ଭଡ଼ାରେ ଲାଗିଛି ବାଣୀବିହାର କ୍ବାର୍ଟର୍ସ, ଅଣ-ଶିକ୍ଷକଙ୍କ କ୍ବାର୍ଟରରେ ରହୁଛନ୍ତି ଅସାମାଜିକ

ଛାତ୍ରଛାତ୍ରୀଙ୍କ ଦାବି ପରେ କୁଳପତି ମାନିଲେ, ଚଢ଼ଉ କରିବାକୁ ଦେଲେ ପ୍ରତିଶ୍ରୁତି

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ଭିତ୍ତିଭୂମିର ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ପଦାକୁ ଆସୁଛି। ହଷ୍ଟେଲରେ ଅଣଛାତ୍ର ରହୁଥିବାରୁ ୬ ମାସ ତଳେ ସେମାନଙ୍କୁ କଢ଼ା ଯାଇଥିଲା। ସେବେଠାରୁ ଗୋଟିଏ ହଷ୍ଟେଲରେ ତାଲା ପଡ଼ିଛି ଯେ ଆଜି ପର୍ଯ୍ୟନ୍ତ ଖୋଲୁନି। କେବେ ଖୋଲିବ, ତାହାର ଉତ୍ତର କାହା ପାଖରେ ନାହିଁ। ଏଣେ କ୍ୟାମ୍ପସ ଭିତରକୁ ବସ୍ତି ମାଡ଼ି ମାଡ଼ି ଚାଲିଛି। ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସବୁଠି ବସ୍ତିବା‌ସିନ୍ଦାଙ୍କ ଆଡ଼ା ଜମୁଛି। କ୍ୟାମ୍ପସରୁ ବସ୍ତି ଉଚ୍ଛେଦ ତ ଦୂରର କଥା; ଏ ପର୍ଯ୍ୟନ୍ତ ବସ୍ତି ଚିହ୍ନଟ ହୋଇପାରିନି।

ଏବେ ଆଉ ଏକ ଗୁମର ଖୋଲିଛନ୍ତି ଛାତ୍ରଛାତ୍ରୀ। କ୍ୟାମ୍ପସରେ ଅଣ-ଶିକ୍ଷକଙ୍କ ପାଇଁ ଥିବା କ୍ବାର୍ଟରଗୁଡ଼ିକ ଏବେ ଭଡ଼ା ଲାଗିଛି। ୧୫ରୁ ଅଧିକ ଅଣ-ଶିକ୍ଷକ କ୍ବାର୍ଟରକୁ ଭଡ଼ାରେ ଲଗାଇଛନ୍ତି। ନିଜେ କ୍ୟାମ୍ପସ ବାହାରେ ରହୁଥିବା ବେଳେ କ୍ବାର୍ଟରକୁ ଅଟୋ ଚାଳକ, ଉଠା ଦୋକାନୀଙ୍କୁ ଭଡ଼ାରେ ଦେଇଛନ୍ତି। ଆଉ କେତେକ ଅଣ-ଶିକ୍ଷକ କ୍ବାର୍ଟରକୁ ଲାଗି ବେଆଇନ ଘର ନିର୍ମାଣ କରିବା ସହ ତାହା ଭଡ଼ା ଆକାରରେ ଦେଇଛନ୍ତି। ଏ ବାବଦରେ ଅଣ-ଶିକ୍ଷକମାନେ ମାସକୁ ମାସ ଦୁଇରୁ ତିନି ହଜାର ଟଙ୍କା ଭଡ଼ା ଆକାରରେ ପାଉଛନ୍ତି। ଯେଉଁମାନେ କ୍ୟାମ୍ପସରେ ଭଡ଼ାରେ ରହୁଛନ୍ତି, ସେମାନେ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଏ ସମ୍ପର୍କରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଅବଗତ ଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

ଦୁଇଦିନ ତଳେ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଓ ଛାତ୍ର ପ୍ରତିନିଧିଙ୍କ ମଧ୍ୟରେ ଚାଲିଥିବା ଗୁପ୍ତ ବୈଠକରେ ଛାତ୍ରଛାତ୍ରୀ ଏଭଳି ଅଭିଯୋଗ ଆଣିଥିଲେ। କୁଳପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏ ଦିଗରେ ପଦକ୍ଷେପ ନେବାକୁ କୁଳପତିଙ୍କ ନିକଟରେ ଦାବି ଜଣାଇଥିଲେ। କହିଥିଲେ ଯେ ବାହାର ଲୋକ କ୍ୟାମ୍ପସରେ ରହିବା ଦ୍ବାରା ନିଶାଦ୍ରବ୍ୟ କାରବାର ବୃଦ୍ଧି ପାଉଛି। ଛାତ୍ରଛାତ୍ରୀ ନିଶା କବଳରେ ପଡ଼ୁଛନ୍ତି। ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ପୁଲିସ ବି ନିରବଦ୍ରଷ୍ଟା ସାଜିଛି। ତେଣୁ ଭଡ଼ା ଲାଗିଥିବା କ୍ବାର୍ଟର୍‌ଗୁଡ଼ିକୁ ଚିହ୍ନଟ କରି ଭଡ଼ାଟିଆଙ୍କୁ ବାହାର କରାଯାଉ। ବାଣୀବିହାର କ୍ୟାମ୍ପସକୁ ଭଡ଼ାଟିଆମୁକ୍ତ କରାଯାଉ। ହଷ୍ଟେଲରେ ଅଣଛାତ୍ର ରହୁଥିବାରୁ ସେମାନଙ୍କୁ ତଡ଼ାଗଲା। କିନ୍ତୁ କ୍ୟାମ୍ପସର ଚାରି ପାଖକୁ ବସ୍ତି ଘେରି ରହିଥିଲେ ମଧ୍ୟ ତାହାକୁ ହଟା ଯାଇପାରୁନି। ଭୋକ ବିକଳରେ ତାଟିଆ କାମୁଡ଼ିବା ଭଳି ଛାତ୍ରଛାତ୍ରୀଙ୍କ ଉପରେ ଅଯଥା ଚାପ ସୃଷ୍ଟି କରା ନ ଯାଉ।

ଅଭି‌ଯୋଗ ସଂପର୍କରେ କୁଳପତି ପ୍ରଫେସର ପଟ୍ଟନାୟକ କହିଥିଲେ ଯେ ଆମେ ପଦକ୍ଷେପ ନେବୁ। ଯେଉଁମାନଙ୍କ କ୍ବାର୍ଟର ଭଡ଼ା ଲାଗିଛି, ତାହା ଚିହ୍ନଟ ହେବ। ଯେଉଁମାନେ ଭଡ଼ା ଦେଇଛନ୍ତି, ପ୍ରଥମେ ସେମାନଙ୍କୁ ଚିହ୍ନଟ କରାଯିବା ସହ କାରଣଦର୍ଶାଅ ନୋଟିସ୍‌ ଜାରି ହେବ। ଏହାପରେ ଭଡ଼ାଟିଆଙ୍କୁ ତଡ଼ାଯିବ। କ୍ୟାମ୍ପସରୁ ବସ୍ତି ହଟାଇବା ଲାଗି ମଧ୍ୟ ପଦକ୍ଷେପ ନିଆଯିବ ବୋଲି ବୈଠକରେ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ‌ଦେଇଥିଲେ।

ପୁରୁଣା କୋଠା ସଜାଡ଼
ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ବବିଦ୍ୟାଳୟଗୁଡ଼ିକ ଭିତ୍ତିଭୂମି ନେଇ ଚିନ୍ତାପ୍ରକଟ କରାଯାଇଛି। ସବୁ କ୍ୟାମ୍ପସରେ ଏକାଧିକ କୋଠା ଅଚଳ ହୋଇପଡ଼ିଛି। କେଉଁ କୋଠାରୁ ପା ଣିଗଳୁଛି ତ ଆଉ କାହାର କାନ୍ଥରେ ଗଛ ଉଠିଲାଣି। କେତେକ କୋଠା ଏବେ ଭୂତକୋଠି ପାଲଟିଛି। ବିଶେଷକରି ଉତ୍କଳ ବିଶ୍ବବିଦ୍ୟାଳୟରେ ଏବେ ୧୦ରୁ ଅଧିକ କୋଠା ଭୂତକୋଠି। ମରାମତି ‌ହେଉନି କି ଏ ଦିଗରେ କର୍ତୃପକ୍ଷ ପଦକ୍ଷେପ ନେଉନାହାନ୍ତି। ଯେଉଁଥିପାଇଁ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଉତ୍କଳ ସମେତ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖି କହିଛନ୍ତି ଯେ ପ୍ରଥମେ ପୁରୁଣା କୋଠା ସଜାଡ଼। ପରେ ନୂଆ କୋଠା ନିର୍ମାଣ କରିବ। ସ୍ପଷ୍ଟ ଭାବେ କହିଛନ୍ତି ଯେ ନୂତନ କୋଠା ନିର୍ମାଣ ହେଲା ପରେ ବିଶ୍ବବିଦ୍ୟାଳୟରେ ପୂର୍ବରୁ ଥିବା ଅଫିସ୍‌ କାର୍ଯ୍ୟାଳୟ, ବିଭାଗ କୋଠା, କ୍ଲାସରୁମ୍‌, ଲାବୋରେଟାରି, ପ୍ରେକ୍ଷାଳୟ, ଶୌଚାଳୟ, ହଷ୍ଟେଲ, ଷ୍ଟାଫ୍‌ କ୍ବାର୍ଟରଗୁଡ଼ିକ ମରାମତି କରାଯାଉନାହିଁ। ‌ଯେଉଁଥିପାଇଁ କୋଠାଗୁଡ଼ିକ ନଷ୍ଟ ହେଉଛି। ତେଣୁ ଏଦିଗରେ ପଦକ୍ଷେପ ନେବାକୁ କୁଳପତିମାନଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର