୨୩ ବର୍ଷରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ: ମାର୍ଗଦର୍ଶନ କରିବେ ଏମିରିଟସ୍‌ ପ୍ରଫେସର୍‌

ଖୋଲିବ ୪ ଗବେଷଣା ଚେୟାର, ଗୁରୁଙ୍କୁ ଅତିଥି ପ୍ରଫେସର ଭାବେ ନିଯୁକ୍ତି

ଭୁବନେଶ୍ବର: ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ସମୃଦ୍ଧି ଲାଗି ମାର୍ଗଦର୍ଶନ କରିବେ ଏମିରିଟସ୍‌ ପ୍ରଫେସର୍‌। ବିଶ୍ବବିଦ୍ୟାଳୟ କିଭଳି ଆଗକୁ ବଢ଼ିପାରିବ, ପାଠପଢ଼ା‌ ଶୈଳୀରେ ଉନ୍ନତି ଆସିବ ସେନେଇ କଳା, ସଂସ୍କୃତି, ଚିତ୍ରକଳା କ୍ଷେତ୍ରରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ ଏଥିପାଇଁ ନିଯୁକ୍ତି ଦିଆଯାଇଛି। ସେମାନେ କୌଣସି ବେତନ ନେବେନି। ବରଂ ୩ରୁ ୪ ମାସ ବ୍ୟବଧାନରେ ସେମାନେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ନିଜ କ୍ଷେତ୍ରରେ ମାର୍ଗଦର୍ଶନ କରିବେ। ପ୍ରଥମ ପର୍ଯ୍ୟାୟରେ ୮ ଜଣଙ୍କୁ ନି‌ଯୁକ୍ତି ମିଳିଛି। ପରବର୍ତୀ ସମୟରେ ଆହୁରି ଏମିରିଟସ୍‌ ପ୍ରଫେସର ନିଯୁକ୍ତି ଲାଗି ଲକ୍ଷ୍ୟ ରଖାଯାଇଥିବା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ କହିଛନ୍ତି।

ପାରମ୍ପରିକ ଗୁରୁମାନଙ୍କୁ ଅତିଥି ପ୍ରଫେସର୍‌ ଭାବେ ନିଯୁକ୍ତି ଦେବା ନେଇ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ପଦକ୍ଷେପ ନେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ସ୍ଥାପତ୍ୟ, ଚିତ୍ରକଳା ଓ ଯନ୍ତ୍ର ସଙ୍ଗୀତ ପରି ବିଭାଗରେ ୫ ଜଣ ଗୁରୁଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ନିୟମିତ ଭାବେ ବିଶ୍ବବିଦ୍ୟାଳୟକୁ ଆସି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବେ। ଏହାଦ୍ବାରା ଛାତ୍ରଛାତ୍ରୀ ପାଠ୍ୟକ୍ରମ ଶିକ୍ଷା ସହ ଜଡ଼ିତ ବିଭିନ୍ନ ବିଷୟରେ ତାଲିମ ପାଇପାରିବେ। ପ୍ରାକ୍ଟିକାଲ ଉପରେ ଅଧିକ ଗୁରୁତ୍ବ ଦେବେ। ପିଲାମାନେ ମଧ୍ୟ ଉତ୍ସାହିତ ହେବା ସହ କ୍ଲାସ କରିବାକୁ ଆଗ୍ରହ ଦେଖାଇବେ ବୋଲି କର୍ତୃପକ୍ଷ ଆଶାପ୍ରକଟ କରିଛନ୍ତି।

ଗବେଷଣାକୁ ସୁଦୃଢ଼ କରିବା ପାଇଁ ୨୦୨୨ରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କୁଳପତି ପ୍ରଫେସର ତ୍ରିପାଠୀ ସୂଚନା ଦେଇଛନ୍ତି। ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଗବେଷଣା ଲାଗି ଖାରବେଳ ‌ଗବେଷଣା ଚେୟାର ପ୍ରତିଷ୍ଠା ହେବ। ବୌଦ୍ଧ ଧର୍ମ ଉପରେ ଗବେଷଣା ଲାଗି ବୁଦ୍ଧିଷ୍ଟ ଚେୟାର, ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା ଲାଗି ଶ୍ରୀଜଗନ୍ନାଥ ଚେୟାର, ଶାରଳା ଦାସ ଚେୟାର ପ୍ରତିଷ୍ଠା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଚେୟାରଗୁଡ଼ିକ ଖୋଲିବ।

ଏହାଦ୍ବାରା ବିଶ୍ବବିଦ୍ୟାଳୟର ମର୍ଯ୍ୟାଦା ବୃଦ୍ଧି ସହ ଗବେଷଣା ଲାଗି ଗବେଷକଙ୍କ ଆଗ୍ରହ ବଢ଼ିବ। କିଛି ବର୍ଷ ହେଲା ବନ୍ଦ ରହିଥିବା ପିଏଚ୍‌ଡି ପାଠ୍ୟକ୍ରମ ଚଳିତବର୍ଷଠାରୁ ପୁଣିଥରେ ଆରମ୍ଭ କରାଯିବ। ଚଳିତ ମାସରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ୨୦୨୨-୨୩ ଶିକ୍ଷାବର୍ଷରେ ନୂତନ ସାର୍ଟିଫିକେଟ୍‌ ଓ ଡିପ୍ଲୋମା ପାଠ୍ୟକ୍ରମ ଖୋଲିବାକୁ ଯୋଜନା ପ୍ରସ୍ତୁତ ସରିଛି। ମ୍ୟୁଜୋଲୋଜି, ନୃତ୍ୟ, ସଙ୍ଗୀତ ଆଦି ବିଷୟରେ ଡିପ୍ଲୋମା ପାଠ୍ୟକ୍ରମ ଖୋଲିବ ବୋଲି କର୍ତୃପକ୍ଷ ସୂଚନା ଦେଇଛନ୍ତି।

ନୂତନ ନିଯୁକ୍ତି ପାଇଁ ଆନ୍ତରିକତା ନାହିଁ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଏହି ବିଶ୍ବବିଦ୍ୟାଳୟ ୨୩ ବର୍ଷରେ ପଦାର୍ପଣ କରିଛି। ଦେଶର ପ୍ରଥମ ସଂସ୍କୃତି ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଥିଲେ ମଧ୍ୟ ଏହାର ବିକାଶ ଆଖିଦୃଶିଆ ହୋଇପାରି ନାହିଁ। ବଡ଼ ବଡ଼ କୋଠା ନିର୍ମାଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଅଧ୍ୟାପକଙ୍କ ଲାଗି ବାସଭବନ ନିର୍ମାଣ ଏବେ ବି ସପନ ପାଲଟିଛି। ଏହି ବିଶ୍ବବିଦ୍ୟାଳୟ ପରେ ନିର୍ମାଣ ହୋଇଥିବା ଶିକ୍ଷାନୁଷ୍ଠାନଗୁଡ଼ିକର ବିକାଶ ହେଉଥିଲେ ମଧ୍ୟ ଏହି କ୍ୟାମ୍ପସର ବିକାଶ ଲାଗି ସରକାର ଆନ୍ତରିତକା ଦେଖାଉ ନାହାନ୍ତି।

୬ ବର୍ଷ ହେଲା ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଚାଲିଥିଲେ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। ବିଭିନ୍ନ କାରଣ ଲାଗି ବାରମ୍ବାର ଅଧାରେ ଅଟକୁଛି। ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ବି ବାରମ୍ବାର ଚିଠି ଲେଖି ହାଲିଆ ହୋଇଥିଲେ ମଧ୍ୟ ସଂସ୍କୃତି ବିଭାଗ ମନ୍ତ୍ରୀ, ସଚିବଙ୍କ ନିଦ ଭାଙ୍ଗୁନି। ଯେଉଁଥିପାଇଁ ୟୁଜିସି ୧୨(ବି)ରେ ସାମିଲ ହୋଇପାରୁ ନାହିଁ ଦେଶର ଏହି ନାମକରା ବିଶ୍ବବିଦ୍ୟାଳୟ। ଗୋଟିଏ ପଟେ ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ବିଭାଗ ଅଧୀନ ବିଶ୍ବବିଦ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟାକୁ ରାଜ୍ୟ ସରକାର ତ୍ବରାନ୍ବିତ କରୁଥିବା ବେଳେ ଏଠାରେ କାହିଁକି ପାତରଅନ୍ତର କରୁଛନ୍ତି ତାହାକୁ ନେଇ ଶିକ୍ଷାବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର