ଏମ୍‌ସରେ ଗର୍ଭାଶୟ କର୍କଟ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର : ଭୁବନେଶ୍ବର ଏମ୍‌ସର ସ୍ତ୍ରୀ ଓ ପ୍ରସୂତି ବିଭାଗ ପକ୍ଷରୁ ଗର୍ଭଗୃହ କର୍କଟ (ସର୍ଭିକାଲ କ୍ୟାନ୍‌ସର୍‌) ସଂପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସର୍ଭିକାଲ୍‌ କର୍କଟର କାରଣ, ନିରାକରଣ ସହ କିପରି ଏହା ବ୍ୟାପିଥାଏ, ତାହା ବିସ୍ତୃତ ଭାବେ ସୂଚନା ଦିଆଯାଇଥିଲା। ଗର୍ଭଗୃହ କର୍କଟ ଟିକାକରଣ ଓ ଶୀଘ୍ର ଚିହ୍ନଟ ଦ୍ବାରା ଭଲ ହୋଇପାରିବ। ରୋଗୀମାନଙ୍କ ଝିଅମାନଙ୍କୁ ଏହି ରୋଗରୁ ରକ୍ଷା କରିବା ପାଇଁ ପ୍ରାଥମିକ ସୁରକ୍ଷା ସ୍ବରୂପ ହ୍ୟୁମାନ ପାପିଲୋମା ଭାଇରସ୍(ଏଚ୍‌ପିଭି) ଟିକା ଦେବାକୁ ପରାମର୍ଶ ଦିଆଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟ ସୁରକ୍ଷା ପାଇଁ ସର୍ଭିକାଲ୍‌ କ୍ୟାନ୍‌ସର ସ୍କ୍ରିନିଂ କରିବାକୁ ସଚେତନ କରାଯାଇଥିଲା। ୧୫ ବର୍ଷ ସୁଦ୍ଧା କିଶୋରୀମାନଙ୍କୁ ଟିକା ପ୍ରଦାନ, ୩୫-୪୫ବର୍ଷର ମହିଳାଙ୍କୁ ସ୍କ୍ରିନିଂ ଓ ଚିକିତ୍ସା ପ୍ରଦାନ ପୂର୍ବକ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଦିଆଯାଇଥିବା ମାର୍ଗଦର୍ଶିକା ଅନୁସାରେ ଏମ୍‌ସର ସ୍ତ୍ରୀ ଏବଂ ପ୍ରସୂତି ବିଭାଗ ପକ୍ଷରୁ ଚିକିତ୍ସା କରିବାକୁ ଶପଥ ନିଆଯାଇଥିଲା।

ଏମ୍‌ସରେ ବିପିଏଲ୍‌ ବର୍ଗର ମହିଳାଙ୍କୁ ସପ୍ତାହର ପ୍ରତି ସୋମବାରରୁ ଶନିବାର ମାଗଣାରେ ସର୍ଭିକାଲ୍‌ କର୍କଟ ରୋଗ ନିରୂପଣ ନିମନ୍ତେ ସ୍କ୍ରିନିଂ କରାଯାଉଛି। ଏହି ଅବସରରେ ଏମ୍‌ସ ଭୁବନେଶ୍ବରର କମ୍ୟୁନିଟି ମେଡିସିନ୍‌ ଏବଂ ଫ୍ୟାମିଲ୍‌ ମେଡିସିନ୍‌ (ସିଏମ୍‌ଏଫଏମ୍‌) ପକ୍ଷରୁ ଇଣ୍ଡିଆନ୍‌ ଆସୋସିଏସନ୍‌ ଅଫ୍‌ ପ୍ରିଭେଣ୍ଟିଭ୍‌ ଏଣ୍ଡ୍‌ ସୋସିଆଲ୍‌ ମେଡିସିନ୍‌ (ଆଇଏପିଏସଏମ) ସହ ମିଳିତ ସହଭାଗିତାରେ ଏକ ୱେବିନାର୍‌ ଅନୁଷ୍ଠିତ ହୋଇଥିଲା। ଏଥିରେ ଏମ୍‌ସର ନିର୍ଦ୍ଦେଶିକା ଡ. ଗୀତାଞ୍ଜଳି, ଆଇଏପିଏସଏମ ଭାରତ ‌ସଭାପତି ଡ. ସୁନୀଳା ଗର୍ଗ, ଏନଆଇସିପିଆର ନ୍ୟୁଦିଲ୍ଲୀ ନିର୍ଦ୍ଦେଶିକା ଡ. ଶାଳିନୀ ସିଂ, ଏମ୍‌ସ ଭୁବନେଶ୍ବର ସିଏମଏଫଏମ ବିଭାଗୀୟ ମୁଖ୍ୟ ଡ. ସୋନୁ ଏଚ୍‌ ସୁବା ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ।

ଏମ୍‌ସ ଭୁବନେଶ୍ବରର ସ୍ତ୍ରୀ ଏବଂ ପ୍ରସୂତି ବିଭାଗ ପ୍ରଫେସର୍‌ ସୌଭାଗ୍ୟ କୁମାର ଜେନା, ଅତିରିକ୍ତ ପ୍ରଫେସର ଡ. ଶ୍ବେତା ସିଂ, ଡ. ପୃଥ୍ବୀରାଜ ସେଠୀ ଏବଂ ଡ. ଦୀପ୍ତି ବାଲକ୍ରିଷ୍ଣନ୍‌ ପ୍ରମୁଖଙ୍କ ସମେତ ଡ. ଯଶ୍ମିନା ବେଗମ୍‌, ଡ. ସୁବର୍ଣ୍ଣ ମିତ୍ର, ଡ. ଧରିତ୍ରୀ ସ୍ବାଇଁ, ଡ. ସ୍ମିତା, ନର୍ସିଂ ଅଧିକାରୀ ରାଜଲକ୍ଷ୍ମୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର