ଉତ୍କଳ ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ ନିର୍ବାଚନ ବିବାଦ

ସମାଧାନ କରିବ ୭ ଜଣିଆ କମିଟି

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଅଧ୍ୟାପକଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଅଣ୍ଟା ଭିଡ଼ିଛନ୍ତି କର୍ତୃପକ୍ଷ। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ୭ ଜଣ ପ୍ରଫେସର୍‌ଙ୍କୁ ନେଇ ଏକ କମିଟି ଗଠନ କରି ବିବାଦରେ ପୂର୍ଣ୍ଣଛେଦ ଟାଣିବାକୁ ଉଦ୍ୟମ କରିଛନ୍ତି। ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା କମିଟିରେ ସ୍ନାତକୋତ୍ତର ଆଇନ ବିଭାଗର ପ୍ରଫେସର୍‌ ମଧୁସୂଦନ ଦାସଙ୍କୁ ଆବାହକ ଭାବେ ନିଯୁକ୍ତି ଦିଆଯାଇଛି। ଏହି କମିଟିରେ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦର ଉପଦେଷ୍ଟା, ସିଡିସି ନିର୍ଦେଶକ, ହଷ୍ଟେଲ ୱାଡେନ୍‌, ଛାତ୍ର କଲ୍ୟାଣର ନିର୍ଦେଶକ ଓ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌ ସଦସ୍ୟ ପ୍ରଫେସର ଅଶ୍ବିନୀ କୁମାର ଦାଶ ସଦସ୍ୟ ରହିଛନ୍ତି।

ପିଜି କାଉନସିଲ୍‌ ଅଧ୍ୟକ୍ଷ କମିଟିର ଅଧ୍ୟକ୍ଷ
୨୪ ତାରିଖ ସୁଦ୍ଧା ଦେବେ ରିପୋର୍ଟ

କୁଳପତି ପ୍ରଫେସର ପଟ୍ଟନାୟକ ଗଠନ କରିଥିବା ଏହି କମିଟି ୨୪ ତାରିଖ ଭିତରେ ରି‌ପୋର୍ଟ ପ୍ରଦାନ କରିବେ। ବର୍ତମାନ କ୍ୟାମ୍ପସରେ ସୃଷ୍ଟି ହୋଇଥିବା ବିବାଦ ଓ ତା‌ହାର ସମାଧାନ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ଆହୁରି ସ୍ପଷ୍ଟ ଭାବେ କୁହାଯାଇଛି ଯେ ଅଧ୍ୟାପକମାନଙ୍କ ବିବାଦ କେବଳ ଦୁଇ ଶିକ୍ଷକ ଗୋଷ୍ଠୀ ମଧ୍ୟରେ ଆଲୋଚନା କରାଯାଇ ସମାଧାନ ହେବନି; ବିବାଦ ଭିତରେ ଆସୁଥିବା ପ୍ରତିଟି ବ୍ୟକ୍ତିବିଶେଷ, ଛାତ୍ରଛାତ୍ରୀଙ୍କୁ ବି ସାମିଲ କରାଯିବ। ସେମାନଙ୍କଠାରୁ ମତାମତ ଲୋଡ଼ାଯିବ। ଏକପାଖିଆ ନିଷ୍ପତ୍ତି ନ ନେବାକୁ ବି କୁହାଯାଇଛି। ରିପୋର୍ଟ ମିଳିବା ପରେ ପରବର୍ତୀ ପଦକ୍ଷେପ ନିଆଯିବ। ଅନ୍ୟପକ୍ଷରେ ୮ ଦିନ ଧରି କ୍ୟାମ୍ପସରେ ବିବାଦ ଲାଗି ରହିଥିବା ବେଳେ କୁଳପତି ଓ କୁଳସଚିବ ଆଜି ହଠାତ୍‌ କାହିଁକି ଚେଇଁ ଉଠିଲେ ‌ବୋଲି ପ୍ରଶ୍ନ ଉଠିଛି। ଗୋଟିଏ ଶିକ୍ଷକ ଗୋଷ୍ଠୀ ନିଷ୍ପତ୍ତିକୁ କଡ଼ା ବିରୋଧ କରିଛନ୍ତି। ଅଧ୍ୟାପକମାନଙ୍କୁ ଆକ୍ରମଣ କରିଥିବା ଯୁବକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ବିବାଦରେ ପୂର୍ଣ୍ଣଛେଦ ପଡ଼ିବ ନାହିଁ। ପୂର୍ବରୁ ଅନେକ ବିବାଦ ନେଇ ପିଜି କାଉନସିଲ୍‌ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତା‌ରେ କମିଟି ଗଠିତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗୋଟିଏ ବି କମିଟିର ରିପୋର୍ଟ ମିଳିନି। ସମସ୍ୟାର ବି ସମାଧାନ ହୋଇନି।

ସମ୍ବନ୍ଧିତ ଖବର