ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ମନମାନି-୪ : ୟୁଜିସି ନିର୍ଦେଶକୁ ବେଖାତିର

ପାଳନ ହେଉନି ସ୍ୱଚ୍ଛତା ପକ୍ଷ, ବୈଠକକୁ ଦୌଡ଼ୁଛନ୍ତି, ଫଳ ଶୂନ

ଭୁବନେଶ୍ବର : ଜାନୁଆରି ୧୬ରୁ ୩୧ ପର୍ଯ୍ୟନ୍ତ ଦେଶର ସମସ୍ତ ବିଶ୍ବବିଦ୍ୟାଳୟ ଓ ଏହା ଅଧୀନରେ ଥିବା କଲେଜଗୁଡ଼ିକରେ ସ୍ବଚ୍ଛତା ପକ୍ଷ ପାଳନ କରିବାକୁ ନିର୍ଦେଶ ଦେଇଥିଲା ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)। ଏହି ସମୟ ମଧ୍ୟରେ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା କ୍ୟାମ୍ପସରେ ସ୍ବଚ୍ଛତା କାର୍ଯ୍ୟକ୍ରମ, ଶପଥ, ଚାରା‌ ରୋପଣ, ଶକ୍ତି ସଂରକ୍ଷଣ ଓ ୱେଷ୍ଟ ରିସାଇକ୍ଲିଂ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ପୋଷ୍ଟର ତିଆରି, ସ୍ଲୋଗାନ ଲିଖନୀ ଆଦି କାର୍ଯ୍ୟକ୍ରମ କରିବାକୁ ଗତ ୩ ତାରିଖରେ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଚିଠି ପଠାଯାଇଥିଲା। ତେବେ ୟୁଜିସିର ନି‌ର୍ଦେଶକୁ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ରମୋହନ ପଟ୍ଟନାୟକଙ୍କ ଖାତିର ନାହିଁ।

ସ୍ବଚ୍ଛତାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା କରିବା ଦୂରର କଥା କ୍ୟାମ୍ପସରେ ସଫେଇ ହୋଇନି। ପ୍ରବେଶ ପଥଠାରୁ କୁଳପତିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯୁଆଡ଼େ ଚାହିଁଲେ କେବଳ ଆବର୍ଜନା। ଯେଉଁଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ କ୍ୟାମ୍ପସରେ କିଭଳି ପାଳିତ ହେଉଛି ସ୍ବଚ୍ଛତା ପକ୍ଷ। ଆଉ ୟୁଜିସି ନିର୍ଦେଶକୁ କେ‌ତେ ପାଳନ କରୁଛନ୍ତି କୁଳପତି ପ୍ରଫେସର ପଟ୍ଟନାୟକ। ବିଶ୍ବବିଦ୍ୟାଳୟରେ ପାଳିତ ହେଉ ନଥିବା ବେଳେ ଏହା ଅଧୀନରେ ଥିବା କଲେଜ କଥା‌ ନ କହିବା ଭଲ। ଡିଗ୍ରି କଲେଜଗୁଡ଼ିକୁ କୌଣସି ବି ନିର୍ଦେଶ ଦିଆଯାଇ ନ ଥିବା ଜଣାପଡ଼ିଛି। ତେଣୁ ସେମାନେ ବି ଏଭଳି କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି।

କେବଳ ସ୍ବଚ୍ଛତା ପକ୍ଷ ନୁହେଁ। ୟୁଜିସିର କୌଣସି ବି ନିର୍ଦେଶକୁ ଉତ୍କଳ ବିଶ୍ବବିଦ୍ୟାଳୟରେ ପାଳନ କରାଯାଉ ନାହିଁ। କ୍ୟାମ୍ପସରେ ନିଶାଦ୍ରବ୍ୟ ସେବନ ଉପରେ ୟୁଜିସି କଟକଣା ଜାରି କରିଛି। ‌କିନ୍ତୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଭିତରେ ନିଶାଦ୍ରବ୍ୟ ବିକ୍ରି ହେଉଛି। ଦିନ ଦିପ୍ରହରରେ ଗୁଟଖା, ସିଗାରେଟ୍‌ ପରି ସାମଗ୍ରୀ ବିକ୍ରି ଚାଲିଛି। ଏମିତିକି କି ପୁଲିସ ଚଢ଼ଉ ସମୟରେ କ୍ୟାମ୍ପସ ନିକଟରେ ବ୍ରାଉନ୍‌ସୁଗାର, ଗଞ୍ଜେଇ, ଅଫିମ ଆଦି ନିଶାଦ୍ରବ୍ୟ ଜବତ ହୋଇଥିବା ନଜରି ରହିଛି। ତା’ ଉପରେ ରୋକ ଲଗାଯାଇପାରିନି। ଗୋଟିଏ ପଟେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପଟ୍ଟନାୟକ ସ୍ବଚ୍ଛତା, ଶାନ୍ତି ଓ ନିଶା ସେବନଠା‌ରୁ ଦୂରେଇ ରହିବା ବାର୍ତା ବାଣ୍ଟିବାକୁ ଉଦ୍ୟମ କରିଥିବା ବେଳେ ଅନ୍ୟପଟେ କ୍ୟାମ୍ପସରେ ମଦ ବୋତଲ ଗଡ଼ୁଛି। ଏପରିକି କିଛି ଦିନ ତଳେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟ ପାଚେରିକୁ ଲାଗି ମଦ ବୋତଲ ଗଡ଼ୁଥିବା ଛାତ୍ରଛାତ୍ରୀ ଦେଖିବାକୁ ପାଇଥିଲେ।

ଗତ ୧୫ ଦିନ ମଧ୍ୟରେ ୟୁଜିସି ପକ୍ଷରୁ କ୍ୟାମ୍ପସରେ ‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ’ ଓ ‘ସାଇକ୍ଲୋଥନ୍‌’ ଆୟୋଜନ କରିବାକୁ କୁଳପତିମାନଙ୍କୁ କୁହାଯାଇଥିଲା। ତେବେ ଏଠାରେ କିଛି ବି ପାଳନ ହୋଇନି। ରାଜ୍ୟର ଘରୋଇ ବିଶ୍ବବିଦ୍ୟାଳୟଗୁଡ଼ିକ ଏକ୍ଷେତ୍ରରେ କିନ୍ତୁ ଆଗରେ ରହିଛନ୍ତି। ସେମାନେ ୟୁଜିସିର ନିୟମକୁ କଡ଼ାକଡ଼ି ପାଳନ କରୁଛନ୍ତି। ଯେ‌ତେବେଳେ କି ଉତ୍କଳ ବିଶ୍ବବିଦ୍ୟାଳୟ ପରି ଆଉ କେତେକ ସରକାରୀ ବିଶ୍ବବିଦ୍ୟାଳୟର କୁଳପତିମାନଙ୍କ ମନମାନି ଏବେ ଶୀର୍ଷରେ ପହଞ୍ଚିଛି। ୟୁଜିସି ନିର୍ଦେଶ କିମ୍ବା ନିୟମକୁ ଆଦୌ ଖାତିର କରୁନାହାନ୍ତି। ପରିଣାମ ସ୍ବରୂପ ଏନ୍‌ଆଇଆରଏଫ୍‌ ରୢାଙ୍କରେ ସରକାରୀ ବିଶ୍ବବିଦ୍ୟାଳୟ ପଛରେ ପଡ଼ୁଛନ୍ତି।

ଅନ୍ୟପକ୍ଷରେ ୟୁଜିସି ବୈଠକ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର କୁଳପତି ସମ୍ମିଳନୀରେ ଯୋଗଦେବାକୁ କୁଳପତି ପ୍ରଫେସର ପଟ୍ଟନାୟକ ନିୟମିତ ବ୍ୟବଧାନରେ ଦିଲ୍ଲୀ ସମେତ ଦେଶର ଅନ୍ୟାନ୍ୟ ସହରକୁ ଗସ୍ତ କରୁଛନ୍ତି। ଏଥିପାଇଁ ବିଶ୍ବବିଦ୍ୟାଳୟରୁ ପ୍ରଚୁର ଅର୍ଥ ‌ଖର୍ଚ୍ଚ ହେଉଛି। ତାଙ୍କ ସହ ବିଶ୍ବବିଦ୍ୟାଳୟର ଅନ୍ୟ ଅଧିକାରୀମା‌ନେ ମଧ୍ୟ ବିଭିନ୍ନ ସମୟରେ ଗସ୍ତ କରୁଥିବା ସୂଚନା ମିଳିଛି। ତେବେ ଏହି ଗସ୍ତରୁ କେତେ ଫଳ ମିଳୁଛି ତାହା କାହାକୁ ଜଣାନାହିଁ। ବିଶ୍ବବିଦ୍ୟାଳୟରେ ଅମୁକ ହେବ, ସମୁକ ହେବ କହି ଘୋଷଣା କରିଚାଲିଛନ୍ତି। ଛାତ୍ରଛାତ୍ରୀଙ୍କ ସୁନେଲି ସ୍ବପ୍ନ ଦେଖାଉଛନ୍ତି। ତେବେ ସ୍ବପ୍ନଗୁଡ଼ିକ କେବେ କାର୍ଯ୍ୟକାରୀ ହେବ ସେନେଇ କାହା ପାଖରେ ଉତ୍ତର ନାହିଁ। ଏ ସମ୍ପର୍କରେ କୁଳପତି ପ୍ରଫେସର ପଟ୍ଟନାୟକ ନିରବ ରହୁଥିବା ବେଳେ ଅନ୍ୟାନ୍ୟ ଅଧିକାରୀମାନେ କିଛି କହିବାକୁ ମନା କରି ଦେଇଛନ୍ତି।

ସମ୍ବନ୍ଧିତ ଖବର