ଭୁବନେଶ୍ବର :ମ୍ୟୁଜିୟମ୍ ଛକରେ ଉତ୍କଳ-କନିକା ଗ୍ୟାଲେରିଆ ମଲ୍ ପ୍ରାୟ ୨୦୦ ମିଟର ସରକାରୀ ଜମି ଜବରଦଖଲ କରି ସୌନ୍ଦର୍ଯ୍ୟୀକରଣ କରିଥିଲେ ହେଁ ଏହାକୁ ଭାଙ୍ଗିବାକୁ କେହି ସାହସ କରୁନାହାନ୍ତି। ଏହି ଜବରଦଖଲ ଉଚ୍ଛେଦ କରିବାକୁ ପୂର୍ତ୍ତ ବିଭାଗ ବିଏମ୍ସି ଓ ବିଡିଏକୁ ବାରମ୍ବାର ଚିଠି ଲେଖୁଛି। କିନ୍ତୁ ଏହି ଦୁଇ ସଂସ୍ଥାର ଉପରିସ୍ଥ ଅଧିକାରୀଙ୍କ ଖେଳରେ ସିଇଏମ୍ସି ବୈଠକର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଇପାରୁନି। ଅଗଷ୍ଟ ୧୭ରେ ଏହି ଜବରଦଖଲ ଉଚ୍ଛେଦ ପାଇଁ ନିଷ୍ପତ୍ତି ହୋଇଥିଲା। ଉଚ୍ଛେଦକାରୀ ଟିମ୍ ମଲ୍ ଗେଟ୍ ସମ୍ମୁଖରୁ ଫେରିଯାଇଥିଲା। ଏହାପରେ ପୁଣି ନଭେମ୍ବର ୨୯ରେ (ଶୁକ୍ରବାର) ଏହାକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ହୋଇଛି। ହେଲେ ବିଡିଏର କିଛି ଅଧିକାରୀ ବିଭିନ୍ନ ଆଳ ଦେଖାଇ ଏହାକୁ ଉଚ୍ଛେଦ ନକରିବାକୁ ଯୋଜନା କରିଛନ୍ତି।
ସୂଚନା ଅନୁଯାୟୀ, ଗତ ସିଇଏମ୍ସି ବୈଠକରେ ନଭେମ୍ବର ୨୯ରେ ମଲ୍ ସମ୍ମୁଖ ଜବରଦଖଲ ଉଚ୍ଛେଦ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ବିଡିଏର କିଛି ଅଧିକାରୀ ଅଦୃଶ୍ୟ ଚାପରେ ଏହି ଉଚ୍ଛେଦ ନ କରିବାକୁ ଚାଲ୍ ଖେଳିଛନ୍ତି। ଲିଙ୍ଗରାଜ ମାର୍କେଟ୍ କମ୍ପ୍ଲେକ୍ସର ଦୋକାନୀମାନଙ୍କୁ ବିଏମ୍ସି ଏପର୍ଯ୍ୟନ୍ତ ଥଇଥାନ କରି ନଥିଲେ ହେଁ ଏହାକୁ ୨୯ ତାରିଖରେ ହିଁ ଭାଙ୍ଗିବାକୁ ତରବରିଆ ଭାବେ ନିଷ୍ପତ୍ତି ନେଇଛନ୍ତି। ତେଣୁ ବିଡିଏ ମାର୍କେଟ୍ ଉଚ୍ଛେଦ ପାଇଁ ଟିମ୍ ପଠାଇ ମଲ୍ ଜବରଦଖଲ ନ ଭାଙ୍ଗିବାକୁ ଏହି ଯୋଜନା ହୋଇଥିବା ଅଭିଯୋଗ ହେଲାଣି। ଏପରିକି ବିଡିଏ କର୍ତ୍ତୃପକ୍ଷ କହିଛନ୍ତି ଯେ ଯଦି ପୁଲିସ ସହାୟତା ନ ମିଳିବ, ତେବେ ମଲ୍ ସମ୍ମୁଖ ଜବରଦଖଲ ଉଚ୍ଛେଦ କରାଯିବନି।
ଏଠାରେ ପ୍ରଶ୍ନ ଉଠୁଛି, ମଲ୍ କର୍ତ୍ତୃପକ୍ଷ ସରକାରୀ ଜମିରେ ସୌନ୍ଦର୍ଯ୍ୟୀକରଣ କରିବା ସମୟରେ ସର୍ତ୍ତ ରଖିଥିଲେ, ଯେତେବେଳେ ସରକାର ଉକ୍ତ ଜମିରେ ରାସ୍ତା କିମ୍ବା କିଛି ଉନ୍ନତିମୂଳକ କାର୍ଯ୍ୟ କରିବେ, ଜବରଦଖଲକୁ ଉଚ୍ଛେଦ କରିପାରିବେ। ତେଣୁ ମଲ୍ କର୍ତ୍ତୃପକ୍ଷଙ୍କ ବିରୋଧର ପ୍ରଶ୍ନ ଆସିଲା କେଉଁଠି? କେବଳ ଏତିକି ନୁହେଁ, ଆଜି ବିଧାନସଭା ଅଧିବେଶନ ସରିଥିବା ବେଳେ ଆବଶ୍ୟକୀୟ ପୁଲିସ ଫୋର୍ସ ନ ମିଳିବାର ପ୍ରଶ୍ନ ଉଠିଲା କେଉଁଠୁ।
ଏପଟେ ଲିଙ୍ଗରାଜ ମାର୍କେଟ୍ର ବ୍ୟବସାୟୀଙ୍କୁ ଥଇଥାନ କରାଯାଇ ନଥିବାରୁ ସେଠାରେ ବ୍ୟବସାୟୀମାନେ ବିରୋଧ କରିବାର ଥିବାରୁ ପୁଲିସର ଆବଶ୍ୟକତା ରହିଛି। ଯେଉଁଠି ବିରୋଧ ହେବ ବୋଲି ବିଡିଏ କର୍ତ୍ତୃପକ୍ଷ ଜାଣିଛନ୍ତି, ସେଠାରେ ତରବରିଆ ଭାବେ ଉଚ୍ଛେଦ କରିବାକୁ ଆଗଭର ହେଉଛନ୍ତି। କିନ୍ତୁ ଯେଉଁଠି ଉଚ୍ଛେଦ କଲେ ବିରୋଧ ହେବନି ଏବଂ ଉଚ୍ଛେଦ ନିତାନ୍ତ ଆବଶ୍ୟକ; ସେଠାରେ ବାବୁମାନଙ୍କୁ ଡର ଲାଗୁଛି।
ଅପରପେକ୍ଷ ପୂର୍ତ୍ତ ବିଭାଗର ଡିଭିଜନ୍-୨ ନିର୍ବାହୀ ଯନ୍ତ୍ରୀ ଜଗବନ୍ଧୁ ରାଓ କହିଛନ୍ତି ଯେ ମାଉସୀ ମା’ ଛକରୁ ମ୍ୟୁଜିୟମ୍ ଛକ ପର୍ଯ୍ୟନ୍ତ ଚାରିଥାକିଆ ରାସ୍ତା ପାଇଁ ଟେଣ୍ଡର୍ ପ୍ରକ୍ରିୟା ସରିଛି। ମଲ୍ ସମ୍ମୁଖ ଏବଂ ମ୍ୟୁଜିୟମ୍ ଛକରୁ କଳ୍ପନା ଛକ ମଧ୍ୟରେ କିଛି ଅଞ୍ଚଳ ଜବରଦଖଲ ଥିବାରୁ ରାସ୍ତା କାମ ଆରମ୍ଭ ହୋଇପାରୁନି। ଏହାକୁ ଉଚ୍ଛେଦ କରିବା ପାଇଁ ବିଏମ୍ସି ଓ ବିଡିଏକୁ ଜଣାଇଛୁ। ବିଡିଏ, ବିଏମ୍ସି ଯେବେ ଉଚ୍ଛେଦ କରି ଜମି ହସ୍ତାନ୍ତର କରିବେ, ସେବେ ରାସ୍ତା କାମ ଆରମ୍ଭ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/utkal-kanika-gallery.jpg)