ଉଠାଦୋକାନୀ ସଂଘର ବିକ୍ଷୋଭ

ଭୁବନେଶ୍ବର : ଉଚ୍ଛେଦ ହେଉଥିବା ଉଠା ଦୋକାନୀଙ୍କ ଥଇଥାନ ଦାବି କରି ଆଜି ଭୁବନେଶ୍ବର ଉଠାଦୋକାନୀ ସଂଘ ବିଏମ୍‌ସି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି। ବିକ୍ଷୋଭ ପ୍ରଦର୍ଶନ କରିବା ସହ ସଂଘ ବିଏମ୍‌ସି କମିସନରଙ୍କୁ ଦାବିପତ୍ର ପ୍ରଦାନ କରିଛି। ଏହାର ଏକ ନକଲ ଭୁବନେଶ୍ବର ସିଭିଲ ଜଜ୍‌ଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ଆଜିର ବିକ୍ଷୋଭ ପ୍ରଦର୍ଶନରେ ମାଷ୍ଟର କ୍ୟାଣ୍ଟିନ ଛକ, ୧ନଂ ଥାନା ପାର୍ଶ୍ବ ଗଳି, ନିକୋ ପାର୍କ ରୋଡ୍‌ ଏବଂ ବାୟାବାବା ମଠ ଛକ ଉଠାଦୋକାନୀମାନେ ସାମିଲ୍‌ ହୋଇଥିଳେ।

ସଂଘର ଅଭିଯୋଗ ଅନୁସାରେ ଉଠା ଦୋକାନୀ ବିକାଶ ସୁରକ୍ଷା ଓ ପଥ ବିକ୍ରେତା ଆଇନକୁ ପାଳନ କରିବା ବିଏମ୍‌ସିର ଦାୟିତ୍ବ। ଏହି ଆଇନ ଅନୁଯାୟୀ ଉଠାଦୋକାନୀମାନଙ୍କର ସର୍ଭେ କରି ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବା କଥା। ମାତ୍ର ତାହା କରାଯାଉନାହିଁ। ସବୁଠାରୁ ବଡ କଥା ହେଲା ସେମାନଙ୍କ ମଧ୍ୟରୁ କେତେକଙ୍କୁ ପରିଚୟ କୁପନ ମିଳିଥିବା ବେଳେ ସେମାନଙ୍କ ନାଁ ବିଏମ୍‌ସି ଓ୍ବେବ୍‌ସାଇଟରେ ନାହିଁ। ଉଠାଦୋକାନୀମାନଙ୍କୁ ଥଇଥାନ କରିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯାଉନାହିଁ। ମାତ୍ର ସ୍ମାର୍ଟ ସିଟି ନାଁରେ ଉଠା ଦୋକାନ ଭାଙ୍ଗି ଦିଆଯାଉଛି। ଭେଣ୍ଡିଂ କମିଟି ଡାକି ଦୋକାନ ବଣ୍ଟନ କରିବା ପାଇଁ ସଂଘ ଦାବିପତ୍ରରେ ଜଣାଇଛି।

ସମ୍ବନ୍ଧିତ ଖବର