ଉତ୍କଳ ବିଶ୍ବବିଦ୍ୟାଳୟରେ ଲାଗିବ ଅଗ୍ନି ନିର୍ବାପକ ଯନ୍ତ୍ର

ଭୁବନେଶ୍ବର : ଦୁଇ ଦିନ ତଳେ ସିଣ୍ଡିକେଟ୍‌ ହଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୫୦ଲକ୍ଷ ଟଙ୍କାର ସଂପତ୍ତି ଜଳି ପୋଡ଼ି ପାଉଁଶ ହୋଇଯିବା ପରେ ଆଜି ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚେତା ପଶିଛି। କେଉଁ ପରିସ୍ଥିତିରେ ନିଆଁ ଲାଗିଲା ଓ ଆଗକୁ ଏପରି ପରିସ୍ଥିତି ସୃଷ୍ଟି ହେଲେ, କିପରି ନିଆଁକୁ ଆୟତ୍ତ କରାଯିବ, ସେଥିପାଇଁ ଏକ ଟିମ୍‌ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି।

ଏହି ଟିମ୍‌‌ରେ ଅଗ୍ନିଶମ ବିଭାଗ, ବିଦ୍ୟୁତ୍‌ ବିଭାଗ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ରହିବେ। ସେମାନେ ବିଶ୍ବବିଦ୍ୟାଳୟର ପ୍ରାଶାସନିକ କୋଠାରୁ ଆରମ୍ଭ କରି ସମସ୍ତ ବିଭାଗ, ହଷ୍ଟେଲ୍‌, ଅଡିଟୋରିୟମ, ସ୍ନାତ୍ତୋକତ୍ତର ପରିଷଦ, ସ୍ପୋର୍ଟସ୍‌ କାଉନ୍‌ସିଲ୍‌ ଆଦି କୋଠା‌ଗୁଡ଼ିକର ଯାଞ୍ଚ କରି ରିପୋର୍ଟ ପ୍ରସ୍ତୁତ କରିବେ। ସେହି ରିପୋର୍ଟକୁ ଆଧାର କରି ପଦକ୍ଷେପ ନିଆଯିବ। ଯେଉଁଠାରେ ସମସ୍ୟା ଥିବ, ତାହାର ତୁରନ୍ତ ସମାଧାନ କରାଯିବ ବୋଲି କୁଳପତି ପ୍ରଫେସର୍‌ ସୌମେନ୍ଦ୍ର ମୋହନ ପଟ୍ଟନାୟକ କହିଛନ୍ତି। ସେହିପରି କୋଠାଗୁଡ଼ିକରେ ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଇବା ପାଇଁ ମଧ୍ୟ ଯୋଜନା କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଟେ ସିଣ୍ଡିକେଟ୍‌ ହଲ୍‌ରେ ଘଟିଥିବା ଅଗ୍ନିକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି।

ସମ୍ବନ୍ଧିତ ଖବର