ଅଣଓଡ଼ିଆ ଶବ୍ଦର ବ୍ୟବହାର ସୀମା ଭିତରେ ରହୁ: ହ୍ୟୁମାନ ସାଗର

ଓଡ଼ିଆ ସଙ୍ଗୀତ ଜଗତର ସେ ଜଣେ ଉଜ୍ଜ୍ବଳତମ ତାରକା। ୨୦୧୨ରେ ତରଙ୍ଗ ଟିଭିର ରିଅଲିଟି ସୋ’ ‘ଭଏସ୍‌ ଅଫ୍‌ ଓଡ଼ିଶା ସିଜିନ୍‌-୨’ରେ ଭାଗ ନେଇ ବିଜେତା ହୋଇଥିଲେ। ଖାଲି ସେତିକି ନୁହେଁ, ପ୍ରଥମ ଚଳଚ୍ଚିତ୍ର ‘ଇସ୍କ ତୁ ହି ତୁ’ର ଟାଇଟଲ୍‌ ଟ୍ରାକ୍‌ ଗାଇ ରାତାରାତି ସେଲିବ୍ରିଟି କଣ୍ଠଶିଳ୍ପୀ ହୋଇଯାଇଥିଲେ। ପ୍ରତିଦିନ ୪ରୁ ୫ ଗୀତ ଗାଉଥିବା ଏହି କଣ୍ଠଶିଳ୍ପୀ ଗତ ୧୦ ବର୍ଷରେ ୧୦୦ରୁ ଊର୍ଧ୍ବ ଓଡ଼ିଆ ଚଳଚ୍ଚିତ୍ର ଓ ତା’ଠାରୁ ଅଧିକ ଆଲବମ୍‌ରେ କଣ୍ଠଦାନ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ଆଉ କେହି ନୁହନ୍ତି, ଓଡ଼ିଶାର ସ୍ବନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଏଥରର ସାକ୍ଷାତକାରରେ ତାଙ୍କ ସହ ସ୍ବଳ୍ପ ଆଳାପ…

କରୋନା ଓଡ଼ିଆ ସଙ୍ଗୀତ ଉପରେ କି’ ପ୍ରଭାବ ପକାଇଛି?
ଓଡ଼ିଆ ଗୀତ ଏବେ ଯଥେଷ୍ଟ ମାତ୍ରାରେ ପ୍ରସ୍ତୁତ ହେଉଛି। ସଙ୍ଗୀତ କ୍ଷେତ୍ରରେ ଓଡ଼ିଶା ବହୁତ ଆଗରେ ଅଛି। ପ୍ରତିଦିନ ମୋର ୫ରୁ ୬ଟି ଗୀତ ମୁକ୍ତିଲାଭ କରୁଛି। ଗତ ୨/୩ ବର୍ଷ ହେଲାଣି ଗୋଟିଏ ଦିନ ବି ମୁଁ ଛୁଟି ପାଇନି। ଏଥିରୁ ସ୍ପଷ୍ଟ ଅନୁମେୟ, ଓଡ଼ିଆ ସଙ୍ଗୀତ ଜଗତ ଏବେ ଏକ ଭଲ ସମୟ ଦେଇ ଗତି କରୁଛି। ଓଡ଼ିଆ ଚଳଚ୍ଚିତ୍ର ନ ହେଲେ ନାହିଁ, କିନ୍ତୁ ଗୀତ ବିଭିନ୍ନ ମାଧ୍ୟମରେ ଶ୍ରୋତାଙ୍କ ପାଖରେ ପହଞ୍ଚିବା ସହ ସଙ୍ଗୀତର ସ୍ଥିତି ଖୁବ୍‌ ଭଲ ରହିଛି।

ଓଡ଼ିଆ ଗୀତର ଧାରା ଏବେ କ’ଣ ଓ ଲୋକେ କେଉଁ ପ୍ରକାର ଗୀତ ଅଧିକ ଶୁଣୁଛନ୍ତି?
ଓଡ଼ିଶାରେ ହେଉ ଅବା ବଲିଉଡ୍ ବା ଟଲିଉଡ୍; ମଲୋଡି ସବୁ ଗୀତରେ ରହିବାର ଆବଶ୍ୟକତା ରହିଛି। ମଲୋଡି କେବେ ମରି ନାହିଁ କି ମରିବନି। ଓଡ଼ିଶାର ଶ୍ରୋତାମାନଙ୍କର ରୁଚି ଭିନ୍ନଭିନ୍ନ। କିଏ ଅଧିକ ମଲୋଡି ଥିବା ଗୀତ ପସନ୍ଦ କରେ ତ’ କିଏ ସଂପୂର୍ଣ୍ଣ ଓଡ଼ିଆ, ଆଧୁନିକ ଗୀତ ଶୁଣିବାକୁ ପସନ୍ଦ କରେ। ଓଡ଼ିଶାରେ ସବୁ ପ୍ରକାରର ଶ୍ରୋତା ରହିଛନ୍ତି, ତଥାପି ମଲୋଡି ଥିବା ଗୀତ ସାରା ବିଶ୍ବ‌ରେ ଅଧିକ ଆଦୃତି ଲାଭ କରେ। ମଲୋଡି ଥିବା ଗୀତ ହିଁ ଅଧିକ ଶ୍ରୋତା ଶୁଣିବାକୁ ପସନ୍ଦ କରୁଥିବା ଜଣାପଡ଼ିଛି।

ହ୍ୟୁମାନ ସାଗରଙ୍କୁ କିଭଳି ଗୀତ ବେଶି ପସନ୍ଦ?
୯୦ ଦଶକରେ କୁମାର ସାନୁ, ଉଦିତ ନାରାୟଣ ସାର୍‌ ଗାଇଥିବା ‌ମେଲୋଡିୟସ୍‌ ଗୀତକୁ ପସନ୍ଦ କରେ। ମେଲୋଡିୟସ୍‌ ଗୀତ ଗାଇବାକୁ ମୁଁ ପସନ୍ଦ କରେ ଓ ଶୁଣିବାକୁ ମଧ୍ୟ।

ଓଡ଼ିଆ ସଙ୍ଗୀତ ଜଗତରେ କାମ କରି ଦାମୀ ଜୀବନଶୈଳୀ ବଞ୍ଚିବା ସମ୍ଭବ?
ସମ୍ଭବ, ମୁଁ ତ ବଞ୍ଚିଛି। ଭଗବାନଙ୍କ ଆଶୀର୍ବାଦ, କଠିନ ପରିଶ୍ରମ କଲେ ସବୁ ମିଳିବ।

ଖାଲି ସମୟରେ ଆଉ କ’ଣ କରିବାକୁ ଭଲ ପାଆନ୍ତି?
ଖାଲି ସମୟ ମିଳିଲେ ମୁଁ କ୍ରିକେଟ୍‌ ଖେଳେ। କ୍ରିକେଟ୍‌କୁ ଗୀତ ଭଳି ଭଲ ପାଏ। ସାଙ୍ଗସାଥୀଙ୍କ ସହ ସମୟ ବିତାଏ। ଭ୍ରମଣ ମୋ‌ତେ ଅଧିକ ପସନ୍ଦ। ତେବେ ମୋତେ ଓଡ଼ିଶା ଭିତରେ ବୁଲିବାକୁ ବେଶି ଭଲ ଲାଗେ। ପୁରୀ, କଟକ, ଭୁବନେଶ୍ୱର ଓ ବାଲିଆପାଳ ଆଦି ଜାଗା ମୋତେ ଖୁବ୍‌ ଭଲ ଲାଗେ।

ଓଡ଼ିଆ ଗୀତରେ ଭାଷାର ଶୁଦ୍ଧତା ନେଇ ଅନେକ ସମୟରେ ଅସନ୍ତୋଷ ଦେଖାଦିଏ। ଆପଣ ଏହାକୁ କେମିତି ଦେଖନ୍ତି?
ବିରୋଧ କରିବାର କଥା ନାହିଁ। ଆପଣ ସବୁଦିନ ଧଳା ସାର୍ଟ ପିନ୍ଧୁଛନ୍ତି। ଦିନେ ଯଦି ଗୋଟେ ରଙ୍ଗିନ୍ ସାର୍ଟ ପିନ୍ଧିଲେ ଓ ଲୋକ ତାକୁ ପସନ୍ଦ କଲେ, ତେବେ ଅସୁବିଧା କେଉଁଠି? ଯଦି ଓଡ଼ିଆ ଗୀତରେ ଗୋଟେ ‘ଆଶିକ୍’ ଭଳି ଶବ୍ଦ ରହିଯାଇଛି, କିଛି ଅସୁବିଧା ନାହିଁ। ସମସ୍ତଙ୍କର ଭାବନା, ଚିନ୍ତାଧାରା, ପସନ୍ଦ ଅଲଗା ଅଲଗା। ଏସବୁ ଶ୍ରୋତା ବି ପସନ୍ଦ କରୁଛନ୍ତି। କିନ୍ତୁ ଅଣଓଡ଼ିଆ ଶବ୍ଦର ବ୍ୟବହାର ସୀମା ଭିତରେ ରହିଲେ, ଭଲ। ଅତ୍ୟଧିକ ଅଣଓଡ଼ିଆ ଶବ୍ଦର ବ୍ୟବହାର ଓଡ଼ିଆ ଗୀତର ମର୍ଯ୍ୟାଦା ହାନି କରିବ।

ଓଡ଼ିଶୀ ସଙ୍ଗୀତର ଅଧିକ ପ୍ରଚାରପ୍ରସାର ପାଇଁ ଚଳଚ୍ଚିତ୍ର ବା ମ୍ୟୁଜିକ୍ ଭିଡିଓ କିଭଳି ସାହାଯ୍ୟ କରିପାରିବ?
ବର୍ତ୍ତମାନ, ସଙ୍ଗୀତ ମହାବିଦ୍ୟାଳୟରୁ ଓଡ଼ିଶୀ ସଙ୍ଗୀତ ଶିଖିଥିବା ବହୁ ନୂତନ ସଙ୍ଗୀତ ନିର୍ଦ୍ଦେଶକ ଆସିଛନ୍ତି। ତାଙ୍କ ରଚିତ ଓଡ଼ିଶୀ ସଙ୍ଗୀତଭିତ୍ତିକ ଗୀତ ମୋତେ ଭାରି ଭଲ ଲାଗେ। ଓଡ଼ିଶୀ ସଙ୍ଗୀତରେ ଟିକେ ଆଧୁନିତକାର ଝୁଙ୍କ ଦେଇ ସିନେମା ଓ ମ୍ୟୁଜିକ୍ ଭିଡିଓରେ ସେଗୁଡ଼ିକୁ ପରିବେଷଣ କରାଗଲେ, ତାହାର ଅଧିକ ପ୍ରଚାରପ୍ରସାର ହୋଇପାରିବ।

ସମ୍ବନ୍ଧିତ ଖବର