ଭୁବନେଶ୍ୱ: ସ୍ୱାଧୀନତା ଦିବସରୁ ରାଜ୍ୟର ସରକାରୀ ଡାକ୍ତରଖାନାଗୁଡ଼ିକରେ ବହିର୍ବିଭାଗ ରୋଗୀଙ୍କଠାରୁ ଆଉ ରେଜିଷ୍ଟ୍ରେସନ୍ ଫି’ ଆଦାୟ କରାଯିବ ନାହିଁ। ରୋଗୀ ପିଛା ସରକାର ୫ ଟଙ୍କା ହିସାବରେ ଅର୍ଥ ଦେବେ। ଏହି ଅର୍ଥ ସିଧାସଳଖ ହସ୍ପିଟାଲର ଆରକେଏସ୍ ପାଣ୍ଠିକୁ ଦିଆଯିବ। ସେହିପରି ଯେଉଁ ଏଜେନ୍ସି ରେଜିଷ୍ଟ୍ରେସନ୍ କରୁଥିଲା, ତାହା ଜାରି ରହିବ। ପୂର୍ବରୁ ରାଜ୍ୟ ସରକାର ସରକାରୀ ଡାକ୍ତରଖାନାରେ ୟୁଜର୍ସ ଫି’ ଆଦାୟକୁ ବନ୍ଦ କରିଛନ୍ତି। ଚଳିତ ବର୍ଷ ପହିଲାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ମାଗଣା ସ୍ୱାସ୍ଥ୍ୟ ଯୋଜନାର ଶୁଭାରମ୍ଭ ହୋଇଛି। ଏଥିରେ ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀମାନେ ରକ୍ତ ପରୀକ୍ଷାଠାରୁ ଆରମ୍ଭ କରି ଇସିଜି, ଡାଏଲିସିସ୍ ଓ ଅନ୍ୟାନ୍ୟ ସୁବିଧା ପାଉଛନ୍ତି। ତେବେ ଏଥିପାଇଁ ଆଦାୟ କରାଯାଉଥିବା ୟୁଜର୍ସ ଫି’କୁ ବନ୍ଦ କରାଯାଇଥିଲା। ହସ୍ପିଟାଲ ପକ୍ଷରୁ ଆଦାୟ କରାଯାଉଥିବା ଏହି ଫି’ ସିଧାସଳଖ ହସ୍ପିଟାଲର ରୋଗୀ କଲ୍ୟାଣ ସମିତି ବା ଆର୍କେଏସ୍ ପାଣ୍ଠିକୁ ଯାଇଥାଏ। ୟୁଜର୍ସ ଫି’ ଆଦାୟ ବନ୍ଦ କରିବା ପରେ ସରକାର ଏବେ ବହିର୍ବିଭାଗ ରୋଗୀଙ୍କ ପାଇଁ ରେଜିଷ୍ଟ୍ରେସନ୍ ବାବଦ ଫି’କୁ ମଧ୍ୟ ଆଦାୟ ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅପରପକ୍ଷେ, ୟୁଜର୍ସ ଫି’ ଆଦାୟ ବନ୍ଦ ହୋଇଯାଇଥିବାରୁ ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ବିଭିନ୍ନ କର୍ମଚାରୀଙ୍କୁ ଦରମା ଦେବା ଏବେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପାଇଁ ମୁସ୍କିଲ ହୋଇପଡ଼ିଛି। ଏପରି ସ୍ଥିତିରେ ରେଜିଷ୍ଟ୍ରେସନ୍ ଫି’ ଆଦାୟ ବନ୍ଦ କରାଗଲେ ସମସ୍ୟା ବଢ଼ିବାର ଆଶଙ୍କା ଦେଖାଦେଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲ ଓ ଏସ୍ସିବି ମେଡିକାଲ କଲେଜରେ ଇ-ହସ୍ପିଟାଲ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ହୋଇଛି। ହସ୍ପିଟାଲରେ ରେଜିଷ୍ଟ୍ରେସନ୍ କରୁଥିବା ସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁଁ ସରକାର ନିଜେ ଏଭଳି ବ୍ୟବସ୍ଥା ପାଇଁ ଯୋଜନା କରିଛନ୍ତି। ଏହି ବ୍ୟବସ୍ଥା ବଳରେ ଜଣେ ଘରେ ବସି ନିଜର ରେଜିଷ୍ଟ୍ରେସନ୍ କରିପାରିବା ସହ ରିପୋର୍ଟ ମଧ୍ୟ ପାଇପାରିବ। ମାତ୍ର ଦୀର୍ଘ ଦିନରୁ ଏହି ଯୋଜନା ହୋଇଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ତେଣୁ ରେଜିଷ୍ଟ୍ରେସନ୍ କରୁଥିବା ସଂସ୍ଥାର ଧାର୍ଯ୍ୟ ସମୟ ଶେଷ ହୋଇଥିଲେ ହେଁ ହସ୍ପିଟାଲ କର୍ତୃପକ୍ଷ ତାହାକୁ ବଢ଼ାଇ ଚାଲିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦେଶକ ଡା. ବି କେ ବ୍ରହ୍ମା କହିଛନ୍ତି, ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ଯେପରି କୌଣସି ଅର୍ଥ ଖର୍ଚ କରିବାକୁ ପଡ଼ିବ ନାହିଁ, ସେଥିପାଇଁ ସରକାର ଯୋଜନା କରୁଛନ୍ତି। ପୂର୍ବରୁ ୟୁଜର୍ସ ଫି’ ଆଦାୟ ବନ୍ଦ ହୋଇଥିବା ବେଳେ ଏବେ ବହିର୍ବିଭାଗ ବାବଦ ଅର୍ଥକୁ ମଧ୍ୟ ଆଦାୟ କରାଯିବ ନାହିଁ। ପ୍ରତି ବହିର୍ବିଭାଗ ରୋଗୀ ପିଛା ସରକାର ୫ ଟଙ୍କା ଦେବେ। ଏହାକୁ ଆରକେଏସ୍ ପାଣ୍ଠିକୁ ଦିଆଯିବ। ସ୍ୱାଧୀନତା ଦିବସରୁ ଏହା ଲାଗୁ ହେବାକୁ ଯାଉଥିବାରୁ ଖୁବଶୀଘ୍ର ଅର୍ଥ ଦେବାକୁ ଯୋଜନା କରାଯାଉଛି ବୋଲି ଡା. ବ୍ରହ୍ମା କହିଛନ୍ତି।