ପୁଣ୍ୟତିଥିରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଗାନ୍ଧୀ ବିଚାରକୁ କାର୍ଯ୍ୟଧାରାରେ ବିନିଯୋଗ କର

ଭୁବନେଶ୍ୱର: ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିନୋବା ସେବା ପ୍ରତିଷ୍ଠାନ, ମହିଳା ଅଧିକାର ଅଭିଯାନ, ଗାନ୍ଧୀ ବିଚାର ଅଭିଯାନ, ହ୍ୟୁମାନ୍‌ ରାଇଟ୍‌ସ ଫ୍ରଣ୍ଟ୍‌ ଏବଂ ଓଡ଼ିଶା ଗାନ୍ଧିବାଦୀ ଫୋରମ୍‌ ପକ୍ଷରୁ ଆୟୋଜିତ ଏହି ସତ୍ରରେ ‘ମହିଳାଙ୍କୁ ସମ୍ମାନ ଓ ଗାନ୍ଧିଜୀଙ୍କ ସ୍ୱପ୍ନର ଭାରତ’ ଶୀର୍ଷକ ଆଲୋଚନାଚକ୍ର କରାଯାଇଥିଲା। ମାନବାଧିକାର ପ୍ରବକ୍ତା ମନୋଜ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମରେ ବୟୋଜ୍ୟେଷ୍ଠ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ସଂପ୍ରତି ମହିଳା ସଂଘଟିତ ହେଉଥିବା ମହିଳା ବିରୋଧୀ ହିଂସା ଲଜ୍ଜାଜନକ। ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ପ୍ରସାଦ ହରିଚନ୍ଦନ ସଂପ୍ରଦାୟିକ ଭେଦଭାବ ଜାତୀୟତାର ପରିପନ୍ଥୀ ବୋଲି କହିଥିଲେ। ଓଡ଼ିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗାନ୍ଧୀଙ୍କୁ କେବଳ ପୁସ୍ତକରେ ସୀମିତ ନରଖି ବିଚାରକୁ କାର୍ଯ୍ୟଧାରାରେ ବିନିଯୋଗ କରିବାର ଆବଶ୍ୟକତା ରହିଛି। ପରେ ଅପସରପ୍ରାପ୍ତ ପ୍ରଶାସକ ଡ.ପ୍ରଦୀପ କୁମାର ରଥ, ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ‘ଗାନ୍ଧୀବାର୍ତା’ର ସ୍ୱତନ୍ତ୍ର ସଂଖ୍ୟା ସହ ଡ.ମୋହନ ଚରଣ ଖୁଣ୍ଟିଆଙ୍କ ‘ଶ୍ରୀଜଗନ୍ନାଥ ରହସ୍ୟ ନାମ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ମହିଳା ଅଧିକାର ଅଭିଯାନର ଉପାଧ୍ୟକ୍ଷା ଡ.ରୀନା ରାଉତରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ନିରୋଜ ବରଣ ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ। ପରବର୍ତୀ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା।

ରାଜ୍ୟ ଯୁବ ସାମ୍ମୁଖ୍ୟ ସମିତି ପକ୍ଷରୁ ସର୍ବଧର୍ମ ପ୍ରାର୍ଥନା ସଭା
ଭୁବନେଶ୍ୱର: ସହିଦ ଦିବସ ଅବସରରେ ରାଜ୍ୟ ଯୁବ ସାମ୍ମୁଖ୍ୟ ସମିତି ପକ୍ଷରୁ ମହାତ୍ମା ଗାନ୍ଧୀ ପାର୍କ ପରିସରରେ ସର୍ବ ଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୀତା, କୋରାନ, ଗାୟତ୍ରୀ ମନ୍ତ୍ର ଠାରୁ ଆରମ୍ଭ କରି ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନ ତୋଶ୍ର.. ପରିବେଷଣ କରାଯାଇଥିଲା। ସମିତିର ସମ୍ପାଦକ ଅଭୟ ବଡ଼ଜେନା, ମଞ୍ଜୁଶ୍ରୀ ତ୍ରିପାଠୀ, ଶୁଭଶ୍ରୀ ଭୂୟାଁ, ଗିରିଜା ଶଙ୍କର ମହାପାତ୍ର, ସୁବାଷ ମହାପାତ୍ର, ସୁକାନ୍ତ ରାଉତ, ପ୍ରହ୍ଲାଦ ସିଂହ , ବ୍ରଜବନ୍ଧୁ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ସଙ୍ଗୀତରେ ଦେଶପ୍ରେମର ବାର୍ତା

ଭୁବନେଶ୍ୱର: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟ ସହିଦ ଦିବସ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ସହିଦ ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁର ଭାଇବ୍ରେସନ ଅନୁଷ୍ଠାନର କଣ୍ଠଶିଳ୍ପୀଗଣ ବୈଷ୍ଣବ ଜନ ତୋ.. ମେରେ ଦେଶ୍‌ କି ଧର୍‌ତି ପରି ଗୋଟିଏ ପରେ ଗୋଟିଏ ଦେଶାତ୍ମବୋଧକ ସଙ୍ଗୀତ ଓ ଭଜନ ପରିବେଷଣ କରି ଦେଶପ୍ରେମର ବାର୍ତା ଦେଇଥିଲେ। ବିଭାଗୀୟ ନିର୍ଦେଶକ ଲକ୍ଷ୍ମୀଧର ମହାନ୍ତି, ଯୁଗ୍ମ ସଚିବ ମନୋଜ କୁମାର ମହାନ୍ତି, ଯୁଗ୍ମ ନିର୍ଦେଶକ ନିରଞ୍ଜନ ସେଠୀ, ଉପନିର୍ଦେଶକ ବିବେକାନନ୍ଦ ବିଶ୍ୱାଳ, ବିପିନ ବିହାରୀ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଧିକାରୀ ଦୀପ୍ତିମୟୀ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ସନ୍ତୋଷ କୁମାର ପଣ୍ଡା, ସୁରସରିତା ରାଉତ, ପ୍ରତିଭା ପ୍ରଧାନ, ଏମ୍‌. ମୁନା, ରୁଦ୍ର ମହାନ୍ତି ପ୍ରମୁଖ ସଙ୍ଗୀତ ପରିଷେଣ କରିଥିଲେ।

ସମ୍ବନ୍ଧିତ ଖବର