ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ, ଛାତ୍ରଛାତ୍ରୀ ନିଜର ପରିଚୟ ସୃଷ୍ଟି କରନ୍ତୁ

ଉନ୍ମୋଚିତ ହେଲା ପ୍ଲାଟିନମ୍‌ ଜୁବଲି ଡାକଟିକଟ୍

ଭୁବନେଶ୍ବର: ଛାତ୍ରଛାତ୍ରୀ ହେଉଛନ୍ତି ବିଶ୍ବର ସୁନ୍ଦର ସୃଷ୍ଟି। ସେମାନଙ୍କ ହାତରେ ଦେଶ, ଜାତି ଓ ବିଶ୍ବର ଭବିଷ୍ୟତ। ସେମାନେ ଚାହିଲେ ନିଜ ପାଇଁ ନୂଆ ପରିଚୟ ସୃଷ୍ଟି କରିପାରିବେ। ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋ‌ଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହା କହିଛନ୍ତି। ଜବାହାରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟ, ଅକ୍ସଫୋର୍ଡ ୟୁନିଭର୍ସିଟି ଓ ମାଲେସିଆ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର୍‌ ରବୀନ୍ଦ୍ର କୁମାର ଜୈନ ଓ ଭାରତୀୟ ଡାକ ବିଭାଗ ସଚିବ ଅନନ୍ତ ନାରାୟଣ ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ପାଠପଢ଼ା ଉପରେ ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଉତ୍ସବରେ ସଭାପତିତ୍ବ କରି ଉତ୍କଳର ଗୁଣାତ୍ମକ ବିକାଶ ଓ ବିଶ୍ବବିଦ୍ୟାଳୟକୁ ବିଶ୍ବସ୍ତରୀୟ ଶିକ୍ଷାନୁଷ୍ଠାନରେ ପରିଣତ କରିବାକୁ ଆହ୍ବାନ ଦେଇଥିଲେ। ସେ କହିଥିଲେ, ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଯୋଗୁଁ ଏହା ଉତ୍କର୍ଷ ଶିକ୍ଷା କେନ୍ଦ୍ରରେ ପରିଣତ ହୋଇଛି। ଦ୍ବିତୀୟ କ୍ୟାମ୍ପସରେ ଖୁବ୍‌ଶୀଘ୍ର ପାଠପଢ଼ା ଆରମ୍ଭ ହେବାକୁ ଯାଉଛି। ରୁଷା-୨ ଓ ବିଶ୍ବବ୍ୟାଙ୍କରୁ ୧୩୮ କୋଟି ଟଙ୍କା ପାଇବା ଲାଗି ବିଶ୍ବବିଦ୍ୟାଳୟ ଯୋଗ୍ୟତା ଅର୍ଜନ କରିଛି। ସେଥିରେ ଭିତ୍ତିଭୂମି ବିକାଶ ସହ ନୂତନ ବିଭାଗ ଖୋଲିବା ଦିଗରେ ପଦକ୍ଷେପ ନିଆଯିବ। ଉତ୍ସବରେ ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ସ୍ବାଗତ ଭାଷଣ ଦେଇଥିବା ବେଳେ କୁଳସଚିବ ଦୟାନିଧି ନାୟକ ବିବରଣୀ ପାଠ କରିଥିଲେ। ଛାତ୍ର କଲ୍ୟାଣ ନିର୍ଦେଶକ ଚିନ୍ମୟ ପ୍ରଧାନ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ‘୭୫ ବର୍ଷ ଉତ୍କଳ ୟୁନିଭର୍ସିଟି’ ସ୍ମାରକୀ ଡାକ ଟିକଟ ଉନ୍ମୋଚିତ ହେବା ସହ ବିଶ୍ବବିଦ୍ୟାଳୟ ପକ୍ଷରୁ ପୂର୍ବରୁ ଆୟୋଜିତ ବିଭିନ୍ନ ବକ୍ତୃତା ଓ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସକାଳେ ୟୁନିଭର୍ସିଟି ହାଇସ୍କୁଲ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ଦ୍ବାରା ପ୍ରଭାତ ଫେରି କାର୍ଯ୍ୟକ୍ରମ ହୋଇଥିଲା।

ଖସୁ ଖସୁ ରହିଗଲା ସିଲିଂ
ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ଚାଲିଥିବା ଉତ୍ସବରେ ଏକ ବଡ଼ଧରଣର ବିପଦରୁ ରକ୍ଷା ପାଇଛନ୍ତି ରାଜ୍ୟପାଳ। ମଞ୍ଚ ଉପରେ ଉତ୍ସବ ଚାଲିଥିବା ବେଳେ ଉପରେ ଲାଗିଥିବା ଏକ ସିଲିଂ ଖସିଥିଲା। ରାଜ୍ୟପାଳ ଉତ୍ସବସ୍ଥଳରେ ଥିବା ସମୟରେ ହିଁ ଗୋଟିଏ ସିଲିଂ ଧୀରେଧୀରେ ଖସିଥିଲା। ଏହାକୁ ନେଇ ପ୍ରେକ୍ଷାଳୟରେ ଥିବା ସମସ୍ତ ବ୍ୟକ୍ତିବିଶେଷ ଆଶା ଆଶଙ୍କାରେ ଥିଲେ। ଏପରିକି କିଛି ଛାତ୍ର ମଞ୍ଚ ଉପରକୁ ଚଢ଼ି ଯାଇ ସିଲିଂ ଖସିବା କ୍ଷଣି ଉଠାଇବାକୁ ଅପେକ୍ଷା କରି ରହିଥିଲେ। ହେଲେ ସୌଭାଗ୍ୟବଶତଃ ସେଭଳି କିଛି ହେଲା ନାହିଁ। ରାଜ୍ୟପାଳ ଯିବା ପର୍ଯ୍ୟନ୍ତ ସିଲିଂ ସେଭଳି ଅଧା ଝୁଲି ରହିଗଲା।

ରାଜ୍ୟପାଳଙ୍କ ସହ ସେଲ୍‌ଫି
ଉତ୍ସବ ସରିବା କ୍ଷଣି ରାଜ୍ୟପାଳଙ୍କ ସହ ସେଲ୍‌ଫି ନେବାକୁ ଛାତ୍ରଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ପ୍ରତିଯୋଗିତା। ପେଲାଠେଲା ମଧ୍ୟରେ ସମସ୍ତେ ଆଗକୁ ବଢ଼ୁଥିଲେ। ଏପରିକି କେହି କେହି ପୁଲିସ ଅଧିକାରୀଙ୍କୁ ଧକ୍କା ମାରି ରାଜ୍ୟପାଳଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ କରୁଥିଲେ। ଏହା ଦେଖି ରାଜ୍ୟପାଳ ଶେଷରେ ପିଲାଙ୍କୁ ୫ ମିନିଟ୍‌ ସମୟ ଦେଇଥିଲେ। ଗାଡ଼ିଠାରୁ ୨୦ ମିଟର ଦୂରକୁ ଯାଇ ଛିଡ଼ା ହୋଇ ପିଲାଙ୍କ ସହ ସେଲ୍‌ଫି ନେଇଥିଲେ।

ସମ୍ବନ୍ଧିତ ଖବର