ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ମେ’ ଫେୟାର କନଭେନସନ୍ରେ ଆୟୋଜିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଛତିଶଗଡ଼ର ରାଜ୍ୟପାଳ ଡ. ବିଶ୍ୱଭୂଷଣ ହରିଚନ୍ଦନ, ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟଙ୍କ ସମେତ ଏମ୍ବିସି ଟିଭିର ଚେୟାରମ୍ୟାନ ଡ. ବିଏନ ପଟ୍ଟନାୟକ, ସମ୍ପାଦକ ଡ. ଅଶୋକ କୁମାର ପଣ୍ଡା ଓ ଭାଇସ୍ପ୍ରେସିଡେଣ୍ଟ (ମାର୍କେଟିଂ) ମନୋଜ କୁମାର ଦାଶ ଯୋଗଦେଇ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଓ ସୃଜନଶୀଳତାର ବିକାଶ ପାଇଁ ହାଇଟେକ୍ ଗ୍ରୁପର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀଙ୍କୁ ‘ଉତ୍କଳ ଗୌରବ ସମ୍ମାନ ୨୦୨୩’ରେ ସମ୍ମାନିତ କରିଛନ୍ତି।
ଉକ୍ତ ସଭାରେ ଶିକ୍ଷା ଓ ସୃଜନଶୀଳତା ଛାତ୍ର ଜୀବନରେ କିଭଳି ପରିବର୍ତ୍ତନ ଆଣିପାରିବ, ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏହି ଆଲୋଚନାଚକ୍ରରେ ଡ. ତିରୁପତି ପାଣିଗ୍ରାହୀ ତାଙ୍କର ବକ୍ତବ୍ୟ ରଖିବାକୁ ଯାଇ ଶିକ୍ଷକମାନଙ୍କୁ ଆହ୍ୱାନ ଦେଇ କହିଥିଲେ, ଛାତ୍ରଛାତ୍ରୀମାନଙ୍କୁ କେବଳ ଶ୍ରେଣୀଗତ ପରୀକ୍ଷାରେ ସେମାନେ ହାସଲ କରିଥିବା ଅଙ୍କର ଆଧାରରେ ତୁଳନା ନକରି ସେମାଙ୍କର ଯୋଗ୍ୟତା ଓ ଦକ୍ଷତା ବିକାଶ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ। ଏହା ଫଳରେ ସେମାନଙ୍କର ମନବଳ ଦୃଢ଼ ହେବାସହ ସେମାନେ ନିଜର ତଥା ନିଜ ରାଜ୍ୟ ଓ ଦେଶର ଉନ୍ନତି ପାଇଁ ଆଗଭର ହୋଇ ଉଠିବେ।