ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ଚୟନ ପ୍ରସଙ୍ଗ : ଦୌଡ଼ରେ ୭୧ ପ୍ରଫେସର୍‌

ସାମିଲ ହେଲେ ୩ ବିଶ୍ବବିଦ୍ୟାଳୟ କୁଳପତି, ଦ୍ୱିତୀୟ ଥର ଲାଗି ଆବେଦନ କଲେନି ସୌମେନ୍ଦ୍ର ମୋହନ

ଭୁବନେଶ୍ୱର : ଉତ୍କଳ ବିଶ୍ବବିଦ୍ୟାଳୟର ନୂତନ କୁଳପତି ଲାଗି ଅବଗଣନା ଆରମ୍ଭ ହୋଇଛି। ଜୁଲାଇ ୮ ତାରିଖରେ ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ଆଶାୟୀଙ୍କ ଲମ୍ବା ତାଲିକା ଦେଖିବାକୁ ମିଳିଛି। ମୋଟ ୭୧ଜଣ ପ୍ରଫେସର ବିଶ୍ୱବିଦ୍ୟାଳୟ କୁଳପତି ହେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏମାନଙ୍କ ମଧ୍ୟରେ ବର୍ତ୍ତମାନ ରାଜ୍ୟର ୩ଟି ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରୁଥିବା ୩ଜଣ ପ୍ରଫେସର୍‌ ରହିଛନ୍ତି। ଏକ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ତୁଲାଉଥିବା ଜଣେ ମହିଳା ପ୍ରଫେସର୍‌ ବି ଦୌଡ଼ରେ ସାମିଲ ହୋଇଛନ୍ତି। କେବଳ ସେତିକି ନୁହେଁ, ଜଣେ ପୂର୍ବତନ କୁଳପତି ବି ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ହେବାକୁ ଅଗ୍ରହ ଦେଖାଇଛନ୍ତି।

ବଡ଼ କଥା ହେଉଛି ଯେ ଏଥର ରାଜ୍ୟ ବାହାରୁ ପାଖାପାଖି ୧୨ଜଣ ପ୍ରଫେସର୍‌ ଓଡ଼ିଶାର ଏହି ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତି ହେବା ଲାଗି ଅଗ୍ରହ ଦେଖାଇଛନ୍ତି। ସେମାନଙ୍କ ମଧ୍ୟରେ ବାହାର ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର କିଛି ଓଡ଼ିଆ ପ୍ରଫେସର୍‌ ରହିଛନ୍ତି। ହେଲେ ବର୍ତମାନର କୁଳପତି ଥିବା ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ବିଶ୍ୱବିଦ୍ୟାଳୟ କୁଳପତି ହେବା ପାଇଁ ଆଗ୍ରହ ଦେଖାଇନାହାନ୍ତି। ବୟସ ହୋଇ ନ ଥିଲେ ମଧ୍ୟ କେଉଁଥିପାଇଁ ଦ୍ୱିତୀୟ ଥର ଲାଗି ଆବେଦନ କଲେ ନାହିଁ, ତାହାକୁ ନେଇ କ୍ୟାମ୍ପସରେ ଆଲୋଚନା ଆରମ୍ଭ ହୋଇଛି।

educationbytes.in

ଉତ୍କଳ ବିଶ୍ବବିଦ୍ୟାଳୟର ୭ଜଣ ପ୍ରଫେସର୍‌ ଏଥର ଦୌଡ଼ରେ ରହିଛନ୍ତି। ଅଭିଜ୍ଞତା ଆଧାରରେ ଏମାନେ ଆବେଦନ କରିଛନ୍ତି। ବିଶ୍ୱବିଦ୍ୟାଳୟର ଜଣେ ପୂର୍ବତନ ପିଜି କାଉନସିଲ ଅଧ୍ୟକ୍ଷ ମଧ୍ୟ କୁଳପତି ପଦବି ଲାଗି ଆବେଦନ କରିଥିବା ଜଣାପଡ଼ିଛି। ରେଭେନ୍ସା, ସମ୍ବଲପୁର, ବ୍ରହ୍ମପୁର, ଉତ୍ତରଓଡ଼ିଶା ବିଶ୍ୱବିଦ୍ୟାଳୟ, ଫକୀରମୋହନ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କେତେଜଣ ପ୍ରଫେସର୍‌ ବି ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ହେବା ପାଇଁ ଆଗ୍ରହୀ ଅଛନ୍ତି। ଜାତୀୟ ଶିକ୍ଷାନୁଷ୍ଠାନର ୭ଜଣ ବୈଜ୍ଞାନିକ, ପ୍ରଫେସର, ଗବେଷକ ବି ଆବେଦନ କରିଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଆବେଦନ ପ୍ରକ୍ରିୟା ଶେଷ ହୋଇଥିବାରୁ ଏବେ ୩ ଜଣିଆ ସର୍ଚ୍ଚ କମିଟି ଗଠନ ଚାଲିଛି। ଏପର୍ଯ୍ୟନ୍ତ ନାମ ଚୂଡ଼ାନ୍ତ ହୋଇନାହିଁ। ତେବେ ଆସନ୍ତା ୪ ଦିନ ଭିତରେ ଚୟନ କମିଟି ଗଠନ ପ୍ରକ୍ରିୟା ଶେଷ ହେବ ବୋଲି ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ନୂତନ କୁଳପତି ଚୟନ ଲାଗି ଇତିମଧ୍ୟରେ ଆବେଦନ ସରିଛି। ଏହି ବିଶ୍ୱବିଦ୍ୟାଳୟ କୁଳପତି ପଦବି ଲାଗି ୬୩ଜଣ ଆବେଦନ କରିଛନ୍ତି। ଯେଉଁମାନଙ୍କ ମଧ୍ୟରେ କେତେଜଣ ପୂର୍ବତନ କୁଳପତି ବି ରହିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ୮ଜଣ ପ୍ରଫେସର୍‌ ଏଠାରେ କୁଳପତି ହେବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ଉଭୟ ବିଶ୍ୱବିଦ୍ୟାଳୟ ପାଇଁ ଆବେଦନ ଶେଷ ହୋଇଥିବାରୁ ଏବେ ସର୍ଚ୍ଚ କମିଟି ଗଠନ ଓ ନିଯୁକ୍ତି ପ୍ରକ୍ରିୟା ଆଗକୁ ନେବା ଉପରେ ସମସ୍ତଙ୍କ ନଜର ରହିଛି। ସୂଚନାଯୋଗ୍ୟ ଯେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍‌ ଅତନୁ କୁମାର ପତିଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୫ରେ ଶେଷ ହେଉଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍‌ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଜୁଲାଇ ୩୦ରେ ଶେଷ ହେଉଛି। ତେବେ ଏମାନଙ୍କ କାର୍ଯ୍ୟକାଳକୁ ୩ ମାସ ଲେଖାଏଁ ତଥା ନୂତନ କୁଳପତି ନିଯୁକ୍ତି ହେବା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

ସମ୍ବନ୍ଧିତ ଖବର