ମଲ୍‌କୁ ବାବୁଙ୍କ ଡର, ନା ଆଉ କିଛି? ଉଚ୍ଛେଦ ନ କରିବାକୁ ମିଳିତ ଉଚ୍ଛେଦକାରୀଙ୍କୁ ଭିତିରିଆ ନିର୍ଦ୍ଦେଶ

ମଲ୍‌ ପାଇଁ ଗୋଟେ ନିୟମ, ବସ୍ତି ପାଇଁ ଆଉ ଗୋଟେ

ଭୁବନେଶ୍ବର : ମ୍ୟୁଜିୟମ୍‌ ଛକରେ ଉତ୍କଳ-କନିକା ଗ୍ୟାଲେରିଆ ମଲ୍‌ ପ୍ରାୟ ୨୦୦ ମିଟର ସରକାରୀ ଜମି ଜବରଦଖଲ କରି ସୌନ୍ଦର୍ଯ୍ୟୀକରଣ କରିଥିଲେ ହେଁ ଏହାକୁ ଉଚ୍ଛେଦ କରିବାକୁ ବିଏମ୍‌ସି ଓ ବିଡିଏର ଅଧିକାରୀମାନେ ଡରୁଛନ୍ତି। ଏପରିକି ମଲ୍‌ ସମ୍ମୁଖରୁ ଜବରଦଖଲ ହଟିଲେ ମାଉସୀ ମା’ ଛକରୁ ମ୍ୟୁଜିୟମ୍ ଛକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ ହେବ ବୋଲି ପୂର୍ତ୍ତ ବିଭାଗର ଭୁବନେଶ୍ବର ଡିଭିଜନ-୨ ପକ୍ଷରୁ ବିଡିଏ ଓ ବିଏମ୍‌ସିକୁ ତିନି ଥର ଚିଠି ଲେଖା ହୋଇଥିଲେ ହେଁ ଏହି ଦୁଇ ବିଭାଗର ବାବୁମାନେ ଏନେଇ ଆଖି ବୁଜି ଦେଇଛନ୍ତି। ବିଏମ୍‌ସି ଓ ବିଡିଏର ଅଧିକାରୀମାନେ ଏପରି ଚଞ୍ଚକତାର ସହ ଏହି ଉଚ୍ଛେଦକୁ ଟାଳି ଦେଉଛନ୍ତି, ଯେପରି ସେମାନେ ପରେ କୌଣସି ଅସୁବିଧାରେ ନ ପଡ଼ିବେ। ଆସନ୍ତା କିଛି ମାସ ପର୍ଯ୍ୟନ୍ତ ମଲ୍‌ ସମ୍ମୁଖ ଜବରଦଖଲକୁ ଉଚ୍ଛେଦ ନ କରିବାକୁ ପୂରା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଦେଇଛନ୍ତି। ଆଉ ଏହାକୁ ରାଜ୍ୟ ସରକାରଙ୍କର କିଛି ବରିଷ୍ଠ ଅଧିକାରୀ ଯୋଜନାବଦ୍ଧ ଭାବେ ପରିଚାଳନା କରୁଛନ୍ତି।

ରାସ୍ତାରେ ଯିଏ ଉଠା ଦୋକାନ କରି ପରିବାର ଚଳାଉଛି, ସରକାରୀ ଜମିରେ ଯିଏ ଜରି ପାଲ ଟାଣି ପାଞ୍ଚ ପ୍ରାଣୀ କୁଟୁମ୍ବକୁ ଆଶ୍ରୟ ଦେଉଛି ତାକୁ ବିଏମ୍‌ସି-ବିଡିଏର ମିଳିତ ଉଚ୍ଛେଦକାରୀ ଟିମ୍ ଗୋଡ଼ାଇ ଗୋଡ଼ାଇ ଭାଙ୍ଗୁଛନ୍ତି। ହେଲେ ମ୍ୟୁଜିୟମ୍‌ ଛକରେ ରାସ୍ତାକୁ ମାଡ଼ି ସୌନ୍ଦର୍ଯ୍ୟୀକରଣ ହୋଇଥିଲେ ହେଁ ଏହାକୁ ଭାଙ୍ଗିବାକୁ ବାବୁମାନଙ୍କ ହାତ ଯାଉନି।

ଉଚ୍ଛେଦ ପାଇଁ ତିନିଥର ତାରିଖ ଧାର୍ଯ୍ୟ ହେଲାଣି
ମଲ୍‌ ସମ୍ମୁଖରେ ପ୍ରାୟ ୨୦୦ ମିଟର ଜବରଦଖଲ କରି ସୌନ୍ଦର୍ଯ୍ୟୀକରଣ କରାଯାଇଛି। ଏହା ବେଆଇନ ବୋଲି ସମସ୍ତେ ଜାଣିଛନ୍ତି। ଏହାକୁ ଉଚ୍ଛେଦ ପାଇଁ ଅଗଷ୍ଟ ୧୭, ନଭେମ୍ବର ୨୯ ଏବଂ ଡିସେମ୍ବର ୧୬ ପାଇଁ ତିନିଟି ତାରିଖ ଧାର୍ଯ୍ୟ ହୋଇସାରିଛି। କିନ୍ତୁ ଥରଟିଏ ବି ମଲ୍‌ ସମ୍ମୁଖକୁ ବୁଲଡୋଜର୍‌ ଯାଇନି। ଭାଙ୍ଗିବା ତ ଦୂରର କଥା।
ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ ମାସରେ ବସିଥିବା ମିଳିତ ଉଚ୍ଛେଦକାରୀ ଟିମ୍‌ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ ଅଗଷ୍ଟ ୧୭ରେ ମାଉସୀ ମା’ ଛକରୁ କଳ୍ପନା ଛକ ପର୍ଯ୍ୟନ୍ତ ରାସ୍ତାରେ ଥିବା ଜବରଦଖଲ ଉଚ୍ଛେଦ ହେବ। ଉଚ୍ଛେଦ ବି ହେଲା। ହେଲେ ମାଉସୀ ମା’ ଛକରୁ ବିଏମ୍‌ସି ଅଫିସ ସମ୍ମୁଖ ପର୍ଯ୍ୟନ୍ତ। ମଲ୍‌ ପୂର୍ବରୁ ହଠାତ୍ ଉଚ୍ଛେଦ ବନ୍ଦ ହୋଇଗଲା। ଏହାପରେ ପୁଣି ନଭେମ୍ବର ୨୯ ତାରିଖ ଧାର୍ଯ୍ୟ ହେଲା। କିନ୍ତୁ ସେଦିନ କମିସନରେଟ୍ ପୁଲିସ୍‌ ପୁଲିସ୍‌ ଯୋଗାଇ ପାରିବନି ବୋଲି କହିବାରୁ ଉଚ୍ଛେଦ ହେଲାନି। ସେଦିନ ଆଉ କିଛି ଉଚ୍ଛେଦ କାର୍ଯ୍ୟକ୍ରମ ନଥିବାରୁ ମଲ୍‌ ସମ୍ମୁଖରୁ ଉଚ୍ଛେଦ ହେବ ବୋଲି ଆପାତତଃ ନିଷ୍ପତ୍ତି ହୋଇଥିଲା। କିନ୍ତୁ ସଂଧ୍ୟାରେ ନିର୍ଦ୍ଦେଶ ଆସିଲା, ଆସନ୍ତାକାଲି ପୁରୁଣା ଲିଙ୍ଗରାଜ ମାର୍କେଟ୍‌କୁ ଭଙ୍ଗାଯିବ। ଏହାପରେ ମିଳିତ ଉଚ୍ଛେଦକାରୀ ଟିମ୍‌ ମାର୍କେଟ୍‌ ଭଙ୍ଗାରେ ନିୟୋଜିତ ରହିବାରୁ ମଲ୍‌ ସମ୍ମୁଖ ଉଚ୍ଛେଦ ହେଲାନି। ପୁଣି ଡିସେମ୍ବର ୧୬ ତାରିଖରେ ଉଚ୍ଛେଦ ପାଇଁ ଦିନ ଧାର୍ଯ୍ୟ ହେଲା। ହେଲେ ଏହାକୁ ନ କରିବାକୁ ବାହାନା ଦେଖାଗଲା, ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ହେଉଛି, ଏବେ ଉଚ୍ଛେଦ ହୋଇପାରିବନି। ଏହିପରି ଢଙ୍ଗରେ ତିନି ତିନି ଥର ଉଚ୍ଛେଦ ଟାଳି ଦେବା ପରେ ପୁଣି କେବେ ଉଚ୍ଛେଦ ହେବ, ତାହା ସ୍ଥିର ହୋଇପାରୁନି।

୭ ଦିନରେ ଉଚ୍ଛେଦ କରିବେ କହିଥିଲେ, ଦୁଇ ମାସରେ ହେଲାନି
ମଲ୍‌ର ବେଆଇନ ସୌନ୍ଦର୍ଯ୍ୟୀକରଣ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଏମ୍‌ସି କର୍ତ୍ତୃପକ୍ଷ ଅକ୍ଟୋବର ୧୩ ତାରିଖରେ କହିଥିଲେ ଯେ ୭ ଦିନ ଭିତରେ ଏହି ଜବରଦଖଲ ଉଚ୍ଛେଦ ହେବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। କିନ୍ତୁ ବିଏମ୍‌ସିର ୭ ଦିନିଆ ମହଲତ ଏହା ମଧ୍ୟରେ ୨ମାସ ପାର୍‌ ହୋଇଯାଇଥିଲେ ବି ଆଜି ପର୍ଯ୍ୟନ୍ତ ଉଚ୍ଛେଦ ହେଲାନି। ଏ ସବୁର ଫାଇଦା ନେଇ ମଲ୍‌ କର୍ତ୍ତୃପକ୍ଷ ସରକାରୀ ବାବୁଙ୍କୁ ଖୋଲା ଚାଲେଞ୍ଜ୍ ଦେବା ଭଳି ମଲ୍‌କୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି।

କାହା ଚାପରେ ସମସ୍ତେ ଚୁପ୍

ବିଏମ୍‌ସି କମିସନର ମଲ୍‌ର ଜବରଦଖଲ ନେଇ ସୃଷ୍ଟି ହେଉଥିବା ସମସ୍ୟା ସମ୍ପର୍କରେ ଅବଗତ ଥିଲେ ହେଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନେବା ପଛରେ ଅନେକ କାରଣ ରହିଛି ବୋଲି ଚର୍ଚ୍ଚା ହେଉଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମଲ୍‌ ସମ୍ମୁଖରେ ସୌନ୍ଦର୍ଯ୍ୟୀକରଣ ପାଇଁ ୨୦୧୫ମସିହାରେ ବିଏମ୍‌ସିର ପୂର୍ବତନ କମିସନର୍‌ ତଥା ତତ୍କାଳୀନ ବିଡିଏ ଉପାଧ୍ୟକ୍ଷ ଅନୁମତି ଦେଇଥିଲେ। ଜଣେ ବରିଷ୍ଠ ଅଧିକାରୀ ଅନୁମତି ଦେଇଥିବାରୁ ବର୍ତ୍ତମାନର କମିସନର୍‌ ଏଥିରେ କେଁ ପୂରାଇବାକୁ ଚାହୁ ନାହାନ୍ତି। ଏପଟେ ତତ୍କାଳୀନ କମିସନର ଏବେ ପୂର୍ତ୍ତ ସଚିବ ଥିବା ବେଳେ ଏଠାରେ ପୂର୍ତ୍ତ ବିଭାଗ ରାସ୍ତା କରିବାକୁ ଟେଣ୍ଡର୍‌ କରିସାରିଛି। ତେଣୁ ଯିଏ ଅନୁମତି ‌େଦଇଛନ୍ତି, ତାଙ୍କୁ ରାସ୍ତା ସମସ୍ୟା ନେଇ ବୁଝାଇବାକୁ ପୂର୍ତ୍ତ ବିଭାଗର ଯନ୍ତ୍ରୀମାନେ ବି ସାହସ କରୁନାହାନ୍ତି। ଯେତେବେଳେ ରାସ୍ତା ହେବ, ସେତେବେଳେ ଦେଖାଯିବ ବୋଲି କହି ସମସ୍ତେ ଚୁପ୍ ବସି ଯାଇଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ଗୋଟିଏ ମଲ୍‌ର ସୌନ୍ଦର୍ଯ୍ୟୀକରଣ ପାଇଁ ସବୁଠୁ ଅଧିକ ଜନଗହଳିପୂର୍ଣ୍ଣ ଛକ ଉପରେ ଯଦି ରାସ୍ତା ଜବରଦଖଲ କରିବାକୁ ଏନ୍‌ଓସି ଦିଆଯାଇପାରୁଛି, ତେବେ ନିଜର ପେଟ ପାଟଣା ପାଇଁ ଯଦି କିଏ ରାସ୍ତାକଡ଼ରେ କ୍ୟାବିନ୍‌ ପକାଉଛି, ତାକୁ କାହିଁକି ବୁଲଡୋଜରର୍‌ ଲଗାଇ ଭାଙ୍ଗି ଦିଆଯାଉଛି? ଲୋକଙ୍କର ପେଟ ପୋଷିବାଠାରୁ କ’ଣ ସୌନ୍ଦର୍ଯ୍ୟୀକରଣ ବଡ଼? ନା ସବୁ ନିୟମ କିଛି ଅଧିକାରୀଙ୍କ ଆଗରେ ତୁଚ୍ଛ?

ସମ୍ବନ୍ଧିତ ଖବର