ଭୁବନେଶ୍ବର: ସେପ୍ଟେମ୍ବର ଶେଷ ସପ୍ତାହରେ ଛାତ୍ର ସଂସଦ ନିର୍ବାଚନ। ହାତରେ ଆଉ ମାତ୍ର ୪୦ଦିନ ବାକି ଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଦଖଲ କରିବାକୁ ରାଜ୍ୟର ତିନି ଛାତ୍ର ସଙ୍ଗଠନ ପାଗ ଭିଡ଼ିଲେଣି। କଳେବଳେ କୌଶଳେ ରାଜନୀତିର ଏନ୍ତୁଡ଼ିଶାଳକୁ ଦଖଲ କରିବାକୁ ଲାଗି ପଡ଼ିଛନ୍ତି। କ୍ୟାମ୍ପସରେ ରାଜନୀତି ଉଷ୍ମତା ଭରୁଥିବା ବେଳେ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଗସ୍ତକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। କ୍ୟାମ୍ପସ୍ ଭିତରେ ପିଜି ପ୍ରଥମବର୍ଷ ଛାତ୍ରଛାତ୍ରୀଙ୍କ ଲାଗି ଏକ ଇଣ୍ଡକ୍ସନ୍ କ୍ଲାସ କରାଯାଇଥିଲା। ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସାହୁ ମୁଖ୍ୟ ଅତିଥି ଭାବେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉପଦେଶ ଦେଇଥିଲେ। କ୍ୟାମ୍ପସ୍ରେ ଶୈକ୍ଷିକ ବାତାବରଣ ବଜାୟ ରଖିବା, ଶାନ୍ତିଶୃଙ୍ଖଳା ରଖିବା, ପାଠପଢ଼ା ପ୍ରତି ମନୋନିବେଶ କରିବାକୁ ନୂତନ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ତେବେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁଙ୍କ ଗସ୍ତକୁ ନେଇ ବିରୋଧୀ ଛାତ୍ର ସଙ୍ଗଠନ ରାଜନୀତିର ଗନ୍ଧ ବାରିଛନ୍ତି। ସେମାନଙ୍କ ଅଭିଯୋଗ ହେଉଛି ଯେ କ୍ୟାମ୍ପସରେ ଛାତ୍ର ବିଜେଡିର ପତିଆରା କମୁଛି। ତେଣୁ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ମନ୍ତ୍ରୀ କ୍ୟାମ୍ପସକୁ ଗସ୍ତ କରି ନୂତନ ଛାତ୍ରଛାତ୍ରୀଙ୍କୁ ସଙ୍ଗଠନ ଆଡ଼କୁ ଆକୃଷ୍ଟ କରିବାକୁ ଚାହୁଛନ୍ତି। ନୂତନ ଛାତ୍ରଛାତ୍ରୀଙ୍କ ଲାଗି ଇଣ୍ଡକ୍ସନ କ୍ଲାସ ହେଉଥିବା ବେଳେ ବହୁ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଦେଖିବାକୁ ମିଳିଥିଲା। ପିଜି ପାଠପଢ଼ା ଶେଷ କରିଥିବା କିଛି ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଏହାଦ୍ବାରା ଶୈକ୍ଷିକ ବାତାବରଣ ସୃଷ୍ଟି ନୁହେଁ, ବରଂ ନଷ୍ଟ କରାଯାଇଛି। କାରଣ ଦର୍ଶାଇ ଛାତ୍ର ସଙ୍ଗଠନ ଏବିଭିପି କହିଛି ଯେ ପିଜି ପାଠ୍ୟକ୍ରମରେ ପ୍ରତିବର୍ଷ ୨୨୦୦ ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି। ତେବେ ସବୁ ପିଲାଙ୍କୁ ଇଣ୍ଡକ୍ସନ କ୍ଲାସକୁ ଡକାଯାଇ ନଥିଲା। ପ୍ରେକ୍ଷାଳୟରେ ୪୨୦ ଛାତ୍ରଛାତ୍ରୀଙ୍କ ବସିବା ଲାଗି ବ୍ୟବସ୍ଥା ରହିଛି। ଭାଗ ନେଇଥିଲେ ମାତ୍ର ୩୦୦। ଏହା କିଭଳି ଇଣ୍ଡକ୍ସନ କ୍ଲାସ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। କ୍ୟାମ୍ପସର ବିକାଶ ଉପରେ ମନ୍ତ୍ରୀ ଶ୍ରୀ ସାହୁ ଓ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଗୁରୁତ୍ବାରୋପ କରିଥିଲେ। ଆଗାମୀ ଦିନରେ ଏକ ବଡ଼ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସାହୁ ପରୋକ୍ଷରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ଉତ୍କଳ ବିଶ୍ବବିଦ୍ୟାଳୟରେ ଇଣ୍ଡକ୍ସନ୍ କାର୍ଯ୍ୟକ୍ରମ, ମନ୍ତ୍ରୀଙ୍କ ଯୋଗଦାନକୁ ନେଇ ରାଜନୀତି
ନାମ ଲେଖାଇଛନ୍ତି ୨୨୦୦, ଭାଗନେଲେ ୩୦୦ ଛାତ୍ରଛାତ୍ରୀ
/sambad/media/post_attachments/wp-content/uploads/2019/08/Utkaluniversity-bk.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)