ଉତ୍କଳ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ମନମାନି, ଫିଜିଓଥେରାପି ପିଲାଙ୍କ ଭବିଷ୍ୟତ ସହ ଖେଳ
ପରୀକ୍ଷା ଘୁଞ୍ଚାଇବାକୁ ହାଇକୋର୍ଟଙ୍କ ନିର୍ଦେଶ
ଭୁବନେଶ୍ବର : ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି ଉତ୍କଳ ବିଶ୍ବବିଦ୍ୟାଳୟ। ପରୀକ୍ଷା ପରିଚାଳନାରେ ବାରମ୍ବାର ବିଭ୍ରାଟ ହୋଇଥିବାରୁ ଅନେକ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉପଯୁକ୍ତ ନ୍ୟାୟ ପାଇ ପାରୁନାହାନ୍ତି। କାହାକୁ ସାର୍ଟିଫିକେଟ୍ ମିଳୁନି ତ ଆଉ କାହାର ପରୀକ୍ଷା ଫଳ ସ୍ଥଗିତ ରହୁଛି। ପୂର୍ବରୁ ଏଭଳି ଅନେକ ଅଭିଯୋଗ ଆସିଥିବା ବେଳେ ଏବେ ପରୀକ୍ଷାର୍ଥୀଙ୍କୁ କିଭଳି ହଇରାଣ କରାଯାଉଛି ତାହା ପଦାକୁ ଆସିଛି।
ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ନୀଳାଚଳ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ସମେତ ଅନ୍ୟ ୫ଟି କଲେଜରେ ଥିବା ବ୍ୟାଚଲର୍ ଅଫ୍ ଫିଜିଓଥେରାପି(ବିପିଟି) ପାଠ୍ୟକ୍ରମର ପ୍ରଥମ ଓ ତୃତୀୟ ସେମିଷ୍ଟର ପରୀକ୍ଷା ପାଇଁ ମେ’ ୧୪ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଜୁନ୍ ୪ ଓ ୭ ତାରିଖରେ ଯଥାକ୍ରମେ ପ୍ରଥମ ଓ ତୃତୀୟ ସେମିଷ୍ଟର ପରୀକ୍ଷା କରାଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ତେବେ ବାତ୍ୟା ଯୋଗୁଁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ସ୍ବତନ୍ତ୍ର ରିଲିଫ କମିସନର (ଏସ୍ଆରସି) ମେ’ ୨ରେ ବିଜ୍ଞପ୍ତି ଜାରି କରିଥିଲେ। ତାହାକୁ ଆଧାର କରି ନୀଳାଚଳ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ କର୍ତୃପକ୍ଷ ଜୁନ୍ ୧୮ ଯାଏ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି। ଏନେଇ ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ରାଜ୍ୟ ସରକାର ଓ ଏସ୍ଆରସିଙ୍କୁ ଜଣାଇ ଦେଇଥିଲେ। ଛୁଟି ହୋଇଥିବାରୁ ବାହାର ରାଜ୍ୟର ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ି ପଳାଇ ଯାଇଛନ୍ତି। ତେଣୁ ଏହି ସମୟରେ ପରୀକ୍ଷା ନ କରିବାକୁ ଅନୁରୋଧ କରାଯାଇଥିଲା।
ତେବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅଣଦେଖା କରି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ୧୪ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ତାହାକୁ ଆଧାର କରି କଲେଜ ପକ୍ଷରୁ ଗତ ୨୧ ତାରିଖରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ଏନେଇ ଅବଗତ କରାଯାଇଥିଲା। ଗ୍ରୀଷ୍ମ ଛୁଟି ପରେ ପରୀକ୍ଷା କରିବାକୁ କଲେକ କର୍ତୃପକ୍ଷ ଅନୁରୋଧ କରିଥିଲେ। ଯଦି ଛୁଟି ଭିତରେ ପରୀକ୍ଷା କରାଯାଏ ତେବେ ବହୁ ଛାତ୍ରଛାତ୍ରୀ ପରୀକ୍ଷାରୁ ବଞ୍ଚିତ ହେବେ ବୋଲି ଦର୍ଶାଯାଇଥିଲା। ଏହାପରେ ବି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ। ଯେଉଁଥିପାଇଁ କଲେଜ ତରଫରୁ ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ କରାଯାଇଥିଲା। ଗତ ୨୯ ତାରିଖରେ ଏହାର ଶୁଣାଣି କରି ହାଇକୋର୍ଟଙ୍କ ଡିଭିଜନ୍ ବେଞ୍ଚ ରାୟ ପ୍ରକାଶ କରିଛନ୍ତି। ଗତ ୨୧ ତାରିଖରେ କଲେଜ ପକ୍ଷରୁ ଯେଉଁ ତଥ୍ୟ ଦିଆଯାଇଥିଲା ତାହାକୁ କାର୍ଯ୍ୟକାରୀ କରିବା ସହ ଜୁଲାଇ ଦ୍ବିତୀୟ ସପ୍ତାହ ଭିତରେ ଉକ୍ତ ପରୀକ୍ଷା କରିବା ପାଇଁ ନିର୍ଦେଶ ଦେଇଛନ୍ତି।