ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡିବାକୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରୟାସ

‘ଆଲୁମିନି ଡିରେକ୍ଟୋରି’ ଉନ୍ମୋଚିତ

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ପର୍କିତ ତଥ୍ୟକୁ ନେଇ ପ୍ରସ୍ତୁତ ‘ଆଲୁମିନି ଡିରେକ୍ଟୋରି’ ଓ ‘ପିଏଚଡି ପୁସ୍ତକ’କୁ ‘ମୋ କଲେଜ ଅଭିଯାନ’ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ ଆଜି ଉନ୍ମୋଚନ କରିଛନ୍ତି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ନାୟକ କହିଛନ୍ତି ଯେ ଏହି ବିଶ୍ୱବିଦ୍ୟାଳୟ ରାଜ୍ୟର ପ୍ରଥମ ଉଚ୍ଚ ଶିକ୍ଷାନୁଷ୍ଠାନ। ଏଭଳି ପଦକ୍ଷେପ ଅନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଉଦାହରଣ। ଏହାଦ୍ୱାରା ପୁରାତନ ଛାତ୍ରଛାତ୍ରୀ ନିଜର ପ୍ରିୟ ଶିକ୍ଷାନୁଷ୍ଠାନ ସହ ଯୋଡ଼ି ରହିବା ସହଜ ହୋଇପାରିବ। ମୋ କଲେଜ ଅଭିଯାନ ହେଉଛି ରାଜ୍ୟ ସରକାରଙ୍କ ଏକ ଅଭିନବ ପରିକଳ୍ପନା। ପୁରାତନ ଛାତ୍ରଛାତ୍ରୀଙ୍କୁ ଏକାଠି କରି ଶିକ୍ଷାନୁଷ୍ଠାନଗୁଡ଼ିକର ସାମଗ୍ରିକ ବିକାଶ କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ।

ଜଣେ ପୁରାତନ ଛାତ୍ରଛାତ୍ରୀ ଚାହିଲେ, ନିଜର ପ୍ରିୟ ଉଚ୍ଚ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ବିଭିନ୍ନ ପ୍ରକାରର ସହଯୋଗ କରିପାରିବେ। ସେମାନେ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ସହ ନିଜର ଜ୍ଞାନ ଓ ଅନୁଭୂତି ବାଣ୍ଟିବା ସହ କଲେଜର ବିକାଶ ପାଇଁ ଆର୍ଥିକ ସହଯୋଗ କରିପାରିବେ। ଏହାବ୍ୟତୀତ ଭବିଷ୍ୟତର କ୍ୟାରିୟର୍‌ ଗଠନ ପାଇଁ ମାର୍ଗଦର୍ଶନ କରିପାରିବେ।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଅଧ୍ୟକ୍ଷତା କରି କହିଲେ, ପୁରାତନ ଛାତ୍ରଛାତ୍ରୀ ହେଉଛନ୍ତି ଆମର ସମ୍ପଦ। ସେମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରିବା ଲାଗି ‘ମୋ କଲେଜ ଅଭିଯାନ’ ସୁଯୋଗ ଆଣିଦେଇଛି। ତେଣୁ ବିଶ୍ୱବିଦ୍ୟାଳୟର ସାମଗ୍ରିକ ବିକାଶ ଉପରେ ଆଲୋଚନା ଲାଗି ପ୍ରତି ମାସରେ ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବୈଠକ କରାଯିବ। ବିଶ୍ବବିଦ୍ୟାଳୟ ୱେବସାଇଟ୍‌ରେ ମଧ୍ୟ ମୁଖପତ୍ର ପ୍ରକାଶିତ ହେବ ବୋଲି କହିଥିଲେ।

‘ଆଲୁମିନି ଡିରେକ୍ଟୋରି’ରେ ଉତ୍କଳ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ନାମ ଓ ଫୋନ ନମ୍ବର ଏବଂ ପିଏଚ୍‌ଡି ପୁସ୍ତିକାରେ ବିଶ୍ବବିଦ୍ୟାଳୟର ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ସବିଶେଷ ତଥ୍ୟ ଉପଲବ୍ଧ ରହିଛି। ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍‌ ଅଶୋକ କୁମାର ନାଏକ ଓ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଥିବା ବିଶ୍ୱବିଦ୍ୟାଳୟର ୩୬ଜଣ ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରାତନ ଛାତ୍ର ସଂଘ ଆବାହକ ତଥା କଲଚର୍‌ ଷ୍ଟଡିଜ୍‌ର ଅଧ୍ୟାପକ ଆଶିଷ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପିଜି କାଉନସିଲ ଅଧ୍ୟକ୍ଷ ଚକ୍ରଧର ବେହେରା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର