ଉତ୍କଳ ସାହିତ୍ୟ ସମାଜର ୧୧୯ତମ ସମାବର୍ତ୍ତନ ଉତ୍ସବ ଉଦ୍‌ଯାପିତ: ପ୍ରତିଭା ରାୟଙ୍କୁ ‘ଉତ୍କଳରତ୍ନ ସମ୍ମାନ’

କଟକ : ଓଡ଼ିଆ ସାହିତ୍ୟକୁ ପୃ‌ଷ୍ଠପୋଷକତା ଦେବାରେ ‘ଉତ୍କଳ ସାହିତ୍ୟ ସମାଜ’ର ଅବଦାନ ଅତୁଳନୀୟ। ଏହାଦ୍ବାରା ଓଡ଼ିଆ ସାହିତ୍ୟ ଅଧିକ ସମୃଦ୍ଧ ହେବା ସହ ଅନେକ ପ୍ରତିଭାସଂପନ୍ନ ସାରସ୍ବତ ସାଧକ ସୃ‌ଷ୍ଟି ହୋଇଛନ୍ତି ଓ ଆଗକୁ ସୃଷ୍ଟି ହେବେ। ସ୍ରଷ୍ଟା ସମ୍ମାନ ପାଇଁ ଲେଖେ ନାହିଁ, କିନ୍ତୁ ସମ୍ମାନ ସ୍ରଷ୍ଟାଙ୍କୁ ଲେଖିବା ପାଇଁ ପ୍ରେରଣା ଦେଇଥାଏ ବୋଲି କହିଛନ୍ତି ସରସ୍ବତୀ ସମ୍ମାନପ୍ରାପ୍ତ କବି ପଦ୍ମଭୂଷଣ ରମାକାନ୍ତ ରଥ। ଶତାବ୍ଦୀଭବନରେ ଆୟୋଜିତ ଉତ୍କଳ ସାହିତ୍ୟ ସମାଜର ୧୧୯ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭା‌ବେ ଯୋଗଦେଇ ଶ୍ରୀ ରଥ, ଡକ୍ଟର ପ୍ରତିଭା ରାୟଙ୍କ ସୃ‌ଷ୍ଟିରେ ପ୍ରତିବାଦର ସ୍ବର ସ୍ପଷ୍ଟ ବାରି ହୁଏ ବୋଲି କହିଥିଲେ। ଆଧୁନିକ ଓଡ଼ିଆ ସାହିତ୍ୟର ମହାରଥୀ ଭାବେ ବିବେଚିତ ସୁରେନ୍ଦ୍ର ମହାନ୍ତି, ଗୋପୀନାଥ ମହାନ୍ତି, କାହ୍ନୁଚରଣ ମହାନ୍ତି, ମନୋଜ ଦାସଙ୍କ ବର୍ଗରେ ପ୍ରତିଭା ରାୟ ସ୍ଥାନିତ ହେବେ ବୋଲି ଶ୍ରୀ ରଥ ଆଶାବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଲେଖିକା ଡକ୍ଟର ସୁଲୋଚନା ଦାସ କହିଲେ, ସାହିତ୍ୟିକମାନଙ୍କ ସୃଷ୍ଟି ଓ ସୃଜନଶୀଳତା ସେମାନଙ୍କୁ ଅମର କରିରଖିବ। ବିପରୀତମୁଖୀ ସଭ୍ୟତାର ସ୍ରୋତରେ ଭାସିଯାଉଥିବା ସମାଜକୁ ସାହିତ୍ୟିକମାନେ ହିଁ ଉଦ୍ଧାର କରିପାରିବେ। ସାହିତ୍ୟ ପାଇଁ, ଜୀବନ ପାଇଁ, ସମାଜ ପାଇଁ ସ୍ମିତହାସ୍ୟ ଓ ସ‌ମ୍ବେଦନଶୀଳତା ଆବଶ୍ୟକ ବୋଲି ଡକ୍ଟର ଦାସ କହିଥିଲେ।

ଅନୁଷ୍ଠାନର ସଭାପତି ତରୁଣ କୁମାର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ଜ୍ଞାନପୀଠ ବିଜୟିନୀ ପଦ୍ମଶ୍ରୀ ଡକ୍ଟର ପ୍ରତିଭା ରାୟଙ୍କୁ ଉତ୍କଳ ସାହିତ୍ୟ ସମାଜର ସର୍ବୋଚ୍ଚ ସମ୍ମାନ ‘ଉତ୍କଳରତ୍ନ’ ପ୍ରଦାନ କରାଯାଇଥିଲା। ସମ୍ମାନସ୍ବରୂପ, ଡକ୍ଟର ରାୟଙ୍କୁ ଅନୁଷ୍ଠାନର ରୌପ୍ୟ ସ୍ମାରକ, ତାମ୍ରଫଳକ, ମାନପତ୍ର ଓ ଉପ‌ଢ଼ୌକନ ଦିଆଯାଇଥିଲା। ଏହି ସହିତ ଭୀମ ପୃ‌ଷ୍ଟିଙ୍କୁ ଶୁକଦେବ ସାହୁ ଉପନ୍ୟାସ ସମ୍ମାନ, ଆର୍ଯ୍ୟ ଯଜ୍ଞଦତ୍ତଙ୍କୁ ଫକୀରମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ଶଙ୍କର ପ୍ରସାଦ ତ୍ରିପାଠୀଙ୍କୁ ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ଡାକ୍ତର ଦୁର୍ଯ୍ୟୋଧନ ଦାସଙ୍କୁ ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନ, ଡକ୍ଟର ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କୁ ଗଙ୍ଗାଧର ମେହେର କବିତା ସମ୍ମାନ, ଶଶିଭୂଷଣ ମିଶ୍ରଙ୍କୁ ରାମକୃଷ୍ଣ ନନ୍ଦ ଶିଶୁ ସାହିତ୍ୟ ସମ୍ମାନ, ଡାକ୍ତର ନିର୍ମଳେନ୍ଦୁ କୁମାର ଦାସଙ୍କୁ ପ୍ରଫୁଲ ଦାସ ଅନୁବାଦ ସାହିତ୍ୟ ସମ୍ମାନ, ଡକ୍ଟର ନିରଞ୍ଜନ ସାହୁଙ୍କୁ ଗୋବିନ୍ଦ ନାରାୟଣ ଆଧ୍ୟାତ୍ମିକ ସାହିତ୍ୟ ସମ୍ମାନ, ଡକ୍ଟର ମନୋରମା ବିଶ୍ବାଳ ମହାପାତ୍ରଙ୍କୁ ବସନ୍ତ କୁମାରୀ ଦେବୀ ଲେଖିକା ସମ୍ମାନ, ପ୍ରଫୁଲ କୁମାର ମହାପାତ୍ରଙ୍କୁ ବିଦ୍ୟାଧର ମିଶ୍ର ଜୀବନୀ ସାହିତ୍ୟ ସମ୍ମାନ, ସୁଭାଷ ଚନ୍ଦ୍ର ଶତପଥୀଙ୍କୁ ଉଦୟନାଥ ଷଡଙ୍ଗୀ ସାମ୍ବାଦିକତା ସମ୍ମାନ, ଡକ୍ଟର କୁଳାଙ୍ଗାରଙ୍କୁ ନୀରଦପ୍ରଭା ହାସ୍ୟବ୍ୟଙ୍ଗ ସମ୍ମାନ, ଡକ୍ଟର ରବୀନ୍ଦ୍ର କୁମାର ପ୍ରହରାଜଙ୍କୁ ବିଶ୍ବନାଥ ମିଶ୍ର ଆତ୍ମଜୀବନୀ ସମ୍ମାନ, ମନୋଜ ମହାନ୍ତିଙ୍କୁ ନବରୂପା ରାଜ ଗୀତିକବିତା ସମ୍ମାନ, ଲକ୍ଷ୍ମୀକାନ୍ତ ପାଲିତଙ୍କୁ କବିଚନ୍ଦ୍ର ସଂଗୀତଗୁରୁ ସମ୍ମାନ, ମନୋରଞ୍ଜନ ପାଣିଗ୍ରାହୀଙ୍କୁ ବିକ୍ରମ ଦାସ ଭ୍ରମଣ କାହାଣୀ ସମ୍ମାନ, ଡକ୍ଟର ନାରାୟଣ ମହାନ୍ତିଙ୍କୁ ପ୍ରଭା ପଟେଲ ରମ୍ୟରଚନା ଓ କବିତା ନିବନ୍ଧ ସମ୍ମାନ, ଡକ୍ଟର ପ୍ରକାଶ କୁମାର ପରିଡ଼ାଙ୍କୁ ବ୍ରହ୍ମାନନ୍ଦ ପଣ୍ଡା ସାଂସ୍କୃତିକ ସଂଗଠନ ସମ୍ମାନ, କ୍ଷେତ୍ରବାସୀ ନାଏକଙ୍କୁ କୈଳାସ ଚନ୍ଦ୍ର ସିଂହ ଯୁବ ସାରସ୍ବତ ସମ୍ମାନ, ବନୋଜ ତ୍ରିପାଠୀଙ୍କୁ ଦେବବ୍ରତ କର ପ୍ରକାଶକ ସମ୍ମାନ, ଡକ୍ଟର ବିଭୁଧେନ୍ଦ୍ର ନାରାୟଣ ପଟ୍ଟନାୟକଙ୍କୁ ନିରଞ୍ଜନ ଦାସ ଭାଷା ସମ୍ମାନ, ଅନସୂୟା ନନ୍ଦଙ୍କୁ ବାଗ୍ମୀ ବିଶ୍ବନାଥ କର ସଂପାଦନା ସମ୍ମାନ, ବଳଦେବ ମହାରଥାଙ୍କୁ ସୁନାମଣି ସାମଲ ଚିତ୍ରଶିଳ୍ପୀ ସମ୍ମାନ ପ୍ରଦାନ କରାଯାଇଥିଲା।

ଅନୁଷ୍ଠାନର ସଂଗଠନ ସଂପାଦକ ଆଦିତ୍ୟ ପ୍ରତାପ ଧଳ ପ୍ରାରମ୍ଭିକ ସୂଚନା ଦେଇଥିବା ବ‌େଳେ ଉପସଭାପତି ସଞ୍ଜିତ କୁମାର ପଟ୍ଟନାୟକ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ଡକ୍ଟର ସୁନାମଣି ରାଉତ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ଜୀବନାନନ୍ଦ ଅଧିକାରୀ, ରାଜୀବ ଷଡଙ୍ଗୀ, ବ୍ରହ୍ମାନନ୍ଦ ବିଶ୍ବାଳ, ବିଜୟଲକ୍ଷ୍ମୀ ନାୟକ, ସରୋଜିନୀ ମିଶ୍ର, ରୀତା ରାୟ, ଡକ୍ଟର ସାରଦା ପ୍ରସାଦ ମହାନ୍ତି, ଅପର୍ଣ୍ଣା ମିଶ୍ର, ସସ୍ମିତା ରାୟ, ବିଶ୍ବମିତ୍ରା ମିଶ୍ର ପ୍ରମୁଖ ସମ୍ବର୍ଦ୍ଧିତ ପ୍ରତିଭାଙ୍କ ଉଦ୍ଦେଶ୍ୟରେ ମାନପତ୍ର ପାଠ କରିଥିଲେ। ଅଧ୍ୟାପକ କମଳ ମାହୁନ୍ତ ଉତ୍ସବ ପରିଚାଳନାରେ ସହାୟତା କରିଥିବା ବେଳେ କୋଷାଧ୍ୟକ୍ଷ ଶୁଭାଶିଷ କର ଧନ୍ୟବାଦ ଦେଇଥିଲେ। ପୂର୍ବାହ୍‌ଣରେ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କବି ପୀତାମ୍ବର ତରାଇ ମୁଖ୍ୟଅତିଥି ଓ କବି ସୁରେଶ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର