ଚନ୍ଦ୍ରଶେଖରପୁର: କିଟ୍ ଓ କିସ୍ ପକ୍ଷରୁ ୮୮ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କିଟ୍ ଓ କିସ୍ ପକ୍ଷରୁ ଉତ୍କଳର ବରପୁତ୍ରମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ପରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନର ସ୍ମୃତିଚାରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କିସ୍ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ କହିଲେ, ଆଜକୁ ୮୮ବର୍ଷ ତଳେ ଓଡ଼ିଶା ପ୍ରଥମ ଭାଷା ଭିତ୍ତିକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା।
ଏହାରି ଭିତରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି କରିଥିବା ବେଳେ ଏଥିରେ କିଟ୍ ଓ କିସ୍ର ମଧ୍ୟ ଯୋଗଦାନ ରହିଛି ବୋଲି ସେ କହିଥିଲେ। କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଗଠନର ଶହେବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ଏହି ସମୟ ମଧ୍ୟରେ ଓଡ଼ିଶାର ବିକାଶ ଧାରାରେ କିଟ୍ ଓ କିସ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ଡ. ସୁବ୍ରତ ଆଚାର୍ଯ୍ୟ, କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା, କିଟ୍ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ଶରଣଜିତ ସିଂହ, ଡା. ସିବିକେ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। କୁନି କଳାକାର ଶ୍ରେୟାଶ୍ରୀ ଯୋଶୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଧନ୍ୟବାଦ ଦେଇଥିଲେ।