ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତଣ୍ଟିରେ କଣ୍ଟା ଭଳି ଅଟକିଥିବା ୟୁଟିଲିଟି ସେଣ୍ଟର୍‌ର କିଛି ଦୋକାନୀଙ୍କୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ହୋଇଛି। କିଛି ଦୋକାନୀ ବର୍ଷବର୍ଷ ଧରି ଲକ୍ଷାଧିକ ଟଙ୍କା ବାକି ରଖିଛନ୍ତି। ଆଜି କ୍ୟାପିଟାଲ ହସ୍ପିଟାଲର ରୋଗୀ କଲ୍ୟାଣ ସମିତି (ଆର‌କେଏସ୍‌) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଜିର ଆର୍‌କେଏସ୍‌ ବୈଠକରେ ଅଧିକାଂଶ ଆଲୋଚନାର ବିଷୟ ପୁରୁଣା ରହିଥିଲା। ୩୦୦ ଶଯ୍ୟା ବିଶିଷ୍ଟ ରୋଗୀ ପ୍ରତୀକ୍ଷା ଗୃହ, ରାଜ୍ୟ ଜନସ୍ବାସ୍ଥ୍ୟ ପରୀକ୍ଷାଗାର, ନୂଆ ସବ୍‌-ଷ୍ଟୋର ନିର୍ମାଣ, ସମସ୍ତ ଶଯ୍ୟାକୁ ଗ୍ୟାସ୍ ପାଇପ ଲାଇନ୍ ଯୋଗାଣ, ମଡ୍ୟୁଲାର କିଚେନ୍, କ୍ୟାମ୍ପସ ପରିସରରେ ୱାର୍କସପ୍ ନିର୍ମାଣ, ମେକାନାଇଜ୍‌ଡ ଲଣ୍ଡ୍ରି ଓ କର୍କଟ ଯତ୍ନ କେନ୍ଦ୍ର ଉପରେ ଆଲୋଚନା କରାଯାଇଛି।

Advertisment

ଏହାବାଦ୍ ହସ୍ପିଟାଲ ପରିସରରେ ମୋବାଇଲ ଟାୱାର୍‌ ନିର୍ମାଣ, ସାଇକେଲ ଷ୍ଟାଣ୍ଡ ଓ ଆରକେଏସ୍‌ର ଆର୍ଥିକ ସ୍ଥିତି ଉପରେ ଅଧିକାରୀମାନେ ଗୁରୁତ୍ବ ଦେଇଥିଲେ। ବୈଠକରେ ଖୋର୍ଧା ଜିଲ୍ଲାପାଳ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା, ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ।