ଉତ୍କଳ-ରମାଦେବୀ ଜମି ଝାମେଲା

ବାଣୀବିହାର ଜମିରୁ ଉଚ୍ଚଶିକ୍ଷା ବିଭାଗର ମୋହ ଛାଡ଼ୁନି

ଇଞ୍ଚିଏ ବି ଜମି ଦିଆଯିବନି: ଛାତ୍ର ସଙ୍ଗଠନ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଜମି ଉପରୁ ହଟୁନି ରାଜ୍ୟ ସରକାରଙ୍କ ନଜର। ରାଜ୍ୟର ଏହି ପ୍ରମୁଖ ତଥା ପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ବିଶ୍ୱସ୍ତରୀୟ ହେବାକୁ ଯାଉଥିବା ବେଳେ କ୍ୟାମ୍ପସ ପରିସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ କରିବାକୁ ପୁଣିଥରେ ଯୋଜନା କରୁଛି ଉଚ୍ଚଶିକ୍ଷା ବିଭାଗ। ଗତ ୧୬ ତାରିଖରେ ଅନୁଷ୍ଠିତ କୁଳପତି ସମ୍ମିଳନୀରେ ଏନେଇ ଆଲୋଚନା ପରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। କୌଣସି ପରିସ୍ଥିତିରେ କ୍ୟାମ୍ପସରୁ ଇଞ୍ଚିଏ ବି ଜାଗା ଦିଆଯିବ ନାହିଁ। ଯଦି ଜବରଦସ୍ତ ଚାପ ପକାଇ ଜାଗା ନେବାକୁ ଉଦ୍ୟମ ହୁଏ ତେବେ ଯେଉଁ ଭୟଙ୍କର ପରିସ୍ଥିତି ଉପୁଜିବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଛାତ୍ର ସଙ୍ଗଠନଗୁଡ଼ିକ କହିଛନ୍ତି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଚିହ୍ନଟ ପ୍ରକ୍ରିୟା ୨୦୧୫ରୁ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଶେଷ ହୋଇ ନାହିଁ। ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଲାଗି ଜମି ଦେବାକୁ ୨୦୧୬ରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ସେତେବେଳେ ଏହାକୁ ଛାତ୍ର ଓ ଶିକ୍ଷକ ସଙ୍ଗଠନ ବିରୋଧ କରିବା ପରେ କୁଳପତି ପ୍ରଫେସର ଅଶୋକ ଦାସ ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଏହାପରେ ଖୋର୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବର୍ତମାନ କ୍ୟାମ୍ପସଠାରୁ ୨୦ କି.ମି ଦୂର ଦାସପୁରଠାରେ ୩୦ ଏକର ଜାଗା ଚିହ୍ନଟ କରି ସେଠାରେ ଦ୍ୱିତୀୟ କ୍ୟାମ୍ପସ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ବିଶ୍ୱବିଦ୍ୟାଳୟର ଏକ ପ୍ରତିନିଧି ଦଳ ଉକ୍ତ ଜମି ପରିଦର୍ଶନ କରି ଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଥିଲେ। ୨୦୧୬ ମେ’ ମାସରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ବିକଳ୍ପ ଜମି ଯୋଗାଇ ଦେବାକୁ ଚିଠି ଲେଖାଯାଇଥିଲା। ଅଗଷ୍ଟ ମାସରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖୋର୍ଧା ଜିଲ୍ଲା ପ୍ରଶାସନକୁ ପୁଣିଥରେ ଚିଠି ଲେଖାଯାଇ କଟକରୁ ଖୋର୍ଧା ସହର ମଧ୍ୟରେ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଜମି ଚିହ୍ନଟ କରିବାକୁ ନିର୍ଦେଶ ଦିଆଯାଇଥିଲା। ଇତି ମଧ୍ୟରେ ୧୫ ମାସ ବିତିଯାଇଥିଲେ ମଧ୍ୟ ଏଦିଗରେ ପଦକ୍ଷେପ ନିଆଯାଇ ନାହିଁ।

