ଝଲସୁଛି ବାଣୀବିହାର: ୨ ବର୍ଷ ପ‌ରେ ସମ୍ପୂର୍ଣ୍ଣ ଖୋଲିଲା ମୁଖ୍ୟ ଫାଟକ

ଡିଜିଟାଲ୍‌ ଲାଇବ୍ରେରି ବିଲ୍‌ଡିଂ କାର୍ଯ୍ୟ ଆରମ୍ଭ

ଭୁବନେଶ୍ବର : ୯ ମାସ ହେଲା ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରଛାତ୍ରୀ ନାହାନ୍ତି। କ୍ଲାସରୁମ୍‌ ପାଠପଢ଼ା ବନ୍ଦ। ହଷ୍ଟେଲ ଖୋଲୁନି। ଏହାରି ଭିତରେ ନୂଆ ମୁଖିଆକୁ ଧରି ଆଗକୁ ବଢ଼ୁଛି ଉତ୍କଳ ବିଶ୍ବବିଦ୍ୟାଳୟ। ଭିତ୍ତିଭୂମି ବିକାଶ ସହ ଗୋଟିଏ ପରେ ଗୋଟିଏ ନୂଆ ଫର୍ଦ୍ଦ ଯୋଡ଼ିବାକୁ ଉଦ୍ୟମ ହେଉଛି। ଆଜି ଉତ୍କଳ ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକ ‌ଚେହେରାକୁ ଦେଖିଲେ ଯାହାର ବି ଆଖି ଲାଖିଯିବ। ପ୍ରବେଶ ପଥରୁ ଆରମ୍ଭ କରି ଅହିଂସା ସ୍ଥଳ ପର୍ଯ୍ୟନ୍ତ ସବୁ କିଛି ଆଲୋକମାଳାରେ ଝଲସୁଛି। ସମ୍ମୁଖ ଭାଗ‌ରେ ଥିବା ଦୁଇ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଉଜ୍ଜ୍ବଳ ଆଲୋକରେ ଉଦ୍‌ଭାସିତ ହେଉଛି। ଦୀର୍ଘ ଦୁଇ ବର୍ଷ ପରେ ବାଣୀବିହାରର ମୁଖ୍ୟ ପ୍ରବେଶ ପଥ ସମ୍ପୂର୍ଣ୍ଣ ଭାବେ ଖୋଲିଛି। ପ୍ରବେଶ ଓ ପ୍ରସ୍ଥାନ ପଥ ସ୍ପଟ୍‌ ଭାବେ ଉଲ୍ଲେଖ ହୋଇଛି।

କ୍ୟାମ୍ପସର ସୌନ୍ଦର୍ଯ୍ୟୀକରଣ ବୃଦ୍ଧି ଲାଗି ମୁଖ୍ୟ ଫାଟକ ସମ୍ମୁଖରେ ଥିବା ହାଇମାଷ୍ଟ ଲାଇଟ୍‌ ନିକଟରେ ଏକ ସ୍ବତନ୍ତ୍ର ଲାଇଟ୍‌ ବୋର୍ଡ ଲଗାଯାଇଛି। ଏଥିରେ ବିଶ୍ବବିଦ୍ୟାଳୟ ଲୋଗୋ ସହ ଓଡ଼ିଆ ଓ ଇଂରାଜୀରେ ଉତ୍କଳ ବିଶ୍ବବିଦ୍ୟାଳୟ ଲେଖାଯାଇଛି। ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଏବେ ସଫେଇ ହେଉଛି। ଅହିଂସା ସ୍ଥଳରେ ଲାଇଟ୍‌ଗୁଡ଼ିକ ସଜଡ଼ା ଯାଉଛି। ୨୦୧୬ରେ ନାକ୍‌ ଟିମ୍‌ ଆସିବା ସମୟରେ ପ୍ରବେଶ ପଥରୁ ପ୍ରଶାସନିକ ଭବନ ପର୍ଯ୍ୟନ୍ତ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍‌ଗୁଡ଼ିକ ମଧ୍ୟରୁ ଅଧିକାଂଶ ଅଚଳ ହୋଇଯାଇଛି। ଏବେ ସେଗୁଡ଼ିକୁ ଯାଞ୍ଚ କରି ପୁଣିଥରେ ଜାଳିବା ଲାଗି ନିଷ୍ପତ୍ତି ହୋଇଛି। କ୍ୟାମ୍ପସର ଦ୍ବିତୀୟ ପ୍ରବେଶ ପଥ ତଥା ଆଇଏମ୍‌ଏମ୍‌ଟି ସମ୍ମୁଖ ଫାଟକରେ ଏକ ହାଇମାଷ୍ଟ ଲାଇଟ୍‌ ଲଗାଯାଇ ସୌନ୍ଦର୍ଯ୍ୟୀକରଣ ହୋଇଛି। ଆଚାର୍ଯ୍ୟ ବିହାରରୁ ବାଣୀବିହାର ପର୍ଯ୍ୟନ୍ତ ଲମ୍ବି ଥିବା ବିଶ୍ବବିଦ୍ୟାଳୟ ପାଚେରି ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାୟ ୨୦୦ ମିଟର ପାଚେରି କାର୍ଯ୍ୟ ଶେଷ ହୋଇଥିବା ବେଳେ ବାକି କାର୍ଯ୍ୟ ଲାଗି ପୁରୁଣା ପାଚେରିକୁ ଭଙ୍ଗାଯାଉଛି। ୪ ବର୍ଷ ତଳେ ନିର୍ମାଣ ହୋଇଥିବା ଡିଜିଟାଲ ଲାଇବ୍ରେରି ବିଲ୍‌ଡିଂକୁ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନିଆଯାଇଛି। କିଛି ଦିନ ହେଲା ତାହାର ମରାମତି ଚାଲିଛି। ଆଜି ପର୍ଯ୍ୟନ୍ତ ବିଲ୍‌ଡିଂ ଖୋଲି ନ ଥିବା ବେଳେ ପୁଣିଥରେ ରଙ୍ଗ ଦିଆଯାଉଛି।

କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି ଯେ କ୍ୟାମ୍ପସର ସମ୍ମୁଖ ଭାଗ ଅନ୍ଧାର ରହିଥିଲା। ଯେଉଁଥିପାଇଁ ଭଲ ଦୃଶ୍ୟମାନ ହେଉ ନ ଥିଲା। ଏବେ ସୌନ୍ଦର୍ଯ୍ୟୀକରଣ ବୃଦ୍ଧି ଲାଗି ଆଲୋକୀକରଣ କାର୍ଯ୍ୟ ହେଉଛି। ମୁଖ୍ୟ ଫାଟକକୁ ସମ୍ପୂର୍ଣ୍ଣ ଭାବେ ଖୋଲାଯାଇଛି। ଡିଜିଟାଲ ଲାଇବ୍ରେରି କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନିଆଯାଉଛି। ତେଣୁ ବିଲ୍‌ଡିଂ ମରାମତି ହେଉଛି। ଖୁବ୍‌ଶୀଘ୍ର ସାମଗ୍ରୀ କିଣାଯିବ। କ୍ୟାମ୍ପସକୁ ପ୍ରସ୍ତୁତ ରଖାଯାଉଛି। ଶିକ୍ଷାନୁଷ୍ଠାନକୁ ଖୋଲିବା ଲାଗି ଯେତେବେଳେ ବି ନିର୍ଦେଶ ଆସିବ ଆମେ ପ୍ରସ୍ତୁତ।

ସମ୍ବନ୍ଧିତ ଖବର