ଉତ୍କଳ ବିଶ୍ବବିଦ୍ୟାଳୟରେ ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି : କୁଳପତି ନିଯୁକ୍ତିରେ ବିଳମ୍ବ କାହିଁକି?

ରୁସା ପାଣ୍ଠି ବିନିଯୋଗର ଉଚ୍ଚସ୍ତରୀୟ ତଦନ୍ତ ଦାବି
ଅବସରପ୍ରାପ୍ତ ପ୍ରଫେସରଙ୍କୁ ଦିଆଯାଉଛି ଅନୁକମ୍ପା

ଭୁବନେଶ୍ୱର : ରାଜ୍ୟର ୬ଟି ସରକାରୀ ବିଶ୍ୱବିଦ୍ୟାଳୟ କୁଳପତି ପଦ ପାଇଁ ଶତାଧିକ ଆଶାୟୀ ପ୍ରଫେସର୍‌ ଆବେଦନ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଅପେକ୍ଷା କରି ରହିଛନ୍ତି। ହେଲେ ରାଜ୍ୟ ସରକାର ବର୍ତ୍ତମାନ କୁଳପତିଙ୍କ କାର୍ଯ୍ୟକାଳ ବଢ଼ାଇ ଚାଲିଛନ୍ତି। ୩ ମାସ ବୃଦ୍ଧି କରିଥିବା ବେଳେ ଏବେ ଆଉ ୩ ମାସ ବଢ଼ାଇବାକୁ ମସୁଧା କରାଯାଉଛି। ଏଥିରେ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ହାତ ରହିଛି ବୋଲି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ନୂଆ କୁଳପତି ନିଯୁକ୍ତ ହେଉନାହାନ୍ତି କାହିଁକି? କୁଳପତି ପଦ ଖାଲି ହେବାର ୩ରୁ ୫ମାସ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରାଯିବା କଥା। କିନ୍ତୁ ଏହି ବିଜ୍ଞପ୍ତି ଉଚ୍ଚଶିକ୍ଷା ବିଭାଗ ବାହାର ନ କରିବାର ଭିତିରି ରହସ୍ୟ କ’ଣ ରହିଛି? କୋଭିଡ୍‌-୧୯ ଆଳରେ ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ ସମୟ ଗଡ଼ାଇ ଚାଲିଛନ୍ତି, ଯାହାର ଫାଇଦା କୁଳପତିମାନେ ଉଠାଉଛନ୍ତି। ବିଦାୟ ନେବାକୁ ଥିବା କୁଳପତିମାନେ ପରିବର୍ଦ୍ଧିତ କାର୍ଯ୍ୟକାଳ ପାଇଁ କୌଣସି ଆର୍ଥିକ ନିଷ୍ପତ୍ତି ବା ନୀତି ନିର୍ଦ୍ଧାରଣ କରିପାରି‌‌ବେ ନାହିଁ। ହେଲେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍‌ ସୌମେନ୍ଦ୍ର ମୋହନ ପଟ୍ଟନାୟକ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା) କାର୍ଯ୍ୟକ୍ରମ ଅଧୀନରେ ୩୦ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। କ୍ୟାମ୍ପସରେ ଅନେକ ନିର୍ମାଣ ଓ ମରାମତି କାର୍ଯ୍ୟ ପାଇଁ ପୁରୁଣା ତାରିଖରେ ନିଜ ଅନୁଗତଙ୍କ ସହାୟତାରେ ପ୍ରଦାନ କରାଯାଇଛି। ଏମିତିକି ଶେଷ ମୁହୂର୍ତରେ ଅଫିସ ଉପକରଣ କିଣିବା ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି।

ସେ ଆହୁରି ଅଭିଯୋଗ କରିଛନ୍ତି ଯେ ଅର୍ଥ ବିଭାଗର ନୂତନ ଆଦେଶ ଅନୁସାରେ, କୌଣସି ଅବସରପ୍ରାପ୍ତ ଲୋକଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା ନାହିଁ। ହେଲେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଦୁଇଜଣ ଅବସରପ୍ରାପ୍ତ ପ୍ରଫେସର୍‌ଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ପ୍ରମୁଖ ପଦରେ ବସାଇବାକୁ ଉଦ୍ୟମ କରୁଛନ୍ତି। କିଛି ପ୍ରଫେସର୍‌ଙ୍କୁ ୩ଟି ଲେଖାଏଁ ଦାୟିତ୍ୱ ଦେଇଛନ୍ତି। ଏସବୁ ଜାଣି ଉଚ୍ଚଶିକ୍ଷା ବିଭାଗ ନିରବ କାହିଁକି? ୮ରୁ ଅଧିକ ଗବେଷଣା ଚେୟାରର ସତ୍ତା ନାହିଁ। ଚେୟାରଗୁଡ଼ିକ ସମ୍ପର୍କରେ ଅନୁଧ୍ୟାନ ଲାଗି ୨୦୧୮ରେ ଦୁଇଜଣ ପ୍ରଫେସର୍‌ଙ୍କ ନେତୃତ୍ୱରେ କମିଟି ଗଠନ ହୋଇଥିଲେ ମଧ୍ୟ ଗୋଟିଏ ବି ଚେୟାରର ପୁନରୁଦ୍ଧାର ହୋଇନାହିଁ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ଡିଜିଟାଲ ଲାଇବ୍ରେରିରେ ତାଲା ପଡ଼ିଛି। ଲାଙ୍ଗୁଏଜ୍‌ ବ୍ଲକ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳନ୍ୟାସ ଓ ଉଦ୍‌ଘାଟିତ ହୋଇଥିଲେ ମଧ୍ୟ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ। ୨୦୧୭ ଜୁଲାଇ ୩୧ରେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସିହାଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ତଥା ଗ୍ରାମୀଣ କ୍ୟାମ୍ପସ ପାଇଁ ଭିତ୍ତିପ୍ରସ୍ତର ପଡ଼ିଥିଲେ ମଧ୍ୟ ଲୋକଙ୍କୁ ଭଣ୍ଡେଇବା ପାଇଁ ପ୍ରବେଶ ପଥର କିଛି ଅଂଶରେ ପାଚେରି ବୁଲେଇ ଦେଇ ଉଚ୍ଚଶିକ୍ଷା ସଚିବ ହାତଟେକି ବସିଛନ୍ତି।

ଦେଶର ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ତାଲିକାରେ ଓଡ଼ିଶାର ଗୋଟିଏ ବି ସରକାରୀ ଶିକ୍ଷାନୁଷ୍ଠାନ ନାହିଁ। ଗୁଣାତ୍ମକ ଶିକ୍ଷା ଓ ଗବେଷଣାକୁ ନେଇ ଡିଣ୍ଡିମ ପିଟୁଥିବା ଉଚ୍ଚଶିକ୍ଷା ବିଭାଗର ପାରିବାପଣିଆ ନେଇ ଏବେ ପ୍ରଶ୍ନ ଉଠୁଛି। ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା ବନ୍ଦ କରନ୍ତୁ। ତୁରନ୍ତ ନୂତନ କୁଳପତିଙ୍କୁ ନିଯୁକ୍ତି ଦେବା ସହ ବେଆଇନ କାର୍ଯ୍ୟଗୁଡ଼ିକର ଉଚ୍ଚସ୍ତରୀୟ ତଦନ୍ତ ହେଉ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ରାଜ୍ୟ ସଂପାଦିକା ଅର୍ପିତା ଅପରାଜିତା ବଡ଼ଜେନା, ଯୁବମୋର୍ଚ୍ଚା ଭୁବନେଶ୍ୱର ଜିଲ୍ଲା ସଭାପତି ଅଭିଷେକ ଆଚାର୍ଯ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର