ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଅଧ୍ୟକ୍ଷଙ୍କ ସମ୍ମିଳନୀ, ଛାତ୍ରଛାତ୍ରୀଙ୍କ ଜୀବନ ବୀମା କରାଯିବ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ସହବନ୍ଧିତ ମହାବିଦ୍ୟାଳୟଗୁଡ଼ିକର ଅଧ୍ୟକ୍ଷ ସମ୍ମିଳନୀ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ୬୧ଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ସମ୍ମିଳନୀକୁ ଉଦ୍‌ଘାଟନ କରିଥିବା ବେଳେ କୁଳସଚିବ ଅନନ୍ତ ବିଜୟ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ। ମହାବିଦ୍ୟାଳୟଗୁଡ଼ିକର ସମସ୍ୟା ଆଇନ ଅନୁଯାୟୀ ସମାଧାନ କରିବା ଅଧ୍ୟକ୍ଷ ସମ୍ମିଳନୀର ଲକ୍ଷ୍ୟ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ। ମହାବିଦ୍ୟାଳୟର ୱେବ୍‌ସାଇଟ୍‌, ଫାକଲଟି ସୁବିଧା, ପାଠ୍ୟକ୍ରମ ଦେୟ, ପ୍ଲେସମେଣ୍ଟ, ଭିତ୍ତିଭୂମି, ସଠିକ୍ ସମୟରେ ପରୀକ୍ଷା, ରେଜିଷ୍ଟ୍ରେସନ୍, ଡାଟାବେସ୍ ତିଆରି କରିବା ଆଦି ଉପରେ ଆଲୋଚନା କରିଥିଲେ। ଏହାସହ ଛାତ୍ରଛାତ୍ରୀମାନଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ସୃଷ୍ଟି କରାଯିବା ସହ ଅନୁଷ୍ଠାନମାନେ କିପରି ସେମିନାର୍ ଏବଂ ବିଶ୍ବବିଦ୍ୟାଳୟସ୍ତରରେ ଵାର୍କସପ୍ ଆୟୋଜନ ଉପରେ ପ୍ରାଧାନ୍ୟ ଦେବେ, ଗୁରୁତ୍ବାରୋପ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଜୀବନବୀମା ଉପରେ ମଧ୍ୟ ପଦକ୍ଷେପ ନିଆଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି କୁଳପତି ମତବ୍ୟକ୍ତ କରିଥିଲେ। ଏସବୁ ସମୀକ୍ଷା ପାଇଁ ବିଶ୍ବବିଦ୍ୟାଳୟ ତରଫରୁ ଏକ କମିଟି ପଠାଯିବ ବୋଲି ସେ କହିଥିଲେ।

ଏହି ଅବସରରେ ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ୍ କୋର୍ଡିନେଟର୍ ଚକ୍ରଧର ବେହେରା ସେବା ଯୋଜନାରେ ଅଧିକ ମହାବିଦ୍ୟାଳୟ ଖୋଲାଯିବାକୁ ପରାମର୍ଶ ଦେଇଥିଲେ। ଶେଷରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଜଗନ୍ନାଥ କୁଅଁର ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ମନୋଜ କୁମାର ଦାସ ଓ ବିତ୍ତ ନିୟନ୍ତ୍ରକ ରାଜେଶ ମହାନ୍ତ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର