ଦୁଇ ବର୍ଷ ହେଲା ହୋଇନି ବାଣୀବିହାର ସମାବର୍ତନ ଉତ୍ସବ

ଭୁବନେଶ୍ବର: ଦୁଇ ବର୍ଷ ବିତିଗଲାଣି। ହୋଇପାରୁନି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବ। ଶେଷଥର ପାଇଁ ୨୦୧୭ ଫେବ୍ରୁଆରି ୩ରେ ଉତ୍ସବ ଆୟୋଜିତ ହୋଇଥିଲା। ଉକ୍ତ ଉତ୍ସବରେ ୨୦୧୫-୧୬ ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କୁ ମେଡାଲ, ଡିଗ୍ରି ଓ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଥିଲା। ଏହାପରେ ୨୦୧୬-୧୭ ଓ ୨୦୧୭-୧୮ ଶିକ୍ଷାବର୍ଷରେ ଲକ୍ଷାଧିକ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ଅଧୀନରେ ଯୁକ୍ତ ୩, ପିଜି, ଏମ୍‌.ଫିଲ୍‌, ପିଏଚ୍‌ଡି ଡିଗ୍ରି ହାସଲ କରିଥିଲେ ମଧ୍ୟ ସେମାନଙ୍କୁ ଏ ପର୍ଯ୍ୟନ୍ତ ସାର୍ଟିଫିକେଟ୍‌ ମିଳିନି। ଯେଉଁଥିପାଇଁ ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ହଇରାଣ ହେବାକୁ ପଡ଼ୁଛି। କ୍ୟାମ୍ପସ ଅଶାନ୍ତି, ଛାତ୍ର-ଅଣଛାତ୍ର ମୁହାଁମୁହିଁ ଭିତରେ ପ୍ରତିବର୍ଷ ସମାବର୍ତନ ଉତ୍ସବ ଆୟୋଜିତ ହେଉଥିଲା। ଶିକ୍ଷାବର୍ଷ ଶେଷ ହେବା କ୍ଷଣି ଉତ୍ସବ ଆୟୋଜନ ଲାଗି ପ୍ରକ୍ରିୟା ଆରମ୍ଭ କରାଯାଇ ମେଡାଲ ଓ ଡିଗ୍ରି ପ୍ରଦାନ କରାଯାଇଥିଲା। ଏକ ଦଶନ୍ଧି ଧରି ଏହି ପରମ୍ପରା ଚାଲୁଥିବା ବେଳେ ୨୦୧୬-୧୭ ଓ ୨୦୧୭-୧୮ ଶିକ୍ଷାବର୍ଷରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଯେଉଁଥିପାଇଁ ଏହି ଦୁଇଟି ଶିକ୍ଷାବର୍ଷରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରୁ ଲକ୍ଷାଧିକ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସାର୍ଟିଫିକେଟ୍‌ ମିଳିପାରିନି। ବିଶ୍ୱବିଦ୍ୟାଳୟ ଅଧୀନରେ ଏବେ ୩୫୩ଟି କଲେଜ ରହିଛି। ସେଥିମଧ୍ୟରୁ ୨୭୩ଟି ସାଧାରଣ କଲେଜ ଥିବା ବେଳେ ନର୍ସିଂ, ବିବିଏ, ବିସିଏ, ଏମ୍‌ବିବିଏସ୍‌, ଆୟୁର୍ବେଦିକ, ହୋମିଓପାଥିକ୍‌ ପରି ପାଠ୍ୟକ୍ରମର ୮୦ଟି କଲେଜ ରହିଛି। ବିଶ୍ୱବିଦ୍ୟାଳୟ ଅଧୀନରେ ଏସ୍‌ସିବି ମେଡିକାଲ କଲେଜ ରହିଛି। ଏହି ସବୁ କଲେଜର ଛାତ୍ରଛାତ୍ରୀଙ୍କୁ ସମାବର୍ତନ ଉତ୍ସବରେ ୯୬ଟି ପଦକ ଓ ଡିଗ୍ରି ସାର୍ଟିଫିକେଟ୍‌ ପ୍ରଦାନ କରାଯାଏ। ଉତ୍ସବରେ କୁଳାଧିପତି ତଥା ରାଜ୍ୟପାଳ ସାର୍ଟିଫିକେଟ୍‌ ପୁସ୍ତକରେ ଦସ୍ତଖତ ମାରିବା ପରେ ଛାତ୍ରଛାତ୍ରୀ ସାର୍ଟିଫିକେଟ୍‌ ହାସଲ କରିଥାନ୍ତି।

ବଡ଼ କଥା ହେଉଛି ଯେ ରାଜ୍ୟର ଏହି ପୁରାତନ ବିଶ୍ବବିଦ୍ୟାଳୟର ସମାବର୍ତନ ଉତ୍ସବରେ ବ୍ୟତିକ୍ରମ ଦେଖିବାକୁ ମିଳୁଥିବା ବେଳେ ନୂଆ କରି ପ୍ରତିଷ୍ଠା ହୋଇଥିବା ବିଶ୍ବବିଦ୍ୟାଳୟଗୁଡ଼ିକ ଇତି ମଧ୍ୟରେ ସମାବର୍ତନ ଉତ୍ସବ ଶେଷ କରି ସାରିଲେଣି। ହେଲେ ଦୁଇଟି ଯାକ ସମାବର୍ତ୍ତନ ଉତ୍ସବ ବର୍ତମାନର କୁଳପତି ପ୍ରଫେସର ‌ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ସମୟରେ ହିଁ ହୋଇପାରିନି। ତାଙ୍କ ପୂର୍ବରୁ କୁଳପତି ଥିବା ପ୍ରଫେସର ଅଶୋକ କୁମାର ଦାସଙ୍କ ସମୟରେ ନିୟମିତ ଭାବେ ଉତ୍ସବ ଆୟୋଜିତ ହୋଇଥିଲା। ହେଲେ ବର୍ତମାନର କୁଳପତି ଉତ୍ସବ ଆୟୋଜନ କରିବା ଦିଗରେ କାହିଁକି ଆନ୍ତରିକତା ପ୍ରକାଶ କରୁନାହାନ୍ତି ସେନେଇ ସନ୍ଦେହ ଉପୁଜିଛି। ମିଳିଥିବା ସୂଚନା ଅନୁଯାୟୀ, ଦୁଇ ମାସ ତଳେ ଉତ୍ସବ ଆୟୋଜନ ପାଇଁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କିଛିଟା ଉତ୍ସାହ ଦେଖାଇଥିଲେ। କୁଳାଧିପତି ତଥା ରାଜ୍ୟପାଳଙ୍କୁ ମଧ୍ୟ ଏକ ଚିଠି ଲେଖାଯାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଉତ୍ସବରେ ମୁଖ୍ୟଅତିଥି କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ଫାଇଲ୍‌ ସେବେଠାରୁ ଯାଇଛି ଯେ ଯାଇଛି। କୌଣସି ଉତ୍ତର ମିଳିନି। ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ବି ଏଦିଗରେ ମନ ବଳାଉନାହାନ୍ତି। ଚିଠି ଲେଖି ସମସ୍ତେ ଏକ ପ୍ରକାର ବସି ଯାଇଛନ୍ତି।

ମାର୍ଚ୍ଚ ୩୦ରେ ରମାଦେବୀର ପ୍ରଥମ ସମାବର୍ତନ ଉତ୍ସବ
୨୦୧୫ରେ ପ୍ରତିଷ୍ଠା ହୋଇଥିବା ରାଜ୍ୟର ୪ଟି ନୂଆ ବିଶ୍ବବିଦ୍ୟାଳୟ ମଧ୍ୟରୁ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ପ୍ରଥମ ସମାବର୍ତନ ଉତ୍ସବ ଇତି ମଧ୍ୟ‌ରେ ଶେଷ ହୋଇଛି। ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ଦିଆସରିଲାଣି। ସେହି ସମୟରେ ପ୍ରତିଷ୍ଠା ହୋଇଥିବା‌ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ପାଳନରେ କାହିଁକି ବିଳମ୍ବ ହେଉଛି ବୋଲି ଛାତ୍ରୀମାନେ ପ୍ରଶ୍ନ ଉଠାଇଛନ୍ତି। ଏନେଇ କର୍ତୃପକ୍ଷଙ୍କ ନିକଟରେ ଦାବି କରିବା ପରେ କିଛିଟା ତତ୍ପରତା ପ୍ରକାଶ କରାଯାଇଛି। ବିଶ୍ବବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ ଦୁଇ ବର୍ଷର ସମାବର୍ତନ ଉତ୍ସବ ଏକାଥରେ କରିବାକୁ ନିଷ୍ପତ୍ତି ହୋଇଛି। ବିଶ୍ବବିଦ୍ୟାଳୟର ପ୍ରଥମ ସମାବର୍ତନ ଉତ୍ସବ ଆସନ୍ତା ମାର୍ଚ୍ଚ ୩୦ରେ କରିବାକୁ ପ୍ରାୟତଃ ସ୍ଥିର ହୋଇଛି। ଅତିଥି ଚୟନ ହୋଇପାରିନି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି କରିବାକୁ ଆଲୋଚନା ଚାଲିଥିବା ବିଶେଷ ସୂତ୍ରରୁ ଖବର ମିଳିଛି। ଯଦି ରାଷ୍ଟ୍ରପତି ସମୟ ନ ଦିଅନ୍ତି, ତେବେ ଅନ୍ୟ କାହାକୁ ଅତିଥି କରାଯିବ ସେନେଇ ବିଚାରବିମର୍ଶ କରାଯାଉଥିବା ଅଧିକାରୀ ଜଣଙ୍କ କହିଛନ୍ତି।

ସମ୍ବନ୍ଧିତ ଖବର