷ୍ଣଚନ୍ଦ୍ର ଦାସ ଏକକ ବେହେଲା ବାଦନ କରିଥିଲେ ଏବଂ ଗୁରୁ ମନୋରଞ୍ଜନ ପ୍ରଧାନ ଏବଂ ଗୁରୁ ମିନତି ଦ୍ୱୈତ ଭାବେ ଓଡ଼ିଶୀ ନୃତ୍ୟ ‘ଅର୍ଦ୍ଧନାରୀଶ୍ୱର’ ପରିବେଷଣ କରିଥିଲେ। ଶ୍ରୀଲଙ୍କାରୁ ଆସିଥିବା ବିଶିଷ୍ଟ ନୃତ୍ୟଶିଳ୍ପୀ ଚାନ୍ଦିନୀ କସ୍ତୁରୀ ଓ ତାଙ୍କ ଦଳ ଶ୍ରୀଲଙ୍କାର ଲୋକନୃତ୍ୟ ପରିବେଷଣ କରିଥିଲେ। କୁଳସଚିବ ଅନାମିକା ଅଧିକାରୀ ସ୍ୱାଗତ ଭାଷଣ ଓ ବିଭାଗ ମୁଖ୍ୟ ଚକ୍ରଧର ବେହେରା ଧନ୍ୟବାଦ ଦେଇଥିଲେ। ରମେଶ କୁମାର ନାୟକ, ଅଞ୍ଜନ କୁମାର ସ୍ୱାଇଁ, ଧୀରଜ୍ କୁମାର ମହାପାତ୍ର, ସମ୍ବରୁ ଶୋଭରା, ଆଶିଷ ମହାପାତ୍ର, କେ. ଦାଇମାଇ, ନୀଳାଦ୍ରି କଲ୍ୟାଣ ଦାସ, ସସ୍ମିତା କାମିଲା ଓ ଶ୍ରୁତି ମିଶ୍ର ପ୍ରମ୍ମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।