ବୁଦ୍ଧିଜୀବୀଙ୍କ ମତରେ ଗୋଟିଏ ଶିକ୍ଷାନୁଷ୍ଠାନର ବିକାଶ ଲାଗି ଅତି କମ୍‌ରେ ୨୦୦ ଏକର ଜମି ଆବଶ୍ୟକ। ରମାଦେବୀ ବିଶ୍ୱବିଦ୍ୟାଳୟକୁ ଆରମ୍ଭରୁ ସଙ୍କୁଚିତ କରା ନ ଯାଉ। ଯଦି କ୍ୟାମ୍ପସ୍‌ର ସମ୍ପ୍ରସାରଣ ପାଇଁ ସରକାର ଚିନ୍ତା କରୁଛନ୍ତି ତେବେ ଅନ୍ୟତ୍ର ଜାଗା ଚିହ୍ନଟ କରି ଦିଅନ୍ତୁ। ଉତ୍କଳରୁ ୪୦ ଏକର ଜମି ରମାଦେବୀର ଭିତ୍ତିଭୂମି ବିକାଶ ଲାଗି ଦିଆଗଲେ କିଛି ବି ହୋଇପାରିବ ନାହିଁ। ଭବିଷ୍ୟତରେ ରମାଦେବୀ ବିଶ୍ୱବିିଦ୍ୟାଳୟର ଗବେଷଣା, ହଷ୍ଟେଲ, ଖେଳ ପଡ଼ିଆ, ଷ୍ଟାଫ୍‌ କ୍ୱାର୍ଟର୍ସ ଆଦିର ଆବଶ୍ୟକତା ରହିଛି। ଭୁବନେଶ୍ୱରରେ ଆଇଆଇଏମ୍‌ ପ୍ରତିଷ୍ଠା ଲାଗି ଯେତେବେଳେ ପ୍ରସ୍ତାବ ଥିଲା ସେତେବେଳେ ଜଟଣୀ ନିକଟରେ ୨୦୦ ଏକର ଲେଖାଏ ଦୁଇଟି ଜାଗା ଚିହ୍ନଟ ହୋଇଥିଲା। ସେହି ଜମିକୁ ରମାଦେବୀ ବିଶ୍ୱବିଦ୍ୟାଳୟକୁ ଦିଆଯାଇପାରିବ। ୭୫ ବର୍ଷର ଉତ୍କଳ ବିଶ୍ୱବିଦ୍ୟାଳୟ ଏବେ ବିଶ୍ୱସ୍ତରୀୟ ହେବାକୁ ଯାଉଛି। ତେଣୁ ଗବେଷଣା, ହଷ୍ଟେଲ ନିର୍ମାଣ ଲାଗି ଆହୁରି ଜମିର ବି ଆବଶ୍ୟକତା ପଡ଼ିବ। ତେଣୁ ଏହାର ଜମିକୁ ହ୍ରାସ କରା ନଯାଇ ବିକଳ୍ପ ବ୍ୟବସ୍ଥା କଥା ଚିନ୍ତା କରାଯାଉ।

ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କହିଛନ୍ତି ଯେ, ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ଭବିଷ୍ୟତକୁ ଚିନ୍ତା କରି ନିଅନ୍ତୁ। ଉଭୟ ବିଶ୍ୱବିଦ୍ୟାଳୟର ଶିକ୍ଷାର ପ୍ରାଣକେନ୍ଦ୍ର। ନାକ୍‌ ‘ଏ+’ ଗ୍ରେଡ୍‌ ମିଳିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ଏବେ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନରେ ପରିଣତ ହେବାକୁ ଯାଉଛି। ଯେଉଁଠି ଆଇଆଇଟି ପାଇଁ ଏକ ହଜାର ଏକର ଜମି ଆବଶ୍ୟକତା ହେଉଛି ତାହା ତୁଳନାରେ ଉତ୍କଳର ୪୦୦ ଏକର ବହୁତ କମ୍‌। ଦୂରଦୃଷ୍ଟି ରଖି ନିଷ୍ପତ୍ତି ନିଅନ୍ତୁ। ଏବିଭିପି, ଛାତ୍ର କଂଗ୍ରେସ ନିଷ୍ପତ୍ତିିକୁ କଡ଼ା ବିରୋଧ କରିଛନ୍ତି। କୌଣସି ପରିସ୍ଥିତିରେ ଉତ୍କଳରୁ ଜମି ଦିଆଯିବ ନାହିଁ। ଜବରଦସ୍ତ ନିଆଗଲେ କ୍ୟାମ୍ପସରେ ନିଆଁ ଜଳିବ। ଜମି ଦେବା ପରିବର୍ତେ କ୍ୟାମ୍ପସକୁ ଜବରଦଖଲ ହଟାନ୍ତୁ ବୋଲି ଉଭୟ ସଙ୍ଗଠନ ଦାବି କରିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ କହିଛନ୍ତି ଯେ, ବିଭାଗ ପ୍ରସ୍ତାବ ଦେଇଛି। ତାହା ଉପରେ କିଛି ଆଲୋଚନା ହୋଇନି। ପୂର୍ବତନ କୁଳପତିଙ୍କ ନିକଟକୁ ପ୍ରସ୍ତାବ ଆସିଥିବା କଥା ସେ ଜାଣି ନ ଥିବା କହିଛନ୍ତି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ର ଏନେଇ କିଛି କହିବାକୁ ମନା କରିଦେଇ ଥିବା ବେଳେ କୁଳସଚିବ ଡ. ଜୟନ୍ତ ନାରାୟଣ ଷଡ଼ଙ୍ଗୀ କହିଛନ୍ତି ଯେ, ଛାତ୍ରୀଙ୍କ ସୁବିଧା ଲାଗି ରାଜ୍ୟ ସରକାର ଦ୍ୱିତୀୟ କ୍ୟାମ୍ପସ କରିବାକୁ ଯେଉଁଠି ଜାଗା ଦେବେ ଆମର କିଛି କରିବାର ନାହିଁ।

ସମ୍ବନ୍ଧିତ ଖବର