ଉତ୍କଳ ବିଶ୍ବବିଦ୍ୟାଳୟ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ମାନୁନାହାନ୍ତି

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ଗୋଟିଏ ଦିନ ପରେ ଛୁଟି କଲେ, ହଷ୍ଟେଲରେ ରହୁଛନ୍ତି ପିଲା, ସ୍ବଚ୍ଛତା ନାହିଁ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ ଖାତିର କରୁନାହାନ୍ତି ଉତ୍କଳ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍‌ ସୌମେନ୍ଦ୍ରମୋହନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର୍‌ ସବିତା ଆଚାର୍ଯ୍ୟଙ୍କ ପର୍ଯ୍ୟନ୍ତ; ସମସ୍ତେ ନିଜ ମର୍ଜିରେ ବିଶ୍ବବିଦ୍ୟାଳୟକୁ ଚଲାଉଛନ୍ତି। ଏ କଥା ଆମେ କହୁନୁ। ଗତ ତିନି ଦିନ ଧରି ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌‌ରେ ଚାଲିଥିବା ବିଭିନ୍ନ କାର୍ଯ୍ୟକଳାପକୁ ଅନୁଧ୍ୟାନ କଲେ ଏହା ଜଣାପଡ଼ୁଛି।

ଗତ୧୩ ତାରିଖ ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କରୋନା ଭୂତାଣୁକୁ ରାଜ୍ୟ ବିପର୍ଯ୍ୟୟ ଭା‌ବେ ଘୋଷଣା କରିଥିଲେ। ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦେଶ ଦେଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ଆଧାର କରି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅପରାହ୍‌ଣ ପ୍ରାୟ ୩ଟାରେ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ବିଜ୍ଞପ୍ତି ପ୍ରକାଶ କରାଗଲା। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କୌଣସି ବି ବିଶ୍ବବିଦ୍ୟାଳୟ, କଲେଜ ଖୋଲିବ ନାହିଁ। ସମ୍ମିଳନୀ, ଆଲୋଚନାଚକ୍ର, ବୈଠକ ଆଦି ନ କରିବାକୁ ସ୍ପଷ୍ଟ ଭାବେ କୁହାଗଲା। କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ବାୟୋମେଟ୍ରିକ ଉପସ୍ଥାନ ବି ବାରଣ ହେଲା। ଉଚ୍ଚଶିକ୍ଷା ବିଭାଗଠାରୁ ନିର୍ଦେଶ ପାଇବା କ୍ଷଣି ସମ୍ବଲପୁର, ବ୍ରହ୍ମପୁର ପରି ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପ୍ରମୁଖ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଗଲା। ହଷ୍ଟେଲ ବନ୍ଦ କରାଯିବା ସହ ଛାତ୍ରଛାତ୍ରୀ ଘରକୁ ଚାଲିଯିବାକୁ ବିପିୟୁଟି ପରି ଶିକ୍ଷାନୁଷ୍ଠାନ ବିଜ୍ଞପ୍ତି ଜାରି କଲେ।

‌ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଉତ୍କଳ ବିଶ୍ବବିଦ୍ୟାଳୟରେ କିନ୍ତୁ ଛୁଟି ଘୋଷଣା ହେଲାନାହିଁ। ୧୩ ତାରିଖରେ ଛାତ୍ରଛାତ୍ରୀଙ୍କ କ୍ଲାସ ହେଲା। ୧୪ ତାରିଖଠାରୁ ଛୁଟି ହେବା ନେଇ ବିଶ୍ବବିଦ୍ୟାଳୟ କୌଣସି ବିଜ୍ଞପ୍ତି ପ୍ରକାଶ କ‌ଲେ ନାହିଁ। ଅଧେ ପିଲା କ୍ୟାମ୍ପସ ଛାଡ଼ି ପଳାଇଲେ ତ ଆଉ ଅଧେ କ୍ଲାସ କରିବାକୁ ବିଭାଗରେ ପହଞ୍ଚିଲେ। କେତେକ ଛାତ୍ରଛାତ୍ରୀ ଏନେଇ ପ୍ରତିବାଦ କରିବା ପରେ ଅପରାହ୍‌ଣରେ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର୍‌ ସବିତା ଆଚାର୍ଯ୍ୟଙ୍କ ଦସ୍ତଖତ ଥିବା ଛୁଟି ବିଜ୍ଞପ୍ତି ପ୍ରକାଶ କରାଗଲା। ଏଥି‌ରେ କୁହାଗଲା ଯେ ୩୧ ଯାଏ ଛୁଟି। କର୍ମଶାଳା, ଆଲୋଚନାଚକ୍ର, କ୍ୟାମ୍ପସରେ ଏକତ୍ର ହେବା ଉପରେ କଟକଣା ଜାରି ହେଲା। ପୂର୍ବ ନିର୍ଦ୍ଧାରିତ ପରୀକ୍ଷାଗୁଡ଼ିକ ଚାଲିବ, ପ୍ରଫେସର, କର୍ମଚାରୀମା‌ନେ ବିଶ୍ବବିଦ୍ୟାଳୟକୁ ଆସିବେ ବୋଲି ବିଜ୍ଞପ୍ତିରେ କୁହାଗଲା। ତେବେ ହଷ୍ଟେଲ ବନ୍ଦ ହେବନାହିଁ। ଯଦି ଛାତ୍ରଛାତ୍ରୀ ଚାହିଁବେ ଘରକୁ ଯାଇପାରିବେ।

ଏଭଳି ବିଜ୍ଞପ୍ତି ପରେ ଏବେ ଏକାଧିକ ପ୍ରଶ୍ନ ଉଠିଛି। କ୍ୟାମ୍ପସର ଅଧିକାଂଶ ହଷ୍ଟେଲରେ ୨୦୦ରୁ ଅଧିକ ପିଲା ରହୁଛନ୍ତି। ଯଦି କୌଣସି ଜଣଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହେବ, ତେବେ ତାହା ସାରା କ୍ୟାମ୍ପସରେ ବ୍ୟାପିଯିବ। ଭଲ ଭାବେ ହାତ ଧୋଇବାକୁ ମୁଖ୍ୟମନ୍ତ୍ରୀ ବି ପରାମର୍ଶ ଦେଇଛନ୍ତି। ତେବେ ଏପର୍ଯ୍ୟନ୍ତ ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲରେ ହାତ ଧୋଇବା ପାଇଁ ସେଭଳି କୌଣସି ସାନିଟାଇଜ୍‌ ବ୍ୟବସ୍ଥା କରାଯାଇନାହିଁ। ପିଲାଙ୍କର କୌଣସି ଅସୁବିଧା ହେଲେ ସେଥିପାଇଁ କିଏ ଦାୟୀ ରହିବେ? ଆଉ ଏକ ଘଟଣା ହେଉଛି ଯେ ମୁଖ୍ୟମନ୍ତ୍ରୀ ନିର୍ଦେଶ ପରେ ବି ଗତକାଲି ଉତ୍କଳ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌ ବୈଠକ ଅନୁଷ୍ଠିତ ହୋଇଥିଲା। ତରବରିଆ ଭାବେ ଡକାଯାଇଥିବା ଏହି ବୈଠକରେ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ଲାଗି କୁଳପତିଙ୍କୁ ସିଣ୍ଡିକେଟ୍‌ ଦାୟିତ୍ବ ପ୍ରଦାନ କରିଛି। ଯେତେବେଳେ କି କୁଳପତିଙ୍କ କାର୍ଯ୍ୟକାଳ ଆଉ ୧୫୦ରୁ କମ୍‌ ଦିନ ରହିଛି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଛୁଟି ଘୋଷଣା ପରେ ବି ରାଜ୍ୟର କେତେକ ସରକାରୀ ବିଶ୍ବବିଦ୍ୟାଳୟ ଏବେ ନିଯୁକ୍ତି ପ୍ରକ୍ରିୟା ଜାରି ରଖିଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ପରୀକ୍ଷାର୍ଥୀ ଆସୁଛନ୍ତି। ଅନେକ ପ୍ରାର୍ଥୀ ଅନୁପସ୍ଥିତ ରହୁଥିବା ଜଣାପଡ଼ିଛି। ତେଣୁ ନିଯୁକ୍ତି ପ୍ରକ୍ରିୟାର ସ୍ବଚ୍ଛତା ନେଇ ଏବେ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର