ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ ଆଜି: ବିକାଶଧାରାକୁ ଫେରିବ ବିଶ୍ବବିଦ୍ୟାଳୟ

ବିଦେଶୀଙ୍କ ପାଇଁ ଖୋଲିବ ସ୍ବତନ୍ତ୍ର ପାଠ୍ୟକ୍ରମ, ପ୍ରତିଷ୍ଠା ହେବ ପ୍ରେକ୍ଷାଳୟ, ବଢ଼ିବ ସୌନ୍ଦର୍ଯ୍ୟ

ଭୁବନେଶ୍ବର: ୧୯୯୯ ମସିହାରେ ପ୍ରତିଷ୍ଠା ହୋଇଥିବା ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ୨୧ ବର୍ଷରେ ପଦାର୍ପଣ କରିବ। ଦେଶର ପ୍ରଥମ ସଂସ୍କୃତି ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଥିବା ଏହି ଶିକ୍ଷାନୁଷ୍ଠାନ ରାଜ୍ୟର ଅନ୍ୟ ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକ ତୁଳନାରେ ପଛରେ ପଡ଼ିଛି। ପର୍ଯ୍ୟାପ୍ତ ଭିତ୍ତିଭୂମି ଥିଲେ ମଧ୍ୟ ବିକାଶ ହୋଇପାରୁ ନାହିଁ। ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଅଧାରେ ରହିଛି। ତିନି ବର୍ଷ ହେଲା ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢ଼ି ପାରୁନି। ୟୁଜିସିର ୧୨(ବି)ରେ ସାମିଲ ହେବା ଏକପ୍ରକାର ସ୍ବପ୍ନ ପାଲଟିଛି। ଏଭଳି ସମୟରେ ବିଶ୍ବବିଦ୍ୟାଳୟର ବିକାଶଧାରାକୁ ଆଗକୁ ନେବା ପାଇଁ କର୍ତୃପକ୍ଷ ସ୍ବପ୍ନ ଦେଖାଇଛନ୍ତି। ନୂତନ ପାଠ୍ୟକ୍ରମ ଖୋଲିବା ସହ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ବି ଯୋଜନା ପ୍ରସ୍ତୁତ ହୋଇଛି।

ଭୁବନେଶ୍ବର ଉପକଣ୍ଠ ମଦନପୁରଠାରେ ଥିବା ବିଶ୍ବବିଦ୍ୟାଳୟର କ୍ୟାମ୍ପସର ସୌନ୍ଦର୍ଯ୍ୟୀକରଣ କରିବା ପାଇଁ ୫ ବର୍ଷ ହେଲା ଯୋଜନା ଚାଲିଛି। ଦୁଇ ଜଣ କୁଳପତି ଇତିମଧ୍ୟରେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସୌନ୍ଦର୍ଯ୍ୟୀକରଣ ଆଗେଇ ପାରିନି। ଏବେ ପୁଣି କ୍ୟାମ୍ପସର ସୌନ୍ଦର୍ଯ୍ୟକରରଣ କରିବାକୁ କର୍ତୃପକ୍ଷ ଅଣ୍ଟା ଭିଡ଼ିଛନ୍ତି। କ୍ୟାମ୍ପସରେ ପ୍ରେକ୍ଷାଳୟ ନ ଥିବାରୁ ସଭା, ସମିତି, ଉତ୍ସବ, କର୍ମଶାଳା ଆଦି କରାଯାଇ ପାରୁନାହିଁ। ତେଣୁ କ୍ୟାମ୍ପସ ପରିସରରେ ଏକ ବିଶାଳ ପ୍ରେକ୍ଷାଳୟ ନିର୍ମାଣ କରିବାକୁ ଯୋଜନା ହୋଇଛି। ଏଥିସହ ଆମ୍ଫି ଥିଏଟର ମଧ୍ୟ ପ୍ରତିଷ୍ଠା କରାଯିବ। ଆନ୍ଥ୍ରୋପୋଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ତିଆ (ଏଏନ୍‌ଏସ୍‌ଆଇ)ର ଏକ କାର୍ଯ୍ୟାଳୟ କ୍ୟାମ୍ପସ ପରିସରରେ କାର୍ଯ୍ୟ କରିବ। ଏଏନ୍‌ଏସ୍‌ଆଇ କର୍ତୃପକ୍ଷ କିଛି ଦିନ ତଳେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଥିଲେ। ଉଚ୍ଚତର ଗବେଷଣା କାର୍ଯ୍ୟ ପାଇଁ କ୍ୟାମ୍ପସ ପରିସରରେ ଏଏନ୍‌ଏସ୍‌ଆଇର ଏକ କାର୍ଯ୍ୟାଳୟ କାମ କରିବା ନିହାତି ଜରୁରି ବୋଲି ଚିଠିରେ ଉଲ୍ଲେଖ ରହିଥିଲା। ତେଣୁ କ୍ୟାମ୍ପସରେ ସ୍ବତନ୍ତ୍ର ସ୍ଥାନ ‌ଦେବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ଅନେକ ବିଦେଶୀ ପର୍ଯ୍ୟଟକ ବିଶ୍ବବିଦ୍ୟାଳୟକୁ ପରିଦର୍ଶନରେ ଆସୁଛନ୍ତି। ‌କେତେଜଣ ବିଦେଶୀ ଛାତ୍ରଛାତ୍ରୀ ଏଠାରେ ଗବେଷଣା ଓ ଅଧ୍ୟୟନ କରିବାକୁ ଚାହୁଛନ୍ତି। ତାହାକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ସ୍ବଳ୍ପକାଳୀନ ପାଠ୍ୟକ୍ରମ ତଥା ସ୍ବତନ୍ତ୍ର ବିଭାଗ ଖୋଲିବାକୁ ଯୋଜନା କରିଛନ୍ତି।
ଅନ୍ୟପକ୍ଷରେ ଦୀର୍ଘବର୍ଷ ଧରି ଚାଲିଥିବା ଏକାଡେମିକ ବ୍ଲକ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ୫ଟି ବିଲଡିଂ ମଧ୍ୟରୁ ଦୁଇଟି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଶନିବାର ବିଶ୍ବବିଦ୍ୟାଳୟର ୨୧ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଉକ୍ତ ଦୁଇଟି ଏକାଡେମି ବ୍ଲକ୍‌ ସହ ଏକ କଳାକୃତି ପ୍ରଦର୍ଶନୀ ଉଦ୍‌ଘାଟନ ହେବ। ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିବେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଭାଗୀୟ ଶାସନ ସଚିବ ତଥା ଭାରପ୍ରାପ୍ତ କୁଳପତି ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ ବିଜୟ ନାୟକ ପ୍ରମୁଖ ଉତ୍ସବରେ ଯୋଗଦେବେ। ବାକି ୩ଟି ବିଲଡିଂ କାର୍ଯ୍ୟ ଖୁବ୍‌ଶୀଘ୍ର ଶେଷ ହୋଇ ଉଦ୍‌ଘାଟିତ ହେବ ବୋଲି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର