ଭୁବନେଶ୍ବର: ୧୯୯୯ ମସିହାରେ ପ୍ରତିଷ୍ଠା ହୋଇଥିଲା ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ। ଦେଶର ପ୍ରଥମ ସଂସ୍କୃତି ବିଶ୍ବବିଦ୍ୟାଳୟ ଭାବେ ଭୁବନେଶ୍ବରରେ ମୁଣ୍ଡ ଟେକିଥିବା ଏହି ଶିକ୍ଷାନୁଷ୍ଠାନ ପାଳନ କରିବାକୁ ଯାଉଛି ୨୦ତମ ପ୍ରତିଷ୍ଠା ଦିବସ। ଅନେକ ଘାତ ପ୍ରତିଘାତ ମଧ୍ୟରେ ଗତି କରୁଥିବା ଏହି ବିଶ୍ବବିଦ୍ୟାଳୟ ସ୍ଥିତି ଏବେ ବି ଟଳମଳ ରହିଛି। ଭିତ୍ତିଭୂମି ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନି। ଏକାଡେମିକ୍ କୋଠାଗୁଡ଼ିକ ପୂର୍ଣ୍ଣାଙ୍ଗ ରୂପ ନେଇପାରୁ ନଥିବାରୁ ପାଠପଢ଼ା ସ୍ବାଭାବିକ ହୋଇପାରୁନି। ସବୁ କିଛି ଅଧାପନ୍ତରିଆ ହୋଇ ପଡ଼ିରହିଛି। ‘ଇଡ୍କୋ’ ପକ୍ଷରୁ ବିଶ୍ବବିଦ୍ୟାଳୟ କାମ ଠିକ୍ ସମୟରେ ହେଉ ନଥିବାରୁ ଏବେ ସମସ୍ୟା ସୃଷ୍ଟି ହୋଇଛି। ସଂସ୍ଥାର ଖାମଖିଆଲି ମନୋଭାବ ଯୋଗୁଁ ଯେଉଁଠି ଛାତ୍ର ରହୁଛନ୍ତି ସେହି କୋଠାରେ ଦୁଇ ବର୍ଷ ହେଲା ପାଠପଢ଼ା ଚାଲିଛି। ସବୁଠାରୁ ବିଚିତ୍ର କଥା ହେଉଛି ଯେ ଦୁଇ ବର୍ଷ ହେଲା ସ୍ଥାୟୀ କ୍ୟାମ୍ପସ ‘ସଂସ୍କୃତି ବିହାର’ରେ ଛାତ୍ରଛାତ୍ରୀ ରହୁଥିଲେ ମଧ୍ୟ ପାଣି ସମସ୍ୟାର ସମାଧାନ ହୋଇପାରିନି। କ୍ୟାମ୍ପସ ପରିସରରେ ଏକ ପାଣି ଟାଙ୍କି କରାଯାଇଥିଲେ ମଧ୍ୟ ତା’ଉପରକୁ ପାଣି ଯାଉନି। ଟାଙ୍କି କେବଳ ପ୍ରତିଷ୍ଠା ହୋଇ ପଡ଼ିରହିଛି। ଲକ୍ଷାଧିକ ଟଙ୍କାରେ ନିର୍ମାଣ ହୋଇଥିବା ଏହି ଟାଙ୍କି କାର୍ଯ୍ୟକ୍ଷମ ହେବା ପଛରେ ଇଡକୋର ଆନ୍ତରିକତା ନେଇ ପ୍ରଶ୍ନବାଚ୍ଚୀ ସୃଷ୍ଟି ହୋଇଛି। ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ବାରମ୍ବାର ଚିଠି ଲେଖିବା ପରେ ବି କିଛି ଫଳ ମିଳୁନି। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ୧୨(ବି)ରେ ସାମିଲ ହେବା ପାଇଁ ଦେଢ଼ ବର୍ଷ ହେଲା ଉଦ୍ୟମ ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସଫଳତା ମିଳିନି। ଏପର୍ଯ୍ୟନ୍ତ ୩୦ ଜଣ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ହୋଇପାରି ନାହାନ୍ତି। ପୂର୍ବରୁ ଦୁଇଥର ପ୍ରକ୍ରିୟା ଅଧାରୁ ବାତିଲ୍ ହୋଇଥିବା ବେଳେ ଏଥର କିଛି ବାଟ ଆଗେଇଥିଲା। ହେଲେ ୨୦୧୮ରେ ସୁପ୍ରିମକୋର୍ଟରେ ମାମଲା ରହିଥିବାରୁ ଦେଶର ସମସ୍ତ ବିଶ୍ବବିଦ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି। ତେଣୁ କେବେ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ ଏବଂ ୟୁଜିସି ୧୨(ବି)ରେ ବିଶ୍ବବିଦ୍ୟାଳୟ ସାମିଲ ହେବ ତାହା ଏବେ ସ୍ବପ୍ନ ପାଲଟିଛି।
ଏହାରି ଭିତରେ ବିଶ୍ବବିଦ୍ୟାଳୟ ଶିକ୍ଷାଦାନ ପ୍ରଣାଳୀରେ କିଛିଟା ଉନ୍ନତି ଆଣିବାକୁ ଉଦ୍ୟମ ହୋଇଛି। ୨୦୧୯-୨୦ ଶିକ୍ଷାବର୍ଷରୁ ଓଡ଼ିଆ ଭାଷା ଓ ସାହିତ୍ୟ ପିଜି ବିଭାଗ ଖୋଲିବା ପାଇଁ ବିଶ୍ବବିଦ୍ୟାଳୟ ପରିଚାଳନା ବୋର୍ଡ ବୈଠକରେ ସ୍ଥିର ହୋଇଛି। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ପରେ ଏହି ବିଭାଗ ଖୋଲିବା ଲାଗି ଘୋଷଣା କରାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ଏବେ ପରିଚାଳନା ବୋର୍ଡର ମୋହର ବାଜିଥିବାରୁ ଏବେ ସମ୍ଭାବନା ସୃଷ୍ଟି ହୋଇଛି। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର କମଳ କାନ୍ତ ମିଶ୍ର କହିଛନ୍ତି ଯେ କ୍ୟାମ୍ପସ ବିକାଶ ଦିଗରେ କାର୍ଯ୍ୟ ହେଉଛି। ଭିତ୍ତିଭୂମିରେ କିଛିଟା ଅସୁବିଧା ରହିଛି। ତଥାପି ତାହାରି ଭିତରେ କ୍ୟାମ୍ପସର ୯୦ ପ୍ରତିଶତ ପାଚେରି କାର୍ଯ୍ୟ ଶେଷ ହୋଇଛି। ଯେଉଁ ୧୦ ପ୍ରତିଶତ ରହିଛି ସେ ସଂପର୍କରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା ଚାଲିଛି। ଖୁବ୍ଶୀଘ୍ର ସମସ୍ୟାର ସମାଧାନ ହେବ। ଦୁଇଟି ଏକାଡେମିକ୍ ବ୍ଲକ ଆମକୁ ହସ୍ତାନ୍ତର ହୋଇନି। ଏହା ମିଳିବା ପରେ ପାଠପଢ଼ା ସରଳ ଓ ସହଜ ହୋଇପାରିବ। ଛାତ୍ରଛାତ୍ରୀଙ୍କୁ ଭଲ ନିଯୁକ୍ତି ସୁଯୋଗ ମିଳୁଛି। ଆଦର୍ଶ ବିଦ୍ୟାଳୟରେ ସଙ୍ଗୀତ ଶିକ୍ଷକ ଭାବେ ଏଠାକାର ପିଲା ନିଯୁକ୍ତି ପାଉଛନ୍ତି। ଜାତୀୟ ଓ ଆନ୍ତର୍ଜାତୀୟସ୍ତରୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବରେ ପିଲାମାନେ ଭାଗ ନେଇ ବିଶ୍ବବିଦ୍ୟାଳୟକୁ ଗୌରାବାନ୍ବିତ କରୁଛନ୍ତି।