ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ମନମାନି : ଜୁନିଅର ଆସିଷ୍ଟାଣ୍ଟଙ୍କ ପ୍ରତି ଅବିଚାର କାହିଁକି?

୭ ବର୍ଷ ହେଲା ପ୍ରକାଶ ପାଉନି ଗ୍ରେଡେସନ ଲିଷ୍ଟ୍‌, କନିଷ୍ଠ ଉପରେ, ବରିଷ୍ଠ ତଳେ

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍‌ ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଆଉ ଏକ କାରନାମା ପଦାକୁ ଆସିଛି। ସବୁ କ୍ଷେତ୍ରରେ ବରିଷ୍ଠମାନଙ୍କୁ ଅଣଦେଖା କରି କନିଷ୍ଠଙ୍କୁ ଅଗ୍ରାଧିକାର ଦେଇ ଚାଲିଛନ୍ତି। ପୂର୍ବରୁ ପ୍ରଫେସର୍‌ମାନଙ୍କ କ୍ଷେତ୍ରରେ ଏଭଳି କରୁଥିବା ବେଳେ ଏବେ ଜୁନିଅର ଆସିଷ୍ଟାଣ୍ଟଙ୍କ କ୍ଷେତ୍ରରେ ବି ପାତରଅନ୍ତର କରାଯାଇଥିବା ନେଇ ଅଭିଯୋଗ ଉଠିଛି। କୁଳପତି ପ୍ରଫେସର ପଟ୍ଟନାୟକ ବରିଷ୍ଠ ଜୁନିଅର ଆସିଷ୍ଟା‌ଣ୍ଟମାନଙ୍କୁ ଅଣଦେଖା କରି କନିଷ୍ଠଙ୍କୁ ଅଗ୍ରାଧିକାର ଦେଉଥିବାରୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ଜୁନିଅର ଆସିଷ୍ଟାଣ୍ଟମାନଙ୍କୁ ନିୟମିତ କରିବା ଦାବିରେ ୨୦୧୦ରେ ଦୁଇଜଣ କର୍ମଚାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାପରେ ସେମାନଙ୍କୁ ନିୟମିତ କରାଯାଇଥିଲା। ବାକି ଥିବା କର୍ମଚାରୀମାନେ ପରବର୍ତୀ ସମୟରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ୨୦୧୩ ଜୁଲାଇ ୨୬ରେ ସେମାନେ ବି ନିୟମିତ ହୋଇଥିଲେ। ତେବେ ନିୟମ ଅନୁଯାୟୀ, ନିୟମିତ ହେବାର ଦୁଇ ବର୍ଷ ପରେ ସେମାନଙ୍କ ଚାକିରିକୁ ବୈଧୀକରଣ ହେବା କଥା। ହେଲେ ୭ବର୍ଷ ହେଲା, ତାହା ଏଠାରେ ହୋଇପାରି ନାହିଁ। ସେମାନଙ୍କ ପଦୋନ୍ନତି ସମୟ ଆସିଥିଲେ ମଧ୍ୟ ବରିଷ୍ଠତା ଭିତ୍ତିରେ ଏପର୍ଯ୍ୟନ୍ତ ଗ୍ରେଡେସନ୍‌ ତାଲିକା ବି ପ୍ରକାଶ ପାଇ ନାହିଁ। ଫଳରେ ସେମାନଙ୍କ ପଦୋନ୍ନତି ନେଇ ଆଗକୁ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖାଦେଲାଣି। ଏନେଇ ଜଣେ କର୍ମଚାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଓଜେସି ନମ୍ବର ୩୪୮/୯୦ରେ ହାଇକୋର୍ଟ କହିଥିଲେ ଯେ ବରିଷ୍ଠତାଙ୍କୁ କୌଣସି ପ୍ରକାରେ ଅଣଦେଖା କରାଯିବ ନାହିଁ। ତେବେ ଏହାର ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବାରୁ ୨୦୧୮ ମସିହାରେ କର୍ମଚାରୀଜଣକ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ଦ୍ବାରସ୍ଥ ହୋଇ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଇତିମଧ୍ୟରେ ବର୍ଷକରୁ ଅଧିକ ସମୟ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗ କିମ୍ବା ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏ ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି। ଏନେଇ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପଟ୍ଟନାୟକଙ୍କୁ ଯୋଗା‌ଯୋଗ କରିବାରୁ ସେ ମୁହଁ ଖୋଲି ନଥିଲେ।

ବାଜିଲା ଛାଟ, ଭର୍ଚୁଆଲ ଟ୍ୟୁଟୋରିଆଲ୍‌ ପ୍ରକଳ୍ପର ରିପୋର୍ଟ ତଲବ
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ୨୦୨୦ ମସିହାର ପ୍ରଥମ ଛାଟ ବାଜିଛି। ରାଜ୍ୟ ସରକାରଙ୍କ ନିର୍ଦେଶକୁ ଖାମଖିଆଲି ଭାବେ ଗ୍ରହଣ କରିଥିବାରୁ ବିଭାଗ ପକ୍ଷରୁ କର୍ତୃପକ୍ଷଙ୍କଠାରୁ ରିପୋର୍ଟ ତଲବ କରାଯାଇଛି। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁଷା-୧)ରେ କାର୍ଯ୍ୟକାରୀ ହୋଇଥିବା ଭର୍ଚୁଆଲ ଟ୍ୟୁଟୋରିଆଲ୍‌ ପ୍ରୋଜେକ୍ଟ ସମ୍ପର୍କରେ କ’ଣ ପଦକ୍ଷେପ ନେଇଛ, ସେନେଇ ୧୧ ତାରିଖ ସୁଦ୍ଧା ଜଣାଇବାକୁ ବିଶ୍ବବିଦ୍ୟାଳୟ କୁଳ ସଚିବଙ୍କୁ ନିର୍ଦେଶ ଦିଆଯାଇଛି।

ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ରାଜଶ୍ରୀ ମହାନ୍ତି ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଗତ ଡିସେମ୍ବର ୨୦ତାରିଖରେ ଭର୍ଚୁଆଲ ଟ୍ୟୁଟୋରିଆଲ୍‌ ପ୍ରୋଜେକ୍ଟ ସମ୍ପର୍କରେ ବିଶ୍ବବିଦ୍ୟାଳୟର ଡିଡିସିଇ ସମ୍ମିଳନୀ କକ୍ଷ‌ରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରକଳ୍ପର ଅଗ୍ରଗତି ଉପରେ ଆଲୋଚନା କରାଯିବା ସହ କିଛି ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଥିଲା। ତାହାର ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ବି ଥିଲା। ତେବେ ଏ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗ ନିକଟରେ ରିପୋର୍ଟ ହସ୍ତଗତ ହୋଇନାହିଁ। ତେଣୁ ଜାନୁଆରି ୧୧ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ପୁଣିଥରେ ନିର୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ଡିସେମ୍ବର ୨୦ରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଭର୍ଚୁଆଲ ଟ୍ୟୁଟୋରିଆଲ(ଭିଟି) ପ୍ରୋଜେକ୍ଟ କାର୍ଯ୍ୟକ୍ଷମ ହୋଇ ନପାରିବାକୁ ନେଇ ଉଚ୍ଚଶିକ୍ଷା ବିଭାଗ ଅଧିକାରୀମାନେ କୁଳପତି ପ୍ରଫେସର୍‌ ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଉପରେ ବର୍ଷିଥିଲେ ଏବଂ ୨୦୨୦ ଜାନୁଆରିରୁ ଏହାକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବାକୁ ନିର୍ଦେଶ ବି ଦେଇଥିଲେ। ତେବେ ଏ ଦିଗରେ କିଛି ବି ଅଗ୍ରଗତି ହୋଇପାରିନାହିଁ। ୫ କୋଟିର ଏହି ପ୍ରକଳ୍ପ ମଧ୍ୟରୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ୩.୭୫କୋଟି ଟଙ୍କା ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ୧.୪୭କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର(ୟୁସି) ଦାଖଲ କରିଥିବା ବେଳେ ଆହୁରି ୬୦ଲକ୍ଷ ଟଙ୍କାର ୟୁସି ଦାଖଲ କରିବାକୁ ନିର୍ଦେଶ ଦିଆଯାଇଥିଲା। ସେହିପରି ୨୦୨୦ ଜାନୁଆରିରୁ ରାଜ୍ୟର ୧୦୧ କଲେଜରେ ଥିବା ସ୍ମାର୍ଟ କ୍ଲାସରୁମ୍‌ରେ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ଭିଟି କ୍ଲାସ ଆରମ୍ଭ ହେବ ବୋଲି ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ସମ୍ବନ୍ଧିତ ଖବର