ଭୁବନେଶ୍ୱର : ହେଭେନ୍ସ ଗ୍ରୁପ୍ ପକ୍ଷରୁ ଆଜି ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଥିବା ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ‘ଏ ମେରେ ହମ୍ ସଫର’। ସଙ୍ଗୀତ ଦୁନିଆର ବାଦ୍ସାହା ଉଦିତ ନାରାୟଣ ୯୦ଦଶକରେ ଗାଇଥିବା ହିନ୍ଦୀ ଗୀତଗୁଡ଼ିକୁ ଆଜି ଦର୍ଶକଙ୍କୁ ଭେଟି ଦେଇଥିଲେ ଗ୍ରୁପ୍ର ସଦସ୍ୟମାନେ। ସନ୍ଧ୍ୟାର ପ୍ରଥମ ସଂଗୀତ ପରିବେଷଣ କରିଥିଲେ ଏନ୍.ଶ୍ରୀନିବାସ। ସେ ଗାଇଥିଲେ ‘ଏ ପ୍ୟାରମେ କୁଁ୍ୟ ହୋତା ହେ..’। ପରେ ପରେ ଗାଇଥିଲେ ‘ପାପା କେହେ ତେ ହେଁ ବଡ଼ା ନାମ୍ କରେ ଗା..’। ସନ୍ଧ୍ୟାର ତୃତୀୟ ଗୀତ ଦର୍ଶକଙ୍କୁ ଭେଟି ଦେଇଥିଲେ ‘ଏ ମେରେ ହମ୍ ସଫର..’, ତୁମ୍ହାରେ ସାମ୍ନେ..’। ପରେ ହରପ୍ରିୟା, ଦୁର୍ଗାଶ୍ରୀ, ମମତା, ବାର୍ବୀ, ପ୍ରତୀତି ଓ ଦେବାନନ୍ଦ ପ୍ରମୁଖ ନିଜ କଣ୍ଠ ଯାଦୁରେ ଶ୍ରୋତାଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ। ସେମାନଙ୍କୁ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ଚିନ୍ତାମଣି ମିଶ୍ର, ବାବୁଲ, ରଞ୍ଜନ କୁମାର, ସଞ୍ଜୟ, ରାଜୁ ଭାଇ, ସାନୁ ଓ ଚନ୍ଦ୍ରକାନ୍ତ।
ଏହି ଅବସରରେ ବିଶିଷ୍ଟ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ଡ.ଚିତ୍ତରଞ୍ଜନ ପାଣି, ବିଶିଷ୍ଟ ଓଡ଼ିଶୀ ସଙ୍ଗୀତ ଗୁରୁ ବିଜୟ କୁମାର ଜେନା, ଗୀତିକାର ସଚ୍ଚି ମହାନ୍ତି ଓ ହେଭେନ୍ସ ଗ୍ରୁପ୍ର ପରିଚାଳନା ଟ୍ରଷ୍ଟି ସୁଶାନ୍ତ ପଣ୍ଡା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ବିଶିଷ୍ଟ କ୍ରୀଡ଼ାବିତ୍ ସସ୍ମିତା ଦାଶ ଏବଂ ସମାଜସେବୀ ବିଷ୍ଣୁ ମୋହନ ରଥଙ୍କୁ ସମ୍ମାନିତ କରାଯାଇଥିଲା। ନଦୀମ ଗୁଲସନ୍ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।