ଲୋକନୃତ୍ୟର ପ୍ରଚାର ପାଇଁ ନିଆରା ଉଦ୍ୟମ : ଆରମ୍ଭ ହେଲା ଷଷ୍ଠ ଉତ୍କଳ ଲୋକନୃତ୍ୟ ଉତ୍ସବ

ଭୁବନେଶ୍ବର : ସା˚ସ୍କୃତିକ ଅନୁଷ୍ଠାନ ‘ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌’ ପକ୍ଷରୁ ‘ଷଷ୍ଠ ଉତ୍କଳ ଲୋକନୃତ୍ୟ ଉତ୍ସବ’ ଆରମ୍ଭ ହୋଇଛି। ବିଭିନ୍ନ କଲେଜ କ୍ୟାମ୍ପସ୍‌ରେ ଲୋକନୃତ୍ୟ ପରିବେଷଣ କରାଯାଇ ଛାତ୍ରଛାତ୍ରୀଙ୍କ ମଧୢରେ ଲୋକନୃତ୍ୟକୁ ଅଧିକ ପରିଚିତ କରାଇବା ଲକ୍ଷ୍ୟ ନେଇ ‘କ୍ୟାମ୍ପସ୍‌ରେ ଲୋକନୃତ୍ୟ’ ଶୀର୍ଷକ ଥିମ୍ ଉପରେ ଉତ୍ସବର ଆୟୋଜନ କରାଯାଇଥିଲା। ଉତ୍ସବର ପ୍ରଥମ କାର୍ଯ୍ୟକ୍ରମ ଆଜି ଉତ୍କଳ ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଥିଲା। ଏଥିରେ ‘ଅକ୍ସଫୋର୍ଡ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍‌ସ୍‌’ର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ଅନ୍ୟ କଲେଜରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ଏପରି ଲୋକନୃତ୍ୟ ଉତ୍ସବ ଆୟୋଜନକୁ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ, ‘ଅକ୍ସଫୋର୍ଡ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍‌ସ୍‌’ର ଚେୟାରମ୍ୟାନ୍ ଡାକ୍ତର ଅନୁମାଧବ ପଣ୍ଡା ଏବଂ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଯୋଗ ଦେଇଥିଲେ। ‘ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌’ର ଅଧ୍ୟକ୍ଷ ଜେ କେ ମହାନ୍ତି ଏଥିରେ ଅଧ୍ୟକ୍ଷତା କରି ‌କହିଥିଲେ, ଦେଶର ଭବିଷ୍ୟତ ନାଗରିକଙ୍କ ନିକଟରେ ଲୋକନୃତ୍ୟକୁ ଅଧିକ ପରିଚିତ କରାଇବା ପାଇଁ ଏପରି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି। ଉପାଧୢକ୍ଷ ଜେନାମଣି ସଞ୍ଜୀବ କୁମାର ସ୍ବାଗତ ଭାଷଣ ଦେଇଥିଲେ। ସମ୍ପାଦକ ଚୌଧୁରୀ ଅମିତାଭ ଦାସ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ବିଶ୍ବରଞ୍ଜନ ଦାଶ, ବିମଳ ଦାସ, ସାଲୁଟ୍‌ ସାହୁ, କେଦାର ରଣସିଂହ ଓ ଶିତିକଣ୍ଠ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମକୁ ସ˚ଯୋଜନା କରିଥିଲେ।

ପ୍ରଥମେ କଳାହାଣ୍ତିର ‘ପ୍ରତିଭା’ ଅନୁଷ୍ଠାନର କଳାକାରମାନେ ସି˚ହାରି ନୃତ୍ୟ ପରିବେଷଣ କରିଥିଲେ। ପରେ ‘ଆରାଧନା’ ଅନୁଷ୍ଠାନର ଗୁରୁ ଚିତ୍ରସେନ ସ୍ବାଇଁଙ୍କ ନିର୍ଦ୍ଦେଶନାରେ ଗୋଟିପୁଅ ଏବ˚ ରାଇରଙ୍ଗପୁରର ‘ଜେପିଏମ୍‌ ଛଉ ନୃତ୍ୟ ପ୍ରତିଷ୍ଠାନ’ର ଗୁରୁ ତୁଷାର ଚନ୍ଦ୍ର ମହାନ୍ତଙ୍କ ନିର୍ଦ୍ଦେଶନାରେ ଛଉନୃତ୍ୟ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର