ଭୁବନେଶ୍ବର: ବିବାଦରୁ ମୁକୁଳିପାରୁନି ଉତ୍କଳ ବିଶ୍ବବିଦ୍ୟାଳୟ। ଭିତ୍ତିଭୂମି ଓ ଶିକ୍ଷା କ୍ଷେତ୍ରରେ ବିଶ୍ବବିଦ୍ୟାଳୟ ଆଗକୁ ବଢ଼ିପାରୁ ନ ଥିବା ବେଳେ ଏବେ ରାତିଅଧିଆ ନିୟମ ବଦଳାଇବାକୁ ଉଦ୍ୟମ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ବିଶ୍ବବିଦ୍ୟାଳୟର ବରିଷ୍ଠ ଅଧିକାରୀମାନେ। ଜଣକ ପାଇଁ ଗୋଟିଏ ନିୟମ ହୋଇଥିବା ବେଳେ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଅଲଗା ନିୟମ କରି ବିବାଦରେ ଫଶିଛନ୍ତି। ଶେଷରେ ପରିସ୍ଥିତି ଏମିତି ହୋଇଛି ଯେ ଆଜି ନିଜ ଛିପ ନିଜେ ଢୋକିଛନ୍ତି। କ୍ୟାମ୍ପସରେ ପ୍ରବଳ ବିରୋଧ ପରେ ନିୟମରେ ପରିବର୍ତନ କରି ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ସୁଯୋଗ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ୨୦୧୯ ସେପ୍ଟେମ୍ବରରେ ୟୁନିଭର୍ସିଟି ଲ’ କଲେଜର ଏଲ୍ଏଲ୍ଏମ୍(ଏଚ୍ଆର୍) ପାଠ୍ୟକ୍ରମରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଠାରେ ଦ୍ବିତୀୟ ପିଜି କରିହେବ କି ନାହିଁ ସେନେଇ ପ୍ରକାଶ ପାଇଥିବା ପସ୍ପେକ୍ଟସ୍ରେ କିଛି ବି ଉଲ୍ଲେଖ ନ ଥିଲା। ତେବେ ପରବର୍ତ୍ତୀ ସମୟରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରି ୟୁନିର୍ଭସିଟି ଲ’ କଲେଜରେ ଦ୍ବିତୀୟ ପିଜି କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ହଠାତ୍ ନିୟମ କରିଥିଲେ। ଏଭଳି ନିୟମକୁ ଛାତ୍ରଛାତ୍ରୀ ବିରୋଧ କରିବାରୁ କର୍ତୃପକ୍ଷ ଚୁପ୍ ହୋଇଯାଇଥିଲେ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା କରିବା ପାଇଁ ଗତ ୬ରୁ ୮ ତାରିଖ ମଧ୍ୟରେ ଚିଠି ପଠାଯାଇଥିଲା। ଫେବ୍ରୁଆରି ୨୦ରେ ନାମଲେଖା କରାଯିବ ବୋଲି ଉଲ୍ଲେଖ କରାଯାଇଥିଲା। ଆଜି ଡକ୍ୟୁମେଣ୍ଟ ଯାଞ୍ଚ ଚାଲିଥିବା ବେଳେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ହଠାତ୍ ପିଜି କାଉନସିଲ୍ ବୈଠକ ଡାକି ନିୟମ ବଦଳାଇ ନାମଲେଖା ବାତିଲ କରିବାକୁ ଉଦ୍ୟମ କରିଥିଲେ। ଏହା ଜାଣିବା ପରେ ଛାତ୍ରଛାତ୍ରୀ ପିଜି କାଉନସିଲ୍ ହଲ୍ରେ ହୋହଲ୍ଲା କରିଥିଲେ। ଶିକ୍ଷାବର୍ଷ ଅଧାରୁ ନିୟମ ନ କରି ଆସନ୍ତା ଶିକ୍ଷାବର୍ଷରୁ ଲାଗୁ କରିବାକୁ ଅଡ଼ି ବସିଥିଲେ। ଆନ୍ଦୋଳନ ପରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ୟୁନିଭର୍ସିଟି ଲ’ କଲେଜରେ ଦ୍ବିତୀୟ ପିଜି ଲାଗି ସୁଯୋଗ ଦିଆଯିବ ବୋଲି କହିଥିଲେ।