ଉତ୍କଳ ବିଶ୍ବବିଦ୍ୟାଳୟରେ ଏସ୍‌କେ ଦାସ ସ୍ମୃତି ବକ୍ତୃତାମାଳା

ଭୁବନେଶ୍ୱର: ଉନ୍ନତ ଶିକ୍ଷା ବ୍ୟବସ୍ଥା ଏକ ଜାତିକୁ ଆଗକୁ ନେଇଥାଏ। ଗୁରୁକୁଳରୁ ଆଧୁନିକ ଶିକ୍ଷା ପଦ୍ଧତି ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥାରେ ଆସୁଥିବା ପରିବର୍ତ୍ତନ ସମାଜକୁ ପ୍ରଭାବିତ କରିଛି। ସମସ୍ତ ରାଷ୍ଟ୍ର ଏହି ଶିକ୍ଷା ପଦ୍ଧତିକୁ କ୍ରମାଗତ ଭାବେ ପରିବର୍ତ୍ତନ କରିବାରେ ଲାଗିଛନ୍ତି। ଓଡ଼ିଶାରେ ଏଭଳି ଏକ ପରିବର୍ତ୍ତନ ବ୍ୟବସ୍ଥାରେ ବିଶ୍ବାସ ରଖୁଥିବା ତଥା ଅନେକ ପ୍ରଚେଷ୍ଟା କରିଥିବା ଅନ୍ୟତମ ବ୍ୟକ୍ତିତ୍ବ ହେଉଛନ୍ତି ପ୍ରଫେସର ସୂର୍ଯ୍ୟକାନ୍ତ ଦାସ। ଉତ୍କଳ ବିଶ୍ବବିଦ୍ୟାଳୟ ବାଣିଜ୍ୟ ବିଭାଗର ଏସ୍‌କେ ଦାସ କନ୍‌ଫରେନ୍‌ସ୍‌ ହଲ୍‌ ପରିସରରେ ଆୟୋଜିତ ଏସ୍‌କେ ଦାସ ସ୍ମାରକୀ ବକ୍ତୃତାମାଳାରେ ‘ରିଫ୍ଲେକ୍ସନ୍‌ସ୍‌ ଅନ୍‌ ଦି ଚେଞ୍ଜିଙ୍ଗ୍‌ ଲ୍ୟାଣ୍ଡସ୍କେପ୍‌ ଅଫ୍ ହାୟର ଏଜୁକେସନ’ ଶୀର୍ଷକ ବକ୍ତୃତାରେ ମୁଖ୍ୟବକ୍ତା ଭାବରେ ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅଶୋକ କୁମାର ଦାସ ଯୋଗଦେଇ ଏହା କହିଛନ୍ତି। ପ୍ରଫେସର ସୂର୍ଯ୍ୟକାନ୍ତ ଦାସ ବାଣିଜ୍ୟ ବିଭାଗର ପ୍ରତିଷ୍ଠାତା ପ୍ରଫେସର। ତାଙ୍କ ସ୍ମୃତିରେ ଚାଲିଥିବା ଏହି ବକ୍ତୃତାମାଳାରେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରଫେସର ରମାକାନ୍ତ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର