ଉତ୍କଳ ବିଶ୍ବବିଦ୍ୟାଳୟ ସ୍ବତନ୍ତ୍ର ଉତ୍ସବରେ ୨୩୭ ଜଣଙ୍କୁ ଡିଗ୍ରି ପ୍ରଦାନ

ଭୁବନେଶ୍ବର: ୨୦୧୬-୧୭ ଶିକ୍ଷାବର୍ଷରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ପିଏଚ୍‌ଡି, ଡି.ଲିଟ୍‌, ଡି.ଏସ୍‌ସି ଉପାଧି ତଥା ବିଭିନ୍ନ ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷାରେ ବିଭିନ୍ନ ବିଷୟରେ ପ୍ରଥମ ‌ଶ୍ରେଣୀରେ ପ୍ରଥମ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ ଓ ପୁରସ୍କାର ପ୍ରଦାନ କରାଯାଇଛି। ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ଉତ୍ସବରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବାୟୋରିସୋର୍ସ ଆଣ୍ଡ୍‌ ସସ୍‌ଟେନେବଲ୍‌ ଡେଭଲପ୍‌ମେଣ୍ଟର ନିର୍ଦେଶକ ତଥା ଦିଲ୍ଲୀ ବିଶ୍ବବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ପ୍ରଫେସର ଦୀନବନ୍ଧୁ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଶିକ୍ଷାକ୍ଷେତ୍ରରେ ଓଡ଼ିଶା ବହୁ ଆଗକୁ ବଢ଼ିଛି। ଶିକ୍ଷାନୁଷ୍ଠାନ ସଂଖ୍ୟା ବଢ଼ିବା ସହ ଛାତ୍ରଛାତ୍ରୀ ମଧ୍ୟ ଦେଶ ବିଦେଶରେ ନିଜର ଦକ୍ଷତା ପ୍ରତିପାଦନ କରୁଛନ୍ତି। ଏଠାରୁ ଡିଗ୍ରି ହାସଲ କରୁଥିବା ଛାତ୍ରଛାତ୍ରୀମାନେ ତାହାର ସଦ୍‌ବିନିଯୋଗ କରିବା ଦରକାର। ଯେଉଁ ଆତ୍ମବିଶ୍ବାସ ଯୋଗୁଁ ଏଭଳି ସଫଳତା ପାଇଛ ତାହାକୁ ଆଧାର କରି ଆଗକୁ ବଢ଼। ସ୍ବପ୍ନ ଦେଖିବା ସହ ତାହାକୁ ପୂରଣ କରିବା ଲାଗି କଠିନ ପରିଶ୍ରମର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ କହିଲେ ସବୁ ବେଳେ ଠିକ୍‌ ରାସ୍ତାରେ ଯିବାକୁ ଚେଷ୍ଟା କର। ଶିକ୍ଷାନୁଷ୍ଠାନରୁ ଗ୍ରହଣ କରିଥିବା ବିଦ୍ୟାକୁ ଠିକ୍‌ କାମରେ ଲଗାଇଲେ ନିଶ୍ଚିତ ସଫଳତା ମିଳିବ। ଜ୍ଞାନ ଆଗରେ ଚନ୍ଦ୍ର ବି ମଳିନ ପଡ଼ିଯିବ ‌ବୋଲି ସେ କହିଥିଲେ। ବିଶ୍ବବିଦ୍ୟାଳୟ କୁଳସଚିବ ଦୟାନିଧି ନାୟକ ସ୍ବାଗତ ଭାଷଣ ଦେଇଥି‌ବା ‌ବେଳେ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ଅତିଥି ପରିଚୟ ଦେଇଥିଲେ। ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝି ଧନ୍ୟବାଦ ଦେଇଥିଲେ। ସିଡିସି ନିର୍ଦେଶକ ପ୍ରଫେସର ସନ୍ତୋଷ ତ୍ରିପାଠୀ ଉତ୍ସବ ପରିଚାଳନା କରିଥିଲେ। ଉତ୍ସବ ଅବସରରେ ୨୩୭ ଜଣଙ୍କୁ ପିଏଚ୍‌ଡି ଡିଗ୍ରି, ୪୦ ଜଣ ଛାତ୍ରଛାତ୍ରୀଙ୍କୁ ୬୩ଟି ସ୍ବର୍ଣ୍ଣ ପଦକ ଓ ପୁରସ୍କାର ପ୍ରଦାନ କରାଯାଇଥିଲା।

ସିଟ୍‌ ମିଳିଲାନି, ଶିକ୍ଷକ ହଟହଟା
ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି ଉତ୍ସବରେ ଶିକ୍ଷକମାନଙ୍କୁ ହଟହଟା ହେବାକୁ ପଡ଼ିଛି। ଆବଶ୍ୟକ ସଂଖ୍ୟକ ସିଟ୍‌ ନଥିବାରୁ ଶିକ୍ଷକମାନେ ବସିପାରି ନଥିଲେ। ବାଧ୍ୟ ହୋଇ ପ୍ରେକ୍ଷାଳୟ ଛାଡ଼ି ପଳାଇ ଯାଇଥିଲେ। ବହୁ ଛାତ୍ରଛାତ୍ରୀ ଡିଗ୍ରି ହାସଲ କରିବାକୁ ଥିବା ବେଳେ ସେହି ଅନୁଯାୟୀ ପ୍ରସ୍ତୁତି ହୋଇ ନଥିଲା। ପ୍ରେକ୍ଷାଳୟରେ ଯେତିକି ସଂଖ୍ୟକ ସିଟ୍‌ ରହିଥିଲା ତା’ଠାରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ, ଡିଗ୍ରିଧାରୀ ଉପସ୍ଥିତ ଥିଲେ। ତେଣୁ ସମସ୍ୟା ଉପୁଜିଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଘଣ୍ଟା ଘଣ୍ଟା ଧରି ପ୍ରେକ୍ଷାଳୟ‌ରେ ଛିଡ଼ା ହୋଇ ରହିଥିଲେ।

ସମ୍ବନ୍ଧିତ ଖବର