ଭଙ୍ଗା ହେବ ଉତ୍କଳ-କନିକା ଗ୍ୟାଲେରିଆ ମଲ୍‌ ସମ୍ମୁଖ ଜବରଦଖଲ

ଭୁବନେଶ୍ୱର : ଉତ୍କଳ-କନିକା ଗ୍ୟାଲେରିଆ ମଲ୍‌ ପକ୍ଷରୁ ମ୍ୟୁଜିୟମ ଛକ ରାସ୍ତା ଉପରେ ହୋଇଥିବା ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟକୁ ଖୁବ୍‌ ଶୀଘ୍ର ଭଙ୍ଗା ଯିବ। ଖୁବ୍ ଶୀଘ୍ର ମିଳିତ ଉଚ୍ଛେଦକାରୀ ଟିମ୍ ଏହାକୁ ଭାଙ୍ଗିବ ବୋଲି ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନ୍ ଜୋନାଲ ଡେପୁଟି କମିସନର ରୂପକ ପଟ୍ଟନାୟକ କହିଛନ୍ତି।

ମଲ୍‌ ସମ୍ମୁଖରେ ରାସ୍ତାକୁ ଦଖଲ କରି ସୌନ୍ଦର୍ଯ୍ୟୀକରଣ କରିବା ଯୋଗୁଁ ମ୍ୟୁଜିୟମ ଛକରେ କିପରି ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେଉଛି ସେନେଇ ‘ସମ୍ବାଦ‌’ରେ ରିପୋର୍ଟ ପ୍ରକାଶ ପାଇବା ପରେ ବିଏମ୍‌ସି ସୋମବାର ତତ୍ପର ହୋଇଛି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ ଅଗଷ୍ଟ ମାସରେ ବିଏମ୍‌ସି ଓ ପୂର୍ତ୍ତ ବିଭା‌ଗ ପକ୍ଷରୁ ମିଳିତ ଭାବେ ସର୍ଭେ କରାଯାଇଥିଲା। ଏଥିରେ ମଲ୍‌ର ମାଲିକାନାରେ ଥିବା ଜମି ଏବଂ ଜବରଦଖଲରେ ଥିବା ସରକାରୀ ଜମି ଓ ରାସ୍ତାର ମାପଚୁପ ହୋଇଥିଲା। ସର୍ଭେ ପରେ ଜବରଦଖଲ କରି ସୌନ୍ଦର୍ଯ୍ୟୀକରଣ ହୋଇଥିବା ଅଂଶକୁ ଭାଙ୍ଗିବା ପାଇଁ ମିଳିତ ଉଚ୍ଛେଦକାରୀ ଟିମ୍‌କୁ (ସିଇଏମ୍‌ସି)ନିର୍ଦ୍ଦେଶ ଦିଆଯାଇଥିଲା। ଏଥିରେ ମାଉସୀ ମା’ ଛକରୁ କଳ୍ପନା ଛକ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ଜବରଦଖଲ ଭାଙ୍ଗିବାକୁ କୁହାଯାଇଥିଲା। ହେଲେ ସିଇଏମ୍‌ସି ୧୭ଅଗଷ୍ଟରେ କରିଥିବା‌ ଉଚ୍ଛେଦରେ ମାଉସୀ ମା’ ଛକରୁ ଉତ୍କଳ-କନିକା ଗ୍ୟାଲେରିଆ ମଲ୍‌ ପର୍ଯ୍ୟନ୍ତ ରାସ୍ତାରୁ ଜବରଦଖଲ ଉଚ୍ଛେଦ କରିଥିଲା। ଏହାପରେ କାହିଁକି ଉଚ୍ଛେଦ କରାଗଲାନି ଆମେ ଜାଣିନୁ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି।

ସିଇଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମାଉସୀ ମା’ ଛକରୁ କଳ୍ପନା ଛକ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କରିବାକୁ ଯେଉଁ ନିର୍ଦ୍ଦେଶନାମା ଜାରି ହୋଇଥିଲା ସେହି ଅନୁଯା‌ୟୀ ଉଚ୍ଛେଦ ହୋଇଛି। କିନ୍ତୁ ୧୭ ଅଗଷ୍ଟରେ ହୋଇଥିବା ଉଚ୍ଛେଦରେ ଧାର୍ଯ୍ୟ ସମୟ ମଧ୍ୟରେ ମଲ୍ ପର୍ଯ୍ୟନ୍ତ ‌ଉଚ୍ଛେଦ ହୋଇଥିଲା। ଏହାପରେ ବିଭିନ୍ନ ସ୍ଥାନରେ ନିୟମିତ ଉଚ୍ଛେଦ ହେଉଥିବାରୁ ଆଉ ସମୟ ହୋଇନି। ଆମେ ଖୁବ୍ ଶୀଘ୍ର ମଲ୍‌ ସମ୍ମୁଖ ରାସ୍ତା ଉପରୁ ଉଚ୍ଛେଦ କରିବୁ। ଏନେଇ ମଲ୍‌ କର୍ତ୍ତୃପକ୍ଷଙ୍କୁ ମଧ୍ୟ ନୋଟିସ୍ ‌ଜାରି ହୋଇଥିବା ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର