ଓଟିଟିକୁ ଆସୁ ଓଡ଼ିଆ ଚଳଚ୍ଚିତ୍ର: ବାଚସ୍ପତି

ଉତ୍କଳ ପ୍ରତିଭା ସମ୍ମାନ ଉତ୍ସବ,୨୫ ବ୍ୟକ୍ତିବିଶେଷ ସମ୍ବର୍ଧିତ

ଭୁବନେଶ୍ବର : କୋଭିଡ୍‌ ମହାମାରୀ ପରଠାରୁ ଓଡ଼ିଆ ସିନେଜଗତ ଏକପ୍ରକାର ମାନ୍ଦାବସ୍ଥାକୁ ଚାଲି ଯାଇଛି। ପୂର୍ବ ପରି ନୂଆ ଓଡ଼ିଆ ଚଳଚ୍ଚିତ୍ର ତିଆରି ହେଉ ନଥିବା ବେଳେ କରୋନା ଭୟରେ ଲୋକେ ସିନେମା ହଲ୍‌ ଆସିବାକୁ ଭୟ କରୁଛନ୍ତି। ଏପରି ସ୍ଥିତିରେ ନିର୍ଦ୍ଦେଶକ ଓ ପ୍ରଯୋଜକମାନେ ବୈଷୟିକ ଜ୍ଞାନକୌଶଳର ସହାୟତା ନେବା ଦରକାର। ହିନ୍ଦୀ, ଇଂରାଜୀ, ତାମିଲ ଓ ତେଲୁଗୁ ପରି ଓଡ଼ିଆ ଚଳଚ୍ଚିତ୍ରକୁ ନେଟ୍‌-ଫ୍ଲିକ୍ସ, ଆମାଜନ୍‌ ପ୍ରାଇମ୍‌ ଭଳି ବିଭିନ୍ନ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍‌ କରାଇବା ଦିଗରେ ଧ୍ୟାନ ଦେବା ଆବଶ୍ୟକ। ଏହାଦ୍ବାରା ବ୍ୟବସାୟ ବଢ଼ିବା ସହ ଓଡ଼ିଆ ସିନେଜଗତ ସମୃଦ୍ଧ ହେବ। ପ୍ରେରଣା ଇଣ୍ଟନ୍ୟାସନାଲ୍ ଗ୍ରିନ୍ ଆର୍ମି ଓ ଖୋର୍ଦ୍ଧା ନ୍ୟୁ ଥିଙ୍କିଙ୍ଗ ଫୋରମ୍‌ ପକ୍ଷରୁ ଗୀତଗୋବିନ୍ଦ ସଦନରେ ଆୟୋଜିତ ଉତ୍କଳ ପ୍ରତିଭା ସମ୍ମାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ଏହା କହିଛନ୍ତି।

ଏହି ଅବସରରେ ଓଡ଼ିଶା ବୀର ମହାସଂଘର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନଙ୍କୁ ‘ପାଇକ ସମ୍ରାଟ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସେହିପରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମୋଟ ୨୫ଜଣଙ୍କୁ ସମ୍ବର୍ଧିତ କରାଯାଇଥିଲା। ପୂର୍ବତନ ବିଧାୟକ ତଥା ପ୍ରେରଣାର ସଭାପତି ଡ. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୭ମ ବାଟାଲିୟନ୍‌ର କମାଣ୍ଡାଣ୍ଟ ବିଜୟ ସାହୁ, ହାଇଟେକ୍ ମେଡ଼ିକାଲ କଲେଜ ପ୍ରତିଷ୍ଠାତା ତିରୁପତି ପାଣିଗ୍ରାହୀ, ବରିଷ୍ଠ ଚାଟାର୍ଡ ଆକାଉଣ୍ଟାଣ୍ଟ ଚିତ୍ତରଞ୍ଜନ ବେହେରା, ରାଜ୍ୟ ରେଡକ୍ରସ୍ ଯୁବଅଧିକାରୀ ଅଜୟ କୁମାର ତ୍ରିପାଠୀ, ସମାଜସେବୀ ଗଣେଶ ସାମନ୍ତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ନ୍ୟୁ ଥିଙ୍କିଙ୍ଗ୍‌ ଫୋରମ୍‌ର ସଭାପତି ନରେନ୍ଦ୍ର ପୃଷ୍ଟି ସ୍ବାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧିତ ଖବର