ୟୁସିକନ୍-୨୦୧୯ର ଲୋଗୋ ଉନ୍ମୋଚିତ

ଭୁବନେଶ୍ବର: ୟୁରୋଲୋଜି ସୋସାଇଟି ଅଫ ଇଣ୍ଡିଆ ବା ୟୁସିକନ୍‌-୨୦୧୯ର ସମ୍ମିଳନୀ ଆସନ୍ତା ଜାନୁଆରି ୨୩ରୁ ୨୬ତାରିଖ ପର୍ଯ୍ୟନ୍ତ ସୋଆ ପରିସରରେ ଅନୁଷ୍ଠିତ ହେବ। ଏହାର ଏକ ଲୋଗୋ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟ ପରିସରରେ ଉନ୍ମୋଚନ କରିଛନ୍ତି। ୨୦ବର୍ଷ ପରେ ରାଜ୍ୟରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ୧୯୯୯ ମସିହାରେ ଶେଷ ଥର ପାଇଁ ଏହି ସମ୍ମିଳନୀ ଓଡ଼ିଶାରେ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଆଧୁନିକ ମୂତ୍ରରୋଗ ଶଲ୍ୟଚିକିତ୍ସା ସାଧାରଣ ଲୋକଙ୍କ ଉପଯୋଗରେ’। ସମ୍ମିଳନୀରେ ଦେଶ ତଥା ଦେଶ ବାହାରର ୩ ହଜାରରୁ ଅଧିକ ୟୁରୋଲୋଜିଷ୍ଟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୟୁରୋଲୋଜି ଚିକିତ୍ସା କ୍ଷେତ୍ରରେ ଆସିଥିବା ଅତ୍ୟାଧୁନିକ ଚିକିତ୍ସା, ଲାଇଭ ଡେମୋ ସହିତ ନୂତନ ଜ୍ଞାନ କୌଶଳ ସମ୍ବନ୍ଧରେ ଏକ ମେଳା ମଧ୍ୟ ଆୟୋଜିତ ହେବ ବୋଲି ସମ୍ମିଳନୀର ସାଂଗଠନିକ ସଂପାଦକ ପ୍ରଫେସର ଡା.ଦତ୍ତେଶ୍ବର ହୋତା ସୂଚନା ଦେଇଛନ୍ତି। ରାଜ୍ୟରେ ୟୁରୋଲୋଜି ଚିକିତ୍ସା କ୍ଷେତ୍ରରେ ଏହି ସମ୍ମିଳନୀ ବିଶେଷ ସହାୟକ ହେବ ବୋଲି ବ୍ରିଗେଡିୟର ବାସୁଦେବ ରାଉତରାୟ, ଡା.ସତ୍ୟ ନାରାୟଣ ପଣ୍ଡା, ଡା.ଲକ୍ଷ୍ମୀକାନ୍ତ ସାହୁ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର