ସଫଳତା ପଥେ ଉତ୍କଳ ବିଶ୍ୱବିିଦ୍ୟାଳୟ

ଓଡ଼ିଶାର ୪ ବିଶ୍ୱବିିଦ୍ୟାଳୟକୁ ସ୍ୱୟଂଶାସିତ ମାନ୍ୟତା

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ଇତିହାସରେ ଯୋଡି ହୋଇଛି ଆଉ ଏକ ନୂଆ ଅଧ୍ୟାୟ। ନୂଆଦିଲ୍ଲୀସ୍ଥିତ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ(ୟୁଜିସି) ପକ୍ଷରୁ ଓଡ଼ିଶାର ଏକ ମାତ୍ର ସରକାରୀ ବିଶ୍ୱବିଦ୍ୟାଳୟ ଭାବେ ଉତ୍କଳକୁ ସ୍ୱୟଂଶାସିତ ମାନତା ପ୍ରଦାନ କରାଯାଇଛି। ଏହାଦ୍ୱାରା ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଓ ଉତ୍କଳକୁ ଉତ୍କର୍ଷ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ପଥ ଉନ୍ମୁକ୍ତ ହୋଇଛି। ୭୫ବର୍ଷ ପୂର୍ତ୍ତି ପାଳନ ତଥା ପ୍ଲାଟିନମ୍‌ ଜୁବ୍‌ଲି ବର୍ଷ ଅବସରରେ ବିଶ୍ୱବିଦ୍ୟାଳୟକୁ ସ୍ୱୟଂଶାସିତ ମାନ୍ୟତା ମିଳିବ ଗର୍ବ ଓ ଗୌରବର ବିଷୟ ହୋଇଥିବାରୁ କ୍ୟାମ୍ପସରେ ଖୁସିର ପ୍ରକାଶ ପାଇଛି।

ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜିଭିଭି ଶର୍ମା କହିଛନ୍ତି ଯେ ୬୨ଟି ଶିକ୍ଷାନୁଷ୍ଠାନକୁ ସ୍ୱୟଂଶାସିତ ମାନ୍ୟତା ଦିଆଯାଇଛି। ସେଥିମଧ୍ୟରେ ଉତ୍କଳ ସ୍ଥାନ ପାଇବା ସମ୍ମାନର କଥା। ୨୧ଟି ରାଜ୍ୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ଉତ୍କଳକୁ ସପ୍ତମ ସ୍ଥାନ ମିଳିବା ଗୌରବର ବିଷୟ। ମେରିଟ୍‌ ଲିଷ୍ଟ ଅନୁଯାୟୀ ସ୍ୱୀକୃତି ମିଳିଥିବାରୁ ଏହା ଉତ୍କର୍ଷ କେନ୍ଦ୍ର ଭାବେ ପରିଣତ ହୋଇପାରିବ। ରାଜ୍ୟ ସରକାରଙ୍କ ପକ୍ଷରୁ ସବୁପ୍ରକାର ସହଯୋଗ ପ୍ରଦାନ କରାଯିବ।

ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ କହିଛନ୍ତି ଯେ ଏହି ମାନ୍ୟତା ବିଶ୍ୱବିଦ୍ୟାଳୟକୁ ଆଗକୁ ନେବାରେ ସହାୟକ ହେବ। ଶିକ୍ଷକ, ଛାତ୍ରଛାତ୍ରୀ, କର୍ମଚାରୀ ଓ ଅଂଶୀଦାରଙ୍କ ସହଯୋଗ ହେତୁ ବିଶ୍ୱବିଦ୍ୟାଳୟକୁ ସ୍ୱୟଂଶାସିତ ମାନ୍ୟତା ମିଳିପାରିଛି। ଉତ୍କଳକୁ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ଉଦ୍ୟମ ଜାରି ରହିବ। ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କହିଛନ୍ତି ଯେ ଏହା ଏକ ବଡ଼ ସଫଳତା। ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ବ୍ୟାପକ କରିବା କ୍ଷେତ୍ରରେ ଏହା ଏକ ସୁବର୍ଣ୍ଣ ସୁଯୋଗ।

ଉତ୍କଳ ସମେତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ), କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓ କିଟ୍‌ ବିଶ୍ୱବିଦ୍ୟାଳୟକୁ ଏହି ମାନ୍ୟତା ମିଳିଛି। ସ୍ୱୟଂଶାସିତ ମାନ୍ୟତା ପାଇଥିବା ଶିକ୍ଷାନୁଷ୍ଠାନଗଡ଼ିକ ୟୁଜିସି ଅଧୀନରେ ରହିଲେ ମଧ୍ୟ ସେମାନେ ନିଜସ୍ୱ ପାଠ୍ୟକ୍ରମ ପରିଚାଳନା କରିବାର ସ୍ୱାଧୀନତା ଦିଆଯିବ। ଶିକ୍ଷାନୁଷ୍ଠାନଗୁଡିକ ଅଫ୍‌ କ୍ୟାମ୍ପସ୍‌ ସେଣ୍ଟର୍‌ ପ୍ରତିଷ୍ଠା, ଦକ୍ଷତା ବିକାଶ ପାଠ୍ୟକ୍ରମ ପରିଚାଳନା, ଗବେଷଣା ଉଦ୍ୟାନ ଆଦି ପ୍ରତିଷ୍ଠା କରିପାରିବେ। ଆବଶ୍ୟକ ହେଲେ ଶିକ୍ଷାନୁଷ୍ଠାନଗୁଡ଼ିକ ଅନ୍ୟାନ୍ୟ ନୂଆ କାର୍ଯ୍ୟକ୍ରମ ମଧ୍ୟ ପରିଚାଳନା କରିପାରିବେ। ଉକ୍ତ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ବିଦେଶରୁ ଅଧ୍ୟାପକ ଆଣିବା ସହିତ ବିଦେଶୀ ଛାତ୍ରଛାତ୍ରୀ ମଧ୍ୟ ଗ୍ରହଣ କରିପାରିବେ।

ସମ୍ବନ୍ଧିତ ଖବର