ଉତ୍କଳ ସଂଗୀତ ମହାବିଦ୍ୟାଳୟର ଆଲୋଚନାଚକ୍ର ଉଦ୍‌ଯାପିତ: ନୃତ୍ୟ ମଣିଷକୁ ସୁସ୍ଥ ରଖେ

ଭୁବନେଶ୍ବର: ଆଜାଦି କା ଅମୃତ ମହୋତ୍ସବ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପକ୍ଷରୁ ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ଦୁଇଦିନିଆ ଆଲୋଚନାଚକ୍ରର ଆଜି ଉଦ୍‌ଯାପିତ ହୋଇଛି। ଏହି ଆଲୋଚନାଚକ୍ରର ବିଷୟବସ୍ତୁ ଥିଲା ‘ସ୍ବାଧୀନତାର ପ୍ରାକ୍ ଓ ପରବର୍ତ୍ତୀ ସମୟରେ ନୃତ୍ୟ, ସଂଗୀତ ଓ ନାଟକର କ୍ରମ ବିକାଶ’। ଉଦ୍‌ଯାପନୀ ଦିବସର ପୂର୍ବାହ୍ନ ଅଧିବେଶନରେ ଓଡ଼ିଶୀ ନୃତ୍ୟ ବିଶାରଦ ଗୁରୁ ରତିକାନ୍ତ ମହାପାତ୍ର ଓଡ଼ିଶୀ ନୃତ୍ୟର ବିଭିନ୍ନ ଦିଗ ସମ୍ବନ୍ଧରେ ଆଲୋଚନା କରିବା ସହିତ ନୃତ୍ୟ ଦ୍ବାରା ମଣିଷ ଶରୀର କିପରି ସୁସ୍ଥ ରହି ପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ତାଙ୍କ ସହ ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ବର ସ୍ବାଇଁ ମର୍ଦ୍ଦଳର ବିଭିନ୍ନ ଦିଗ ସମ୍ବନ୍ଧରେ ସୂଚନା ଦେଇଥିଲେ। ଶେଷରେ ଛଉ ନୃତ୍ୟ ଗବେଷକ ପାଗୁଲୁ ଜେନା ସ୍ବାଧୀନତାର ପୂର୍ବ ଓ ପରବର୍ତ୍ତୀ ସମୟରେ ଛଉ ନୃତ୍ୟର କ୍ରମ ବିକାଶ ସମ୍ପର୍କରେ କହିଥିଲେ। ସେହିପରି ଅପରାହ୍ନ ଅଧିବେଶନରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ଉପସଭାପତି ମନ୍ମଥ ଶତପଥୀ ଉପସ୍ଥିତ ରହି ନାଟକର କ୍ରମବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହିତ ମଣିଷ ଜୀବନରେ ନାଟକର ଭୂମିକା ବିଷୟରେ ଅବତାରଣା କରିଥିଲେ। ଶେଷରେ ତବଲା ବାଦକ ଡ. ଅଜୟ ବିଶ୍ବାଳ ତବଲା ବଜାଇବାର ଶୈଳୀ ଓ ତବଲାର କ୍ରମବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଉତ୍କଳ ସଂଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ବିଜୟ କୁମାର ଜେନା ସଭାପତିତ୍ବ କରିଥିବା ବେଳେ ଇଂ ଶ୍ରୀନିବାସ ଘଟୁଆରୀ ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର