ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କ ଅପାରଗତା-୭ : ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ କୋଠା ଏବେ ଭୂତକୋଠି

କେବେ ଖୋଲିବ ତାଲା?
୭ ନମ୍ବର ଛାତ୍ରବାସରେ ବର୍ଷେ ହେଲା ଝୁଲୁଛି ତାଲା‌
ଲାଙ୍ଗୁଏଜ୍‌ ବ୍ଲକ ଓ ସୋସିଆଲ୍‌ ସାଇନ୍ସ ବିଲଡିଂ ଅଧା ସଚଳ

ଭୁବନେଶ୍ବର : ୩ ବର୍ଷ ହେଲା କୋଠା ନିର୍ମାଣ ସରିଲାଣି। ସୁରକ୍ଷା ପାଇଁ ପାଚେରି ବି କରାଯାଇଛି। ତା’ପରେ ବି କାର୍ଯ୍ୟକ୍ଷମ ନ ହୋଇ ପଡ଼ି ରହିଛି ଉତ୍କଳ ବିଶ୍ବବିଦ୍ୟାଳୟର ଅଧ ଡଜନରୁ ଅଧିକ କୋଠା। କେଉଁଠି କୋଠା ଉପ‌ରେ ଗଛ ଉଠିଲାଣି ତ ଆଉ କେଉଁଠି କୋଠା ଜଗୁଛନ୍ତି ସୁରକ୍ଷା କର୍ମୀ। ଏ ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ କୋଠାଗୁଡ଼ିକୁ କାର୍ଯ୍ୟକ୍ଷମ କରିବାକୁ ଆନ୍ତରିକତା‌ ଦେଖାଉନାହାନ୍ତି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ। ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆଉ ୪ ମାସରୁ କମ୍‌ ସମୟ ରହିଥିବାରୁ ଏହି ସମୟ ମଧ୍ୟରେ ବିଲଡିଂଗୁଡ଼ିକର ତାଲା ଖୋଲିବ କି ନାହିଁ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବଡ଼ କଥା ହେଉଛି ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିବା ଡିଜିଟାଲ ଲାଇବ୍ରେରି ୩ ମାସ ହେଲା ତାଲା ପଡ଼ି ରହିଛି। ବୈଷୟିକ ଜ୍ଞାନକୌଶଳ ସହ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟରେ ଡିଜିଟାଲ ଲାଇବ୍ରେରିର ପରିକଳ୍ପନା କରାଯାଇଥିଲା। ରାଜ୍ୟର ପ୍ରମୁଖ ତଥା ପୁରାତନ ଲାଇବ୍ରେରି ‘ପରିଜା ପାଠାଗାର’ରେ ଥିବା ପୁରାତନ ପାଠ୍ୟପୁସ୍ତକଗୁଡ଼ିକୁ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିଲା। ୨୦୧୫ରେ ଡିଜିଟାଲ ଲାଇବ୍ରେରିର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ। ଲକ୍ଷ୍ୟ ଥିଲା ୨୦୧୮ ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ପାଠାଗାରର ସୁବିଧା ଯୋଗାଇଦେବା। ସମସ୍ତ ପୁସ୍ତକକୁ ସ୍କାନିଂ କରି ଶତାଧିକ କମ୍ପ୍ୟୁଟରରେ ଉପଲବ୍ଧ କରାଇବାକୁ ସ୍ଥିର ହୋଇଥିଲା। ନିର୍ଦ୍ଧାରତ ସମୟରେ କିଛି ବି ହେଲାନି। ୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ବିଲଡିଂ ଏବେ ବି ଭୂତକୋଠି ପାଲଟିଯାଇଛି।

୪ ବର୍ଷ ହେଲା ୭ ନମ୍ବର ଛାତ୍ରାବାସ ନିର୍ମାଣ ଶେଷ ହେଲାଣି। ହେଲେ ଖୋଲିପାରୁନି ଏହି ବିଲଡିଂର ତାଲା। ୨୦୧୯‌ରେ ଅଣଛାତ୍ର ଏହି କୋଠାରେ ରହୁଥିବା ଅଭିଯୋଗ ହେବା ପରେ ପୁଲିସ ସହାୟତାରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପଟ୍ଟନାୟକ ଚଢ଼ଉ କରିଥିଲେ। ପ୍ରଚୁର ପରିମାଣର ନିଶା ସାମଗ୍ରୀ ଜବତ ହେବାରୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଶତାଧିକ ଅଣଛାତ୍ରୀଙ୍କୁ ବିତାଡ଼ିତ କରାଯିବା ସହ ବିଲଡିଂରେ ତାଲା ପକାଇଥିଲେ। ଇତି ମଧ୍ୟରେ ବର୍ଷେ ବିତିଯାଇଥିଲେ ମଧ୍ୟ ଅଣଛାତ୍ର ମୁକ୍ତ ହୋଇଥିବା ଏହି ବିଲଡିଂ ଛାତ୍ରଙ୍କ କାର୍ଯ୍ୟରେ ଲାଗିପାରୁନି। ଗୋଟିଏ ପଟେ ଅନେକ ଛାତ୍ରଛାତ୍ରୀ କ୍ୟାମ୍ପସରେ ହଷ୍ଟେଲ ପାଉ ନ ଥିବା ବେଳେ ଅନ୍ୟପଟେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏହି ହଷ୍ଟେଲରେ ତାଲା ପକାଇ ରଖିଛନ୍ତି। ୬ ଜଣ ସୁରକ୍ଷା କର୍ମୀ ଦିନରାତି ଏହି କୋଠାକୁ ଜଗି ରହିଛନ୍ତି।

ବିଶ୍ବବିଦ୍ୟାଳୟର ବିଭିନ୍ନ ପିଜି ବିଭାଗ ଲାବରୋଟାରିରେ ଥିବା ସାମଗ୍ରୀ ମରାମତି ପାଇଁ ସେଣ୍ଟ୍ରାଲ ଇନ୍‌ଷ୍ଟ୍ରୁମେଣ୍ଟେସନ ସେଣ୍ଟର ପ୍ରତିଷ୍ଠା କରିବାକୁ ସ୍ଥିର ହୋଇଥିଲା। ୨୦୧୭ ଏପ୍ରିଲ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ତାହାକୁ ଦୃଷ୍ଟିରେ ରଖି ସେଣ୍ଟରର ବିଭିନ୍ନ ସାମଗ୍ରୀ କିଣିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ କୋଟି ଟଙ୍କାର ସହାୟତା ଦିଆଯିବ ବୋଲି ୨୦୧୭ରେ ବିଶ୍ବବିଦ୍ୟାଳୟ ଛାତ୍ର ସ˚ସଦର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥି‌ଲେ। ତେବେ ଏପର୍ଯ୍ୟନ୍ତ ସେଣ୍ଟର କାର୍ଯ୍ୟକ୍ଷମ ହୋଇପାରି ନାହିଁ।

ସେହିପରି ଇଂରାଜୀ, ଓଡ଼ିଆ ଓ ସଂସ୍କୃତ ପିଜି ବିଭାଗକୁ ଗୋଟିଏ ବିଲଡିଂରେ କାର୍ଯ୍ୟକ୍ଷମ କରିବାକୁ ଲାଙ୍ଗୁଏଜ୍‌ ବ୍ଲକ ପ୍ରତିଷ୍ଠା ହୋଇଥିଲା। ୩.୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା। ଏହି ବ୍ଲକର ଭିତ୍ତିପ୍ରସ୍ତର ୨୦୧୫ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସ୍ଥାପନ ହୋଇଥିଲା। ଲକ୍ଷ୍ୟ ଥିଲା ୨୦୧୭-୧୮ ଶିକ୍ଷାବର୍ଷରୁ ଉପରୋକ୍ତ ୩ଟି ବିଭାଗ ଏହି ବିଲଡିଂରେ କାର୍ଯ୍ୟକ୍ଷମ ହେବ। ଯେଉଁଥିପାଇଁ ୨୦୧୭ ଏପ୍ରିଲରେ ବିଲଡିଂ କାମ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ତାହାକୁ ଉଦ୍‌ଘାଟନ କରିଥିଲେ। ଇତିମଧ୍ୟରେ ଅଢ଼େଇ ବର୍ଷ ବିତିଲାଣି। ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନି ଏହି ବ୍ଲକ। ଓଡ଼ିଆ ଓ ଇଂରାଜୀ ବିଭାଗର ଅଧା ଅଂଶ ଏବେ ବି ପୁରୁଣା ବିଲଡିଂରେ ଚାଲିଛି। ଏହି କୋଠାରେ ଅଧା ବିଭାଗ ଚାଲୁଥିଲେ ମଧ୍ୟ ବୋର୍ଡ ଟିଏ ବି ଲଗାଯାଇ ନାହିଁ। ବିଶ୍ବବିଦ୍ୟାଳୟରେ ପିଜି ବିଭାଗ ସଂଖ୍ୟା ବଢ଼ୁଥିବାରୁ ସାମାଜିକ ବିଜ୍ଞାନ ସହ ଜଡ଼ିତ ଥିବା ୪ଟି ପିଜି ବିଭାଗକୁ ଗୋଟିଏ ବିଲଡିଂରେ କାର୍ଯ୍ୟକ୍ଷମ କରିବାକୁ ୬.୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ସୋସିଆଲ୍‌ ସାଇନ୍ସ ବିଲଡିଂ। ୨୦୧୫ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ବିଲଡିଂର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଦୁଇ ବର୍ଷ ତାଲା ପଡ଼ି ରହିବା ପରେ ଏବେ ଅଧା ଅଂଶ ଖୋଲିଛି। ସୋସିଆଲ୍‌ ସାଇନ୍ସ ବିଲଡିଂ ନାମରେ ନାମିତ ‌ହୋଇଥିବା ଏହି ବିଲଡିଂରେ ଏବେ ସେଣ୍ଟର ଫର୍‌ ଏକ୍ସଲେନ୍ସ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି। ଏହାବ୍ୟତୀତ ଏଚ୍‌ଆରଡି ସେଣ୍ଟର ଓ ସୋସିଆଲ ଆଉଟ୍‌ରିଚ୍‌ ସେଣ୍ଟର ମଧ୍ୟ ଅଧା ହୋଇ ପଡ଼ିରହିଛି।

ସମ୍ବନ୍ଧିତ ଖବର