ପୁନରୁଦ୍ଧାର ହେବ ‘ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରେସ୍‌’, ପୁରୁଣା ଛାପା ମେସିନ୍‌କୁ ନେଇ ହେବ ସଂଗ୍ରହାଳୟ

୫ ଦିନ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦେଶ

ଭୁବନେଶ୍ବର: ବୁଡ଼ି ଯାଇଥିବା ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରେସ୍‌(ମୁଦ୍ରଣାଳୟ) ନୂଆ ଜୀବନ ପାଇବାର ଆଶା ସଞ୍ଚାର ହୋଇଛି। ବ୍ରିଟିସ ଅମଳର ପ୍ରିଣ୍ଟିଂ ପ୍ରେସ୍‌ ମେସିନ୍‌ଗୁଡ଼ିକୁ ନୂଆ ରୂପରେ ଦର୍ଶକ ଯେପରି ଦେଖିପାରିବେ ସେ ଦିଗରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଅଣ୍ଟା ଭିଡ଼ିଛନ୍ତି। ପ୍ରେସ୍‌ର ନବକଳେବର କରାଯିବା ସହ ଏହାକୁ ସଂଗ୍ରହାଳୟରେ ପରିଣତ କରାଯିବ ବୋଲି ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୪୯ତମ ଜୟନ୍ତୀ ପାଳନ ଅବସରରେ ବିଶ୍ବବିଦ୍ୟାଳୟର ବରିଷ୍ଠ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା ୫ ଦିନ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରିବାକୁ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ରମୋହନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି।

ଉଚ୍ଚଶିକ୍ଷାର ବିକାଶ ପାଇଁ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ଲଣ୍ଡନରୁ ଆଣିଥିବା ପ୍ରିଣ୍ଟିଂ ସେମିନ୍‌କୁ ୧୯୪୮ରେ ଉତ୍କଳ ବିଶ୍ବବିଦ୍ୟାଳୟକୁ ଦାନ କରିଥିଲେ। ପ୍ରଥମେ କଟକରେ ଓ ପରେ ଭୁବନେଶ୍ବରସ୍ଥିତ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ରହି ଏହି ମେସିନ୍‌ ମାଧ୍ୟମରେ ଅନେକ ପୁସ୍ତକ, ପତ୍ରିକା ଆଦି ଛପାଯାଇଥିଲା। ଇତି ମଧ୍ୟରେ ବହୁ ବର୍ଷ ବିତିଗଲାଣି। ସମୟର ପରିବର୍ତନ ସହ ଛାପା ମେସିନ୍‌ରେ ବି ପରିବର୍ତନ ଆସିଛି। ଡିଜିଟାଲ୍‌ ପ୍ରେସ୍‌ରେ ଏବେ ଛାପା ଚାଲିଥିବାବେଳେ ସ୍ଥିତି ହରାଇ ବସିଲାଣି ମାନବ ଚାଳିତ ଏହି ପ୍ରିଣ୍ଟିଂ ମେସିନ୍‌। କେବଳ ଏହି ଗୋଟିଏ ମେସିନ୍‌ ନୁହେଁ। ଇଂରେଜ ଅମଳର ଅନେକ ମେସିନ୍‌ ଏବେ ଏଠାରେ ଖତ ଖାଉଛି। ୧୯୦୪ ମସିହାର କିଛି ମେସିନ୍‌ ଏଠାରେ ଅଚଳ ହୋଇ ପଡ଼ିରହିଛି। ପ୍ରେସ୍‌ କାର୍ଯ୍ୟାଳୟ ଅବସ୍ଥା ବି ନ କହିବା ଭଲ। ମୁଦ୍ରଣାଳୟ କର୍ମଚାରୀ ସଂଘ ପକ୍ଷରୁ ମହାରାଜାଙ୍କ ୧୪୯ତମ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରେସ୍‌ର ପୁନରୁଦ୍ଧାର କରାଯାଇ ସେଠାରେ ଥିବା ସାମଗ୍ରୀଗୁଡ଼ିକୁ ନେଇ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରିବାକୁ ଦାବି ଉଠିଥିଲା। ଏହି ଅବସରରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ରମୋହନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଦୁରବସ୍ଥା ନେଇ କ୍ଷୋଭ ପ୍ରକାଶ କରିଥିଲେ ଏବଂ ପୁନରୁଦ୍ଧାର ପାଇଁ ସମସ୍ତ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଠାରେ ଥିବା ପୁରାତନ ମେସିନ୍‌କୁ ଏକାଠି କରି ସର୍ବସାଧାରଣଙ୍କ ଲାଗି ପ୍ରଦର୍ଶନ କରାଯିବ। ଏଥିସହ ବିଶ୍ବବିଦ୍ୟାଳୟରେ ଥିବା ଅନ୍ୟ ସଂଗ୍ରହାଳୟର ସାମଗ୍ରୀଗୁଡ଼ିକୁ ନେଇ ଏକ ବିଶାଳ ସଂଗ୍ରହାଳୟ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି‌ ବୋଲି ସେ କହିଥିଲେ।

ବିଶ୍ବବିଦ୍ୟାଳୟ କୁଳସଚିବ ଦୟାନିଧି ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାମୂହିକ ଉଦ୍ୟମରେ ଅନୁଷ୍ଠାନର ଉନ୍ନତି ହୋଇପାରିବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀର ଅଧ୍ୟକ୍ଷ ପ୍ରଫେସର ଅଦ୍ବୈତ ପାତ୍ର, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ସବିତା ଆଚାର୍ଯ୍ୟ, ବିତ୍ତ ନିୟନ୍ତ୍ରକ ସୁରେଶ କୁମାର ସାହୁ, ପ୍ରଫେସର ସୁସ୍ମିତ ପାଣି, ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଓଡ଼ିଶାର ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ, ରେଳବାଇ ଇତ୍ୟାଦି କ୍ଷେତ୍ରରେ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଦ୍ରାଣାଳୟର ପ୍ରଫେସର-ଇନ୍‌-ଚାର୍ଯ ସନ୍ତୋଷ ତ୍ରିପାଠୀ ଯୋଗଦେଇ କହିଲେ ଆସନ୍ତା ବର୍ଷକ ମଧ୍ୟରେ ଏହି ଅନୁଷ୍ଠାନର ନବୀକରଣ ହୋଇପାରିଲେ ମହାରାଜାଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ଅନୁଷ୍ଠାନ ୧୫୦ତମ ଜୟନ୍ତୀରେ ନବଜୀବନ ପା‌ଇ ପାରନ୍ତା। କର୍ମଚାରୀ ସଂଘର ସଭାପତି ଗିରିଜା ବେହେରା ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଉମାଶଙ୍କର ବାରିକ ବିବରଣୀ ପାଠ କରିଥିଲେ।

ସମ୍ବନ୍ଧିତ ଖବର