ଭୁବନେଶ୍ୱର: ୱାର୍ଡ କାର୍ଯ୍ୟାଳୟ କରିବ କହି ବର୍ଷ ବର୍ଷ ହେଲା ଭଣ୍ଡାଉଛ। ଏବେ ୱାର୍ଡ ବଜେଟ୍‌କୁ ବି କାଟିଦେଲ। ପୂର୍ବରୁ ୧ କୋଟି ଟଙ୍କାର ୱାର୍ଡ ବଜେଟ୍ ଥିଲା। ଏହାକୁ ନେଇ ଆମେ ୱାର୍ଡ ବିକାଶର ନକ୍ସା ଆଙ୍କୁଥିଲୁ। ଏବେ ଟଙ୍କାଟିଏ ବି ସେଭଳି ବଜେଟ୍ ଦିଆଯିବନି ବୋଲି କୁହାଯାଉଛି। ଯାହା ଖର୍ଚ୍ଚ ହେବ ସହରୀ ବିକାଶ ଯୋଜନାରେ। ଏଥିପାଇଁ କର୍ପୋରେଟର କେବଳ ପ୍ରସ୍ତାବ ଦେଇପାରିବେ। ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ପାଇଁ ଯେଉଁ ପ୍ରତିଶ୍ରୁତି ମିଳିଥିଲା, ତାହା ପାଳନ କରାଯାଉନି। ୱାର୍ଡ ବିକାଶ ବି ମନ୍ଥର ପଡ଼ିଗଲାଣି। କିନ୍ତୁ ସବୁଥର ଟଙ୍କା ନାହିଁ କହି ମନ ବୁଝାଇବାକୁ ଚେଷ୍ଟା କରାଯାଉଛି। କାହିଁକି ଏଭଳି ଅଚଳାବସ୍ଥା, ଜବାବ ଦିଅ। ଯଦି କେଉଁଠି ସମସ୍ୟା ରହିଛି, ତାର ସମାଧାନ କର। ଆଜି ୩୪ତମ ବିଏମ୍‌ସି ସାଧାରଣ ପରିଷଦ ବୈଠକରେ  କର୍ପୋରେଟର୍ମାନେ ଏଭଳି ଅସନ୍ତୋଷ ଜାହିର କରିଥିଲେ। 
ଅପରପକ୍ଷେ ଏଭଳି ଦେବାଳିଆ ସ୍ଥିତିରୁ କିଛିକାଂଶରେ ବାହାରିବା ପାଇଁ ୟୁଜର୍ସ ଫି’କୁ ଅସ୍ତ୍ର କରିଛି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)। ଆଜିର ବୈଠକରେ ବସ୍ତିବାସିନ୍ଦାଙ୍କଠାରୁ ୟୁଜର୍ସ ଫି’ ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି। ସଫେଇ ବାବଦରେ ଏହି ଟଙ୍କା ଆଦାୟ କରାଯିବ। ବସ୍ତିବାସିନ୍ଦାଙ୍କଠାରୁ ଘର ପିଛା ବାର୍ଷିକ ୧୦୦ରୁ ୨୦୦ ଟଙ୍କା ଆଦାୟ କରିବାକୁ ଯୋଜନା ହେଉଛି। ଇଡ୍‌କୋ ଅଞ୍ଚଳରୁ ହୋଲ୍‌ଡିଂ ଟିକସ ଓ ଭେଣ୍ଡିଂ ଜୋନ୍‌ରୁ  ୟୁଜର୍ସ ଫି’ ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି। ଭେଣ୍ଡିଂ ଜୋନ୍ ଦୋକାନୀଙ୍କଠାରୁ ଦୈନିକ ୨୦ରୁ ୩୦ ଟଙ୍କା ଆଦାୟ ପାଇଁ ଯୋଜନା କରାଯାଉଛି।

Advertisment

ଇଡ୍‌କୋ ଅଞ୍ଚଳ ଓ ଭେଣ୍ଡିଂ ଜୋନ୍‌ରୁ ମଧ୍ୟ ଆଦାୟ ହେବ
ବିକାଶ ମନ୍ଥର ହେଉଥିବାରୁ କର୍ପୋରେଟରଙ୍କ ଅସନ୍ତୋଷ

ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର ମଞ୍ଜୁଲତା କହଁର, କମିସନର ଚଞ୍ଚଳ ରାଣାଙ୍କ ସମେତ ସମସ୍ତ କର୍ପୋରେଟର୍ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ୩୧ ନମ୍ବର ୱାର୍ଡ କର୍ପୋରେଟର୍ କୁମାରେନ୍ଦ୍ର ମହାପାତ୍ର ଡ୍ରେନ୍‌ କାମ ବିଳମ୍ବ ନେଇ ପ୍ରଶ୍ନ ଉଠାଇଥିଲେ। ୪୪ ନମ୍ବର ୱାର୍ଡ ବିଜେଡି କର୍ପୋରେଟର୍ ଅଜିତ ବେହେରା ଓ ୫୭ ନମ୍ବର ୱାର୍ଡ ବିଜେଡି କର୍ପୋରେଟର୍ ସନ୍ତୋଷ କୁମାର ସିଂହ ଭତ୍ତା ପ୍ରସଙ୍ଗ ଉଠାଇ ଜବାବ ମାଗିଥିଲେ। ବର୍ଷ ବର୍ଷ ହେଲାଣି ଟେଣ୍ଡର ସରିଥିଲେ ବି ୱାର୍ଡ କାର୍ଯ୍ୟାଳୟ ପାଇଁ କାହିଁକି ଜାଗା ଦିଆଯାଉନି ବୋଲି ପ୍ରଶ୍ନ କରିଥିଲେ। କର୍ପୋରେଟର୍‌ ଶ୍ରୀ ବେହେରା କହିଥିଲେ, ପୂର୍ବରୁ ୱାର୍ଡ ବଜେଟ୍ ୧ କୋଟି ଟଙ୍କା ଥିଲା। କିନ୍ତୁ ଏହାକୁ ୫୦ଲକ୍ଷ ଟଙ୍କାକୁ କମାଇ ଦିଆଯାଉଥିବା ଶୁଣିବାକୁ ମିଳିଛି। ଏହା ୱାର୍ଡ ବିକାଶରେ ଅନ୍ତରାୟ ସୃଷ୍ଟି କରିବ। ସେିହଭଳି ମଶାଣୀ ଉନ୍ନତୀକରଣ, ଆଲୋକୀକରଣ ବ୍ୟବସ୍ଥାରେ ବିଭ୍ରାଟ, ରାସ୍ତାଘାଟ, ଡ୍ରେନେଜ୍, ଆଇଗିଣିଆ ବଜାର ରାସ୍ତାଘାଟ ବିକାଶ ଆଦି ଉପରେ ବିଭିନ୍ନ ୱାର୍ଡର କର୍ପୋରେଟର୍‌ମାନେ ପ୍ରଶ୍ନ କରିଥିଲେ